ରଥଯାତ୍ରା: ନିଖିଳ ସୃଷ୍ଟିର ଯାତ୍ରା

131

ଶ୍ରୀଜଗନ୍ନାଥଙ୍କ ‘ଦଶାବତାର ଯାତ୍ରା’ର ଏକ ବ୍ୟାପକତା ମିଳେ ବ୍ୟାସଦେବକୃତ ‘ଶ୍ରୀମଦ୍ଭାଗବତ’ର ତୃତୀୟ ସ୍କନ୍ଧ, ଦଶମ ଅଧ୍ୟାୟରୁ । ସେଥିରେ ଅଛି ଭଗବାନଙ୍କ ସୃଷ୍ଟିର ବର୍ଣ୍ଣନା । ବିଦୁରଙ୍କ ଅନୁରୋଧରେ ମୈତ୍ରେୟ ମୁନି ପିତାମହ ବ୍ରହ୍ମାଙ୍କ ଦେହ ଓ ମନରୁ ଜାତ ହୋଇଥିବା ସେହି ସୃଷ୍ଟିର ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି- ଏହି ବିଶ୍ୱର ସୃଷ୍ଟି ଏବେ ଯେଉଁପରି ହୋଇଛି, ଅତୀତରେ ମଧ୍ୟ ସେହିପରି ହୋଇଥିଲା ଏବଂ ଭବିଷ୍ୟତରେ ମଧ୍ୟ ସେହିପରି ହେବ । ଏହା ହେଉଛି ‘ପ୍ରାକୃତ’ ଓ ‘ବୈକୃତ’ ଭେଦରେ ନଅ ଏବଂ ଏ ଦୁହିଁଙ୍କ ଯୋଗରେ ଏକ- ଏହିପରି ଦଶବିଧ ସୃଷ୍ଟି । ଏ ସଂପର୍କରେ ଅଧିକ ବର୍ଣ୍ଣନା ଦେଇ ମୈତ୍ରେୟ ମୁନି କହିଛନ୍ତି- ‘ପ୍ରାକୃତ’ ସୃଷ୍ଟି ଛଅ ପ୍ରକାର ଓ ‘ବୈକୃତ’ ସୃଷ୍ଟି ତିନି ପ୍ରକାର ।

ପ୍ରାକୃତ ଛଅ ସୃଷ୍ଟି ହେଉଛନ୍ତି- ମହତ୍ତତ୍ତ୍ଵ, ଅହଂକାର, ଭୂତବର୍ଗ, ଜ୍ଞାନ ଓ କ୍ରିୟାତ୍ମକ ଇନ୍ଦ୍ରିୟ, ମନ ଓ ଦେବତା ଏବଂ ଅବିଦ୍ୟା ବା ଅଜ୍ଞାନ । ‘ବୈକୃତ’ ତିନି ସୃଷ୍ଟି ହେଉଛନ୍ତି- ସ୍ଥାବର, ତିର୍ୟ୍ୟକ୍ୟୋନି ଓ ମନୁଷ୍ୟ । ପ୍ରାକୃତ ଓ ବୈକୃତ ସୃଷ୍ଟିଙ୍କ ଯୋଗରେ ଯେଉଁ ଦଶମ ସୃଷ୍ଟି- ତାହା ହେଉଛି ‘କୌମାର’ ଓ ‘ଦେବ’ । ଏହିପରି ପିତାମହ ବ୍ରହ୍ମାଙ୍କଠାରୁ ଜାତ ହୋଇଥିବା ଦଶବିଧ ସୃଷ୍ଟି ହେଉଛି ଭଗବାନଙ୍କର ‘ଦଶାବତାର’ । ଭଗବାନଙ୍କ ସୃଷ୍ଟିର ଏହି ଦଶବିଧ ରୂପକୁ ବୁଝିବାପାଇଁ ଟିକିଏ ଅଧିକ ବ୍ୟାଖ୍ୟା ଆବଶ୍ୟକ-

୧. ମହତ୍ତତ୍ତ୍ଵ: ଏହା ଈଶ୍ୱରଙ୍କ ପ୍ରେରଣାରେ ସତ୍ତ୍ଵାଦିଗୁଣମାନଙ୍କର ବୈଷମ୍ୟ ଯୋଗୁଁ ଜାତ ହୋଇଥାଏ ।

୨. ଅହଂକାର: ଏଥିରୁ ଦ୍ରବ୍ୟ, ଜ୍ଞାନ ଓ କ୍ରିୟାର ଉତ୍ପତ୍ତି ହୋଇଥାଏ ।

୩. ଭୂତବର୍ଗ: ଏଥିରେ ପଞ୍ଚ ମହାଭୂତମାନଙ୍କୁ ଉତ୍ପନ୍ନ କରିବାପାଇଁ ସୂକ୍ଷ୍ମଶକ୍ତିଯୁକ୍ତ ପଞ୍ଚତନ୍ମାତ୍ର ରହିଥାଆନ୍ତି ।

