ଗବେଷଣାର ନିକଷରେ ‘ଗୁଣ୍ଡିଚା’

177

‘ଗୁଣ୍ଡିଚା’ ଯେ ସତ୍ୟଯୁଗର ରାଜା ଇନ୍ଦ୍ରଦ୍ୟୁମ୍ନ ବା ଏକାଦଶ-ଦ୍ଵାଦଶ ଶତାବ୍ଦୀର ଗଙ୍ଗବଂଶୀ ରାଜା ଚୋଡ଼ଗଙ୍ଗ ଦେବଙ୍କ ରାଣୀ- ସେ ନେଇ ନିର୍ଦ୍ଦିଷ୍ଟ ତଥ୍ୟ ପ୍ରମାଣ ମିଳେ ନାହିଁ । ଏଣୁ ଇତିହାସ, କିଂବଦନ୍ତି ଓ ଶବ୍ଦ-ବିଶ୍ଳେଷଣ ଆଧାରରେ ‘ଗୁଣ୍ଡିଚା’ ଶବ୍ଦର ରହସ୍ୟ ଭେଦ କରିବାକୁ ଅତୀତରେ ଅନେକ ଉଦ୍ୟମ ହୋଇଛି । ‘ମାଦଳାପାଞ୍ଜି’ରେ ରାଜା ନରସିଂହ ଦେବଙ୍କ ପ୍ରସଙ୍ଗରେ ଉଲ୍ଲେଖ ଅଛି, ‘‘ଗୁଣ୍ଡିଚାଘର ଦେଉଳ କାଠମଣ୍ଡପ ହୋଇଥିଲା । ତାହା ପଥର ମଣ୍ଡପ କଲେ । ତାହା ଚାରିପାଖେ ବେଢ଼ା କଲେ ।’’

‘ମାଦଳାପାଞ୍ଜି’ ଅନୁସାରେ, ଗଙ୍ଗବଂଶୀ ରାଜା ନରସିଂହ ଦେବଙ୍କ ରାଜତ୍ଵକାଳ ୧୨୭୮-୧୩୦୬ ଖ୍ରୀଷ୍ଟାବ୍ଦ । ଏଣୁ ଏହି ସମୟରେ ଗୁଣ୍ଡିଚାଘର ଦେଉଳ କାଠମଣ୍ଡପରୁ ପଥରମଣ୍ଡପ ହୋଇଥିଲା । କିନ୍ତୁ ‘ଖୁରୁଧା ଇତିହାସ’ ଖ୍ୟାତ କେଦାରନାଥ ମହାପାତ୍ରଙ୍କ ଅନୁସାରେ-ଗଙ୍ଗବଂଶୀ ରାଜା ଚୋଡ଼ଗଙ୍ଗ ଦେବ ଗୁଣ୍ଡିଚାମନ୍ଦିର ନିର୍ମାଣ କରାଇଥିଲେ । ତାହାର ପରେ ହିଁ ପୂର୍ବପ୍ରଚଳିତ ରଥଯାତ୍ରାର ନାମ ଗୁଣ୍ଡିଚାଯାତ୍ରା ହୋଇଥିଲା । ତାଙ୍କ ରାଣୀ ଗୁଣ୍ଡି-ଚୋଡ଼ିଙ୍କ ନାମାନୁସାରେ ଏହା ହୋଇଥିଲା ।

