ଘୋଷଯାତ୍ରା ଆଉ ୭ ଦିନ ! ଉଠିଲା ପ୍ରଥମ ପରସ୍ତ ପୋଟଳ

37

ଆସନ୍ତା ୨୫ ତାରିଖରେ ରଥଯାତ୍ରା । ଏଥିପାଇଁ ରଥ ନିର୍ମାଣ ସହ ଅନ୍ୟାନ୍ୟ କାମ ଆଗେଇ ଚାଲିଛି । ଶନିବାର ତିନିରଥର ପ୍ରଥମ ପରସ୍ତ ପୋଟଳ ତଥା ବଡ଼ ଥଳି ପୋଟଳ ଉଠିଛି । ଏହାକୁ ପୋଟଳ ପାଳେଣି ଉପରେ ରଖାଯାଇଛି । ଏଥିସହ ରଥଖଳାରେ ଅଁଳା ହାରେଡି, ପାରାଭାଡ଼ି, ଚାରିନାହାକା ମୂଳ କଇଁଚି ଓ କନକ ମୁଣ୍ଡି କାମ ମଧ୍ୟ ଚାଲିଛି । କାମ ଶେଷପରେ ଏସବୁକୁ ତିନି ରଥରେ ଲଗାଯିବ । ସେହିପରି ପ୍ରତି ରଥର ଦୁଇଟି ଲେଖାଏଁ ଚନ୍ଦ୍ରଶାଳୀ ତିଆରି ସରିଛି । ଏହା ରଥ ଦୁଆରରେ ଲାଗିଥାଏ । ତେବେ ପ୍ରତି ରଥରେ ୪ଟି ଲେଖାଏଁ ଚନ୍ଦ୍ରଶାଳୀ ଲାଗିଥାଏ ବୋଲି ଭୋଇ ସର୍ଦ୍ଦାର ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପରିସରରେ ତିନିରଥର କପଡ଼ା କାମ ଆରମ୍ଭ ହୋଇଛି । ଶନିବାର ତିନିରଥର କପଡ଼ା ପହଂଚି ଥିବାବେଳେ ବତା, ଦୁଆରଘୋଡ଼ା, ଚନ୍ଦ୍ରଶାଳୀ, ଅଁଳାଶ୍ରୀ କାମ ଜାରି ରହିଛି । ସେହିପରି ଶ୍ରୀମନ୍ଦିର ପ୍ରଶାସନ ନୂତନ କାର୍ଯ୍ୟାଳୟ ପରିସରରେ ରଙ୍ଗ କାମ ଚାଲିଛି । ଦୋଳବେଦୀ ପରିସର ଅସ୍ଥାୟୀ କମାର ଚାଳିରେ ତିନିରଥ ପାଇଁ ତିଆରି ସରିଛି ୧୨ଟି ଜଂଘା କଂଟା । ତେବେ ଗୋଟିଏ ରଥରେ ୪ଟି ଜଂଘା କଂଟା ଲାଗିଥାଏ । ଏହି କଂଟାର ଲମ୍ବ ପ୍ରାୟ ସାଢେ ୪ ଫୁଟ୍ । ଏହା ପୋଟଳ ଉପରୁ ତଳକୁ ବାଡି଼ଆ ଯାଇଥାଏ । ମୋଟ୍ ୧୩ ପରସ୍ତ ପୋଟଳକୁ ଏହା ସେଟ୍ କରି ରଖେ ।