୪. ଇନ୍ଦ୍ରିୟ: ଏହା ଜ୍ଞାନ ଓ କ୍ରିୟାତ୍ମକ ଇନ୍ଦ୍ରିୟମାନଙ୍କର ସୃଷ୍ଟି ।

୫. ମନ ଓ ଦେବତା: ସାତ୍ତ୍ଵିକ ଗୁଣର ବିକାରରୁ ମନର ଓ ଦେବତାମାନଙ୍କର ସୃଷ୍ଟିହୋଇଥାଏ ।

୬. ଅବିଦ୍ୟା ବା ଅଜ୍ଞାନ: ଏହା ତମୋଗୁଣ ଯୋଗରେ ସୃଷ୍ଟି ହୁଏ ଏବଂ ବୃଦ୍ଧିକୁ ଆଚ୍ଛାଦିତ କରି ରଖେ । ଏହି ଛଅ ସୃଷ୍ଟି ହେଉଛି ‘ପ୍ରାକୃତ’ ସୃଷ୍ଟି । ଏବେ ଦେଖିବା ‘ବୈକୃତ’ ସୃଷ୍ଟିର ବ୍ୟାଖ୍ୟା- ‘ବୈକୃତ’ ସୃଷ୍ଟି ସଂସାରର ଦୁଃଖ ହରଣକାରୀ ଭଗବାନଙ୍କର ରଜୋଗୁଣଯୁକ୍ତ ଲୀଳା । ଏହି ତିନି ବୈକୃତ ସୃଷ୍ଟି ହେଉଛି-

୭. ସ୍ଥାବର: ଏହାର ସଂଖ୍ୟା ଛଅ, ଯଥା- ବନସ୍ପତି, ଔଷଧି, ଲତା, ତ୍ଵକ୍ସାର (ବାଉଁଶ ଗଛ ଆଦି), ବିରୁଧ (ଯାହା ଲତାପରି ଆଶ୍ରୟ ଆବଶ୍ୟକ କରେ ନାହିଁ) ଏବଂ ଦ୍ରୁମ (ଫୁଲ ଓ ଫଳ ଦେଉଥିବା ଗଛ) । ଏମାନେ ତଳୁ ଉପରଯାଏ ଆହାର ସଞ୍ଚୟ କରନ୍ତି । ଏମାନଙ୍କର ବୋଧଶକ୍ତି ପ୍ରକାଶ ପାଏନାହିଁ, କିନ୍ତୁ ଏମାନେ ନିଜ ମଧ୍ୟରେ ସ୍ପର୍ଶ ଅନୁଭବ କରନ୍ତି।
୮. ତିର୍ୟ୍ୟକ୍ ଯୋନି: ଏହା ପଶୁ ଓ ପକ୍ଷୀମାନଙ୍କର ସୃଷ୍ଟି । ଏମାନଙ୍କର ପ୍ରକାରଭେଦ ୨୮ । ତମୋଗୁଣ ଅଧିକ ଥିବାରୁ ଏମାନେ ଅଜ୍ଞାନ । ଏମାନେ ଖାଦ୍ୟ, ପାନୀୟ, ମୈଥୁନ, ଶୟନ ଆଦି ଜାଣନ୍ତି । ଘ୍ରାଣଦ୍ଵାରା ବିଭିନ୍ନ ବସ୍ତୁକୁ ଚିହ୍ନନ୍ତି । କିନ୍ତୁ ଏମାନଙ୍କର ବିଚାରଶକ୍ତି କମ୍ ଥାଏ । ଖୁରା ଦୁଇ ଫାଳ ହୋଇଥିବା ପ୍ରାଣୀ, ଯଥା- ଗୋରୁ, ଛେଳି, ମଇଷି ଆଦି ଏବଂ ଖୁରା ଗୋଟା ଥିବା ପ୍ରାଣୀ, ଯଥା- ଗଧ, ଘୋଡ଼ା, ଖଚର ଆଦିଙ୍କ ସହିତ, ପାଞ୍ଚ ନଖ ଥିବା ପଶୁପକ୍ଷୀ, ଯଥା- କୁକୁର, ବିଲୁଆ, ମଇଷି ଆଦି ପଶୁ ଓ ବଗ, ଛଞ୍ଚାଣ, ଶାଗୁଣା ଆଦି ପକ୍ଷୀ ଏହି ତିର୍ୟ୍ୟକ୍ ଯୋନିର ଅନ୍ତର୍ଗତ ।

୯. ମନୁଷ୍ୟ: ଏହି ସୃଷ୍ଟି ରଜୋଗୁଣ ପ୍ରଧାନ ଓ କର୍ମ ପରାୟଣ ।

୧୦. କୌମାର ଓ ଦେବ: ପ୍ରାକୃତ ଓ ବୈକୃତ- ଏହି ଉଭୟ ସୃଷ୍ଟିଙ୍କୁ ନେଇ ‘କୌମାର ସର୍ଗ’ ଓ ‘ଦେବସର୍ଗ’ଙ୍କର ସୃଷ୍ଟି । କୌମାର ସର୍ଗରେ- ସନତ୍ କୁମାର ଆଦି ଏବଂ ଦେବସର୍ଗରେ- ଦେବତା, ପିତୃ, ଅସୁର, ଗନ୍ଧର୍ବ-ଅପ୍ସରା, ଯକ୍ଷ-ରାକ୍ଷସ, ସିଦ୍ଧ-ଚାରଣ-ବିଦ୍ୟାଧର, ଭୂତ-ପ୍ରେତ-ପିଶାଚ ଏବଂ କିନ୍ନର ଆଦିଅନ୍ତର୍ଭୁକ୍ତ ।

ଏହି ଦଶବିଧ ସୃଷ୍ଟିଙ୍କ ମଙ୍ଗଳ ନିମନ୍ତେ ଉଦ୍ଦିଷ୍ଟ ଯାତ୍ରା ହେଉଛି ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା । ଏଣୁ ବ୍ୟାପକ ଦୃଷ୍ଟିରୁ ଏହା ‘ଦଶାବତାର ଯାତ୍ରା’ ।