କିନ୍ତୁ ଶବ୍ଦ-ଗବେଷଣା ‘ଗୁଣ୍ଡିଚା’ ନାମର ଭିନ୍ନ ବ୍ୟାଖ୍ୟା କରେ । ବିଶିଷ୍ଟ ଗବେଷକ ଡକ୍ଟର ଗୋପୀନାଥ ମହାପାତ୍ର ‘ବ୍ରହ୍ମପୁରାଣ’ର ୬୬ ଅଧ୍ୟାୟ ଅନ୍ତର୍ଗତ ‘ଗୁଣ୍ଡିକା’ ଶବ୍ଦରୁ ‘ଗୁଣ୍ଡିଚା’ ଶବ୍ଦ ସୃଷ୍ଟିହୋଇଛି ବୋଲି ମତ ଦେଇଛନ୍ତି । ତାଙ୍କ ଅନୁସାରେ, ‘ଗୁଣ୍ଡ୍’ ଧାତୁର ଅର୍ଥ ଲୁଚାଇବା । ଯଜ୍ଞବେଦୀ (ଗୁଣ୍ଡିଚା ମନ୍ଦିରର ଅନ୍ୟନାମ, କାରଣ ରାଜା ଇନ୍ଦ୍ରଦ୍ୟୁମ୍ନ ଏଠାରେ ସହସ୍ର ଅଶ୍ୱମେଧ ଯଜ୍ଞ କରିଥିଲେ)ରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଜନ୍ମକାଳରେ ଏକ ପଟ୍ଟବସ୍ତ୍ରରେ ଆଚ୍ଛାଦିତ କରି ଲୁକ୍କାୟିତ ଭାବରେ ରଖାଯାଇଥିଲା । ତେଣୁ ‘ଗୁଣ୍ଡିକା’ ଶବ୍ଦର ଅପଭ୍ରଂଶରୁ ‘ଗୁଣ୍ଡିଚା’ ହୋଇଥିବା ସମ୍ଭବ । ଏହି ଦୃଷ୍ଟିରୁ ଜନ୍ମବେଦୀକୁ ଯାତ୍ରା କରିବାକୁ ଗୁଣ୍ଡିଚାଯାତ୍ରା ଏବଂ ସେଠାର ମନ୍ଦିରକୁ ଗୁଣ୍ଡିଚା ମନ୍ଦିର କୁହାଯାଇଛି ବୋଲି ସେ ମତ ଦେଇଛନ୍ତି । ଗୁଣ୍ଡିଚା ମନ୍ଦିରର ‘ଆଡ଼ପ ମଣ୍ଡପ’ ନାମ ମଧ୍ୟ ଏହାକୁ ସମର୍ଥନ କରେ । କାରଣ ‘ଆଡ଼ପ’ର ଅର୍ଥ ଅନ୍ତୁଡ଼ିଶାଳ ଏବଂ ଏହା ଅନ୍ତରାଳକୁ ମଧ୍ୟ ବୁଝାଏ ।

ଆଉ ଗୋଟିଏ ମତ ହେଉଛି- ‘ଗୁଣ୍ଡିଚା’ଏକ ସୌରା ବା ଶବର ଶବ୍ଦ । ଏ ମତର ସମର୍ଥକ ଭାଷା-ଗବେଷକ ଡକ୍ଟର ହରପ୍ରସାଦ ମିଶ୍ର । ବିଶିଷ୍ଟ ଜଗନ୍ନାଥ-ଗବେଷକ ଡକ୍ଟର ବେଣୀ ମାଧବ ପାଢ଼ୀ ‘ଦାରୁଦେବତା’ରେ ଦେଇଥିବା ମତକୁ ସେ ସମର୍ଥନ କରନ୍ତି । କିନ୍ତୁ ଅନ୍ୟତମ ବିଶିଷ୍ଟ ଗବେଷକ ଶ୍ରୀ ସଚ୍ଚିଦାନନ୍ଦ ମିଶ୍ର ‘ଝଙ୍କାର’ରେ ପ୍ରକାଶିତ ଏକ ପ୍ରବନ୍ଧ (‘ଗୁଣ୍ଡିଚା’ଏକ ସୌରା ଶବ୍ଦ କି ?)ରେ ଏ ସଂପର୍କରେ ଭିନ୍ନ ମତ ପୋଷଣ କରିଛନ୍ତି । ‘ଝଙ୍କାର’ର ମୁଖ୍ୟ ସଂପାଦକ ହରେକୃଷ୍ଣ ମହତାବ ମଧ୍ୟ ସଚ୍ଚିଦାନନ୍ଦ ମିଶ୍ରଙ୍କର ସେହି ମତକୁ ସଂପୂର୍ଣ୍ଣ ସମର୍ଥନ କରିଛନ୍ତି ।

