ଓଡ଼ିଶାର ପ୍ରମୁଖ ପର୍ବ ରଜ ‘ରଜପର୍ବ’ ! ରଜ ଉତ୍ସବ ପାଳନ ପରିପ୍ରେକ୍ଷୀରେ ଏହାର ଅର୍ଥ ଓ ପିଠାପଣା ସଂପର୍କରେ ପ୍ରସ୍ତୁତ ପ୍ରମୁଖ ପ୍ରସଙ୍ଗ

274

ଓଡ଼ିଶା ଏକ କୃଷିଭିତ୍ତିକ ରାଜ୍ୟ । ଆଉ ରଜ ଏକ କୃଷିଭିତ୍ତିକ ପର୍ବ । ବିଭିନ୍ନ ଅଂଚଳରେ ରଜପର୍ବ ଚାରିଦିନ ଓ କେଉଁଠି କେଉଁଠି ପାଂଚଦିନ ଧରି ପାଳିତ ହେବାର ପରମ୍ପରା ରହିଛି । ଏହି ପର୍ବ ମାଧ୍ୟମରେ ପ୍ରକୃତିକୁ ସମ୍ମାନ ଦେବା ସହିତ ନାରୀକୁ ସମ୍ମାନ ଦେବାର ଏକ ସୂକ୍ଷ୍ମ ପରମ୍ପରା ପ୍ରଚଳିତ । ତେଣୁ ଏହାକୁ କେବଳ ଏକ କୃଷିଭିତ୍ତିକ ପର୍ବ ଭାବେ ବିଚାର ନକରି ନାରୀ ଜାତି ପ୍ରତି ସମ୍ମାନବୋଦର ଏକ ପର୍ବ ଭାବେ ମଧ୍ୟ ବିଚାର କରାଯାଇଥାଏ ।

ଏହି ପର୍ବରେ ପିଠା-ପଣା, ଦୋଳିଖେଳ, ଘର ଘର ମଧ୍ୟରେ ପଡ଼ୋଶୀଙ୍କ ପିଠା ଦିଆନିଆ ଓ ଆନନ୍ଦ ବିତରଣର ମାହୋଲକୁ ଦେଖିଲେ ମନେହୁଏ ରଜ ଆମ ଜୀବନର ଏକ ଅନନ୍ୟ ଉତ୍ସବ ବୋଲି ପ୍ରତୀୟ ହୋଇଥାଏ । ତେବେ ଏହିପରି ଉତ୍ସବର ଖୁସି ପଲ୍ଲୀ ଜୀବନ ଓ ସହରୀ ଜୀବନକୁ ଆସ୍ତେ ଆସ୍ତେ ଲୋପ ପାଇ ଆସୁଛି । ଆଧୂନିକ ଜୀବନର ବହୁ ପ୍ରଦୂଷିତ ଆଚାର-ବ୍ୟବାହର ଆମର ଏହି ପାରମ୍ପରିକ ରଜ ଉତ୍ସବକୁ କଳଙ୍କିତ କରିଦେଉଛି । ଆଜି ରଜ ଉତ୍ସବର ସେଇ ଉଷ୍ମ ଭାବକୁ ଜୀବିତ କରିରଖିବାର ସମୟ ଆସିଛି । ରଜ ଉତ୍ସବର ବିଭିନ୍ନ ଦିଗ ଓ ପାଳନ ପରିପ୍ରେକ୍ଷୀରେ ଏହାର ବିଧି ତଥା ପିଠାପଣା ସଂପର୍କରେ ପ୍ରସ୍ତୁତ ପ୍ରମୁଖ ପ୍ରସଙ୍ଗ ।

ରଜ ପିଠା

ଓଡ଼ିଆ ଘରେ ପର୍ବପର୍ବାଣୀର ଅର୍ଥ ବିଭିନ୍ନ ପ୍ରକାର ପିଠାର ଆସର । କିନ୍ତୁ ଅନ୍ୟ ପର୍ବ ଅପେକ୍ଷା ରଜପର୍ବରେ ତିଆରି ପିଠା ସଭିଙ୍କର ପ୍ରିୟ । ଏହିଦିନ ଚକୁଳି, କାକରା ଓ ପୋଡ଼ ପିଠାର ମହକ ଘରେ ଘରେ ମହକିଥାଏ । ନଡ଼ିଆ ପୁର ଦିଆ ପୋଡ଼ ପିଠା ରଜରେ ମୁଖ୍ୟ ସ୍ଥାନ ଗ୍ରହଣ କରିଥାଏ । କାରଣ ଜଗନ୍ନାଥଙ୍କ ଛପନ ଭୋଗରେ ଏହା ସ୍ଥାନ ପାଇଥାଏ । ତେଣୁ ପୋଡ଼ ପିଠାକୁ ତିନିଦିନ ଧରି ଖିଆଯାଏଁ ।

ରଜପାନ

ରଜରେ ପାନ ଖାଇବା ଏକ ପୁରୁଣା ପରମ୍ପରା । ପାନକୁ ତାମ୍ବୁଳ, ପୂର୍ଣ୍ଣ ତାମ୍ବୁଳ, ସପ୍ତଲତା ଓ ନାଗବଲ୍ଲୀ ବୋଲି ମଧ୍ୟ କୁହାଯାଏ । ନାଗବଲ୍ଲୀ ରସ ପାନ କରି ଜଣେ ମୃତ ରାଜପୁତ ଜୀବନ ପାଇଥିବାର ପ୍ରବାଦ ରହିଛି । ତେଣୁ ଏହାକୁ ‘ପ୍ରାଣ’ ବୋଲି କୁହାଯାଏ । କାଳକ୍ରମେ ଏହା ଅପଭ୍ରଂଶ ହୋଇ ‘ପାନ’ ହୋଇଛି । ପାନରସରେ ବହୁ ପରିମାଣରେ ଅମ୍ଳ, ଧାତବ ଲବଣ ଓ ଜୀବନିକା ରହିଥାଏ । ତେଣୁ ରଜରେ ପାନକୁ ମୁଖ୍ୟ ସ୍ଥାନ ଦିଆଯାଇଛି । ଆଉ ରଜରେ ବୁଲି ବୁଲି ସାହିପଡ଼ିଶାଙ୍କ ଘରୁ ପାନ ଖାଇବା ଏକ ଖୁସି ମିଳିଥାଏ । ଆଈମାଆ ଓ ଜେଜେମାଆ ମାନେ ବିଭିନ୍ନ ପ୍ରକାର ମିଠା, ନଡ଼ିଆ, ଚେରୀ ଏବଂ ଲବଙ୍ଗ ପକାଇ ପାନ ତିଆରି କରିଥାନ୍ତି ।

ରଜ ଦୋଳି

ରଜ ପର୍ବରେ ଦୋଳି ଖେଳିବାର ପରମ୍ପରା ନିଆରା । ଏହା ରଜର ମୁଖ୍ୟ ଆକର୍ଷଣ । ଦୋଳି ଖେଳ ବିନା ରଜପର୍ବ ଫିକା ଲାଗିଥାଏ । ତେଣୁ ପ୍ରତ୍ୟେକଙ୍କ ଘରେ ପଟା ଦୋଳି, ଦଉଡି ଦୋଳି କିମ୍ବା ବାଉଁଶ ଦୋଳି ଲଗାଯାଇଥାଏ । ତେବେ ଦୋଳି ଖେଳ ପ୍ରୂ୍ବରୁ ମା’ ବସୁମତିଙ୍କୁ ସ୍ମରଣ କରି ଦୋଳି ପୂଜା କରାଯାଇଥାଏ । ଏହାପରେ ଝିଅ-ବୋହୂମାନେ ମନଭରି ରଜଦୋଳିର ମଜା ନିଅନ୍ତି ।

ରଜ ଓ ପ୍ରତିଯୋଗୀତା

ଗାଁକୁ ଛାଡିଲେ ସହରୀ ଜୀବନରୁ ଓଡିଆ ସଂସ୍କୃତି ଓ ପରମ୍ପରାର ଛାପ ହଜିବାକୁ ଆରମ୍ଭ କରିଛି । ଆଜିକାଲି ସହରମାନଙ୍କରେ ରଜପର୍ବର ନୀତିନିୟମ କିଛି ନାହିଁ । କିନ୍ତୁ ଏହି ହଜିବାକୁ ବସିଥିବା ପରମ୍ପରାକୁ ଧରି ରଖିବାକୁ ବିଭିନ୍ନ ଅନୁଷ୍ଠାନ ଓ ସଂସ୍ଥା ପକ୍ଷରୁ କିଛି ବର୍ଷ ହେବ ଆରମ୍ଭ ହୋଇଛି ପ୍ରୟାସ । ଏମାନେ ଓଡିଶାର ପୁରପଲ୍ଲୀର ମହିଳାମାନଙ୍କୁ ନେଇ ରଜପିଠା ଓ ