‘ଦେବଦଳନ’ ଓ ‘ଦର୍ପଦଳନ’ର ସନ୍ଧାନେ

182

‘ଦେବଦଳନ’ ସଂପର୍କରେ ଗୋଟିଏ ଉଲ୍ଲେଖନୀୟ ବିଷୟ ହେଉଛି, ଏହା ଇନ୍ଦ୍ରଜିତର ରଥ ବୋଲି ବଳରାମ ଦାସଙ୍କ ‘ଦାଣ୍ଡି ରାମାୟଣ’ ବା ‘ଜଗମୋହନ ରାମାୟଣ’ରେ ବର୍ଣ୍ଣନା ଅଛି। ମନେହୁଏ, ତାହାର ପ୍ରଭାବରେ ହିଁ ‘ବାଲ୍ମୀକି ରାମାୟଣ’ର ଲେଖକ ଓ ଅନୁବାଦକମାନେ ‘ଯୁଦ୍ଧକାଣ୍ଡ’ର ବର୍ଣ୍ଣନା ପ୍ରସଙ୍ଗରେ ଇନ୍ଦ୍ରଜିତର ରଥର ନାମ ‘ଦେବଦଳନ’ ବୋଲି କହିଛନ୍ତି।

ଏହି ‘ଦେବଦଳନ’ ରଥରେ ଆରୋହଣ କରି ଓ ଯୁଦ୍ଧରେ ଇନ୍ଦ୍ରଙ୍କୁ ଜିତି ମେଘନାଦ ‘ଇନ୍ଦ୍ରଜିତ’ ନାମ ପାଇଥିଲା। ପୁଣି ସେହି ରଥରେ ଆରୂଢ଼ ହୋଇ ଦେବତାମାନଙ୍କୁ ପରାସ୍ତ କରିଥିବାରୁ ତାର ରଥର ନାମ ‘ଦେବଦଳନ’ ହୋଇଥିଲା। କିନ୍ତୁ ସେହି ରଥ ସେ ‘ନିକୁମ୍ଭିଲା ବଟ’ଠାରେ ଯଜ୍ଞକରି ପାଇଥିଲା। ନିକୁମ୍ଭିଲା ହେଉଛନ୍ତି ବଟମଙ୍ଗଳାଙ୍କ ପରି ଦେବୀ।

ସେହି ରଥ ଦେବୀଙ୍କ ଆଶୀର୍ବାଦରୁ ତାକୁ ଯଜ୍ଞକୁଣ୍ଡରୁ ମିଳିଥିଲା। ତେଣୁ ତାହା ଦେବୀରଥ। ସମ୍ଭବତଃ ସେହି ସୂତ୍ରରୁ ଦେବୀ ସୁଭଦ୍ରାଙ୍କ ରଥର ନାମ ଇନ୍ଦ୍ରଜିତ ରଥର ନାମ ଅନୁସାରେ ‘ଦେବଦଳନ’ ରଖାଯାଇଛି। ଶ୍ରୀମନ୍ଦିରର ‘ଅଧିକାର ଅଭିଲେଖ’ ବା ‘ସ୍ୱତ୍ଵଲିପି’ରେ ମଧ୍ୟ ଏହା ‘ଦେବୀ ରଥ’ ଓ ‘ଶ୍ରୀ ସୁଭଦ୍ରାଙ୍କ ରଥ’ ବୋଲି ଉଲ୍ଲେଖ ଅଛି। ତେଣୁ ଦେବୀ ସୁଭଦ୍ରାଙ୍କ ରଥର ‘ଦେବଦଳନ’ ନାମ ସହିତ ଦେବତାଙ୍କ ପରାଭବର କୌଣସି ସଂପର୍କ ନାହିଁ।

କିନ୍ତୁ ‘ଦେବଦଳନ’ ସହିତ ଦେବୀ ସୁଭଦ୍ରାଙ୍କ ରଥର ଆଉ ଗୋଟିଏ ନାମ ମଧ୍ୟ ପ୍ରଚଳିତ। ତାହା ହେଉଛି ‘ଦର୍ପଦଳନ’। ‘ଦର୍ପଦଳନକାରିଣୀ ଆନନ୍ଦମୟୀ ସୁଭଦ୍ରା’ ପ୍ରବନ୍ଧରେ ଏହାର ଏକ ତାତ୍ତ୍ଵିକ ବ୍ୟାଖ୍ୟା ଦେଇଛନ୍ତି ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର। ସେ କହିଛନ୍ତି- ‘‘ଶରୀରରୂପୀ ରଥର ଆତ୍ମଶକ୍ତି ହେଉଛନ୍ତି ସୁଭଦ୍ରା। ଉତ୍ତମ ଭଦ୍ରା। ତାଙ୍କୁ ଆପଣେଇବାପାଇଁ ଗର୍ବ ଅହଂକାର ତ୍ୟାଗ କରିବାପାଇଁ ପଡ଼େ। ଅହଂକାର ହିଁ ଦର୍ପ।

ଏହି ଦର୍ପ ଦଳନ ନହେଲେ ଆତ୍ମଶକ୍ତି କାହିଁ କେତେଦୂର। ସେଇ ଆତ୍ମଶକ୍ତି ସ୍ୱୟଂ ଆରୋହଣ କରନ୍ତି ‘ଦର୍ପଦଳନ’ ରଥରେ, ଦର୍ପକୁ ଦଳନ କରି ଭକ୍ତଙ୍କୁ ଆପଣେଇ ନେବାକୁ। ସେହି ଆଦ୍ୟାଶକ୍ତି ହିଁ ଆତ୍ମଶକ୍ତି ରୂପେ ସମସ୍ତ ଜୀବରେ ବିଦ୍ୟମାନ। ଶରୀର ରୂପକ ରଥରେ ସେ ଯେପରି ଆତ୍ମଶକ୍ତି, ବିଶ୍ୱରୂପକ ରଥରେ ସେ ସେପରି ଆତ୍ମଶକ୍ତି। ଏହା ପିଣ୍ଡ-ବ୍ରହ୍ମାଣ୍ଡ ତତ୍ତ୍ଵର ଜ୍ୱଳନ୍ତ ପରାକାଷ୍ଠା। ଦେବୀ ସୁଭଦ୍ରାଙ୍କ ରଥର ଆଉ ଗୋଟିଏ ନାମ ମଧ୍ୟ ‘ପଦ୍ମଧ୍ୱଜ’। ‘ଦେବଦଳନ’ ଯେ ଦେବୀରଥ, ଏହି ‘ପଦ୍ମଧ୍ୱଜ’ ନାମ ତାହାର ଦ୍ୟୋତକ।