ଡକ୍ଟର ହରପ୍ରସାଦ ମିଶ୍ରଙ୍କ ଅନୁସାରେ, ‘ଗୁଣ୍ଡିଚା’ ଶବ୍ଦଟି ସୌରା ଭାଷାର ‘କୁନ୍-ଡିଜା’ରୁ ଆସିଛି ଏବଂ ‘ଶବର ବା ସୌରା ଭାଷାରେ ‘କୁନ୍’ର ଅର୍ଥ ‘ସେହି’ ଏବଂ ‘ଡିଜା’ର ଅର୍ଥ ‘ଗଣ୍ଡି’ ବୋଲି ଜଣାଯାଏ । ଅତଏବ ମୂଳଶବ୍ଦ ‘କୁନ୍-ଡିଜା’ର ଅର୍ଥ ହେଉଛି ସେହି ଗଣ୍ଡି ବା ଦାରୁ ବା ଦାରୁଦେବତା ।’’ କିନ୍ତୁ ଏହି ଯୁକ୍ତି ନିରାଧାର ବୋଲି ସଚ୍ଚିଦାନନ୍ଦ ମିଶ୍ର ସାବ୍ୟସ୍ତ କରିଛନ୍ତି ।

‘ଗୁଣ୍ଡିଚା’ ଶବ୍ଦଟି ପ୍ରାଚୀନ ଦ୍ରାବିଡ଼ ଭାଷାରୁ ଆସିଛି ବୋଲି ପଣ୍ଡିତ ନୀଳକଣ୍ଠ ଦାସ ଏକଦା କହିଥିଲେ ଏବଂ ଡକ୍ଟର ମହତାବ ତାଙ୍କ ‘ଓଡ଼ିଶା ଇତିହାସ’ରେ ତାହାକୁ ସମର୍ଥନ କରିଥିଲେ । ସେ କହିଥିଲେ, ‘‘ଗୁଣ୍ଡିଚା ଶବ୍ଦ ଖୁବ୍ ସମ୍ଭବ ‘ଗୁଡ଼ିସା’ ଶବ୍ଦର ପରିଣତି। ଗୁଡ଼ିସା ଏକ ଦ୍ରାବିଡ଼ ଶବ୍ଦ ଓ ତେଲୁଗୁ ଭାଷାରେ ଏହାର ଅର୍ଥ କୁଟୀର ।’’ କିନ୍ତୁ ନିଜ ପ୍ରବନ୍ଧରେ ହରପ୍ରସାଦ ମିଶ୍ର ନାନା ଯୁକ୍ତି ଦର୍ଶାଇ ତାହାକୁ ଖଣ୍ଡନ କରିଥିଲେ । ସେସବୁର ସବିଶେଷ ଆଲୋଚନା କରି ସଚ୍ଚିଦାନନ୍ଦ ମିଶ୍ର ପଣ୍ଡିତ ନୀଳକଂଠ ଓ ଡକ୍ଟର ମହତାବଙ୍କୁ ସମର୍ଥନ କରିଛନ୍ତି । ସୌରା ଶବ୍ଦ ‘କୁନ୍-ଡିଜା’ରୁ ନୁହେ, ଦ୍ରାବିଡ଼ ଶବ୍ଦ ‘ଗୁଡ଼ିସା’ରୁ ‘ଗୁଣ୍ଡିଚା’ ହୋଇଛି ବୋଲି ସେ ନିଜ ଆଲୋଚନାରେ କହିଛନ୍ତି ।