ଦଶାବତାର ଯାତ୍ରା: ‘ଦଶାବତାର କ୍ଷେତ୍ର’ର ଯାତ୍ରା

262

ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ କାହିଁକି ‘ଦଶାବତାର ଯାତ୍ରା’ କୁହାଯାଏ, ତାହାର ଆଉ ଏକ ସୂତ୍ର ମିଳେ ‘ସ୍କନ୍ଦପୁରାଣ’ରୁ । ଏହାର ୫୮ ଅଧ୍ୟାୟରେ ଶ୍ରୀସ୍କନ୍ଦ (କାର୍ତ୍ତିକେୟ) ଓ ଶ୍ରୀ ମହାଦେବଙ୍କ ସମ୍ବାଦ (କଥୋପକଥନ) ପ୍ରସଙ୍ଗରେ ଏହା ସୂଚିତ ହୋଇଛି । ଏହାର ସୁନ୍ଦର ଅନୁବାଦ କରିଛନ୍ତି ବାବା ଚୈତନ୍ୟ ଚରଣ ଦାସ ମହାରାଜ ‘ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟମ୍’ର ଓଡ଼ିଆ ଅନୁବାଦରେ । ଏହାର ପ୍ରକାଶକ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ, ପୁରୀ ।

ସେହି ଅଧ୍ୟାୟରେ ଶ୍ରୀସ୍କନ୍ଦ କହିଛନ୍ତି- ହେ ପିତା ! କେଉଁଥିପାଇଁ ଶ୍ରୀପୁରୁଷୋତ୍ତମ କ୍ଷେତ୍ର (ପୁରୀ) ଦଶାବତାର କ୍ଷେତ୍ର, ମୋତେ ତାହା ଶୀଘ୍ର କୁହନ୍ତୁ ! ପୁତ୍ରର ପ୍ରଶ୍ନର ଉତ୍ତରରେ ଶ୍ରୀମହାଦେବ କହିଛନ୍ତି- ଅବ୍ୟକ୍ତରୂପୀ ସର୍ବନିୟନ୍ତା ଭଗବାନ ବିଷ୍ଣୁ ଲୋକପାଳନ ନିମନ୍ତେ ଯୁଗେଯୁଗେ ନାନା ରୂପରେ ଅବତାର ଗ୍ରହଣ କରନ୍ତି ।

ଏହି ପ୍ରସଙ୍ଗରେ ଶ୍ରୀମହାଦେବ ଭଗବାନ ବିଷ୍ଣୁଙ୍କର ଦଶାବତାର ସଂପର୍କରେ ବର୍ଣ୍ଣନା କରି କହିଛନ୍ତି- ଭଗବାନଙ୍କର ଆଦ୍ୟାବତାର ହେଉଛନ୍ତି ବିଧାତା ବ୍ରହ୍ମା ଏବଂ ମୁଁ (ଶିବ) ବ୍ରହ୍ମାଙ୍କର ପୁତ୍ର ରୂପେ ତାଙ୍କର ଦ୍ଵିତୀୟ ଅବତାର । ସନନ୍ଦାଦି (ସନକ, ସନନ୍ଦନ, ସନାତନ ଓ ସନତ୍କୁମାର) ତାଙ୍କର ତୃତୀୟ ଅବତାର ଏବଂ ଗୌତମାଦି ଋଷି ଚତୁର୍ଥ ଅବତାର । ଇନ୍ଦ୍ରାଦି ତେତିଶ ଦେବତା ତାଙ୍କର ପଞ୍ଚମ ଅବତାର । ଚଣ୍ଡାଳାନ୍ତ ନିଖିଳ ଜଗତ୍ ପ୍ରପଞ୍ଚ ହେଉଛି ବିଶ୍ୱବ୍ୟାପ୍ତ ବିଷ୍ଣୁଙ୍କର ବିଭିନ୍ନ ରୂପ । ପୁଣି ଜନକଲ୍ୟାଣ ନିମିତ୍ତ ପୂର୍ବ କାଳରେ ଭଗବାନ ବିଷ୍ଣୁ ଦିବ୍ୟ ମତ୍ସ୍ୟାଦି ବିଭିନ୍ନ ଅବତାର ମୂର୍ତ୍ତି ପ୍ରକାଶ କରିଛନ୍ତି ।

ଏହା ସୂଚାଏ, ଏ ଚରାଚର ସମଗ୍ର ସଂସାର ଏବଂ ସର୍ବ ଦେବତା, ଋଷି ଆଦି ସମସ୍ତେ ତାଙ୍କର ଅବତାର ।

ଶ୍ରୀକ୍ଷେତ୍ର ବା ଶ୍ରୀପୁରୁଷୋତ୍ତମ କ୍ଷେତ୍ର କିପରି ଦଶାବତାର କ୍ଷେତ୍ର- ତାହା ଏହି ପ୍ରସଙ୍ଗରେ ବର୍ଣ୍ଣିତ ହୋଇଛି । ଶ୍ରୀମହାଦେବ ଶ୍ରୀସ୍କନ୍ଦଙ୍କୁ କହିଛନ୍ତି- ଏହି କ୍ଷେତ୍ର ହିଁ ସୃଷ୍ଟି, ସ୍ଥିତି ଓ ସଂହାରର ମୂଳ କ୍ଷେତ୍ର । ଭଗବାନ୍ ଏହି ସ୍ଥାନରେ ଅବତୀର୍ଣ୍ଣ ହୋଇ ଲୀଳାବିସ୍ତାର ନିମନ୍ତେ ଅନ୍ୟତ୍ର ଯାଇଥାଆନ୍ତି । ପୃଥିବୀରେ ନିଜର ଅବତାର କୃତ୍ୟ ସଂପାଦନ କରି ପୁନର୍ବାର ସେ ଏହି କ୍ଷେତ୍ରକୁ ପ୍ରତ୍ୟାବର୍ତ୍ତନ କରି ଏଠାରେ ନିବାସ କରିଥାଆନ୍ତି । ଏଣୁ ମତ୍ସ୍ୟାଦି ଅବତାରଙ୍କୁ ଦର୍ଶନ କଲେ ଯେଉଁ ଫଳ ହୁଏ, ମନୁଷ୍ୟ କେବଳ ଶ୍ରୀପୁରୁଷୋତ୍ତମ (ଶ୍ରୀଜଗନ୍ନାଥ)ଙ୍କୁ ଦର୍ଶନ କଲେ ସେହି ଫଳ ଲାଭ କରେ । ଏଣୁ ହେ ପୁତ୍ର ! ଏହି ପୁରୁଷୋତ୍ତମ କ୍ଷେତ୍ରକୁ କାହିଁକି ଦଶାବତାର କ୍ଷେତ୍ର କୁହାଯାଏ- ଏହା ହେଉଛି ତାହାର ରହସ୍ୟ ।

ଏଣୁ ଏହି ଶ୍ରୀପୁରୁଷୋତ୍ତମ କ୍ଷେତ୍ର ବା ଦଶାବତାର କ୍ଷେତ୍ରରେ ଶ୍ରୀପୁରୁଷୋତ୍ତମ (ଶ୍ରୀଜଗନ୍ନାଥ)ଙ୍କର ରଥଯାତ୍ରା ହେଉଛି ‘ଦଶାବତାର ଯାତ୍ରା’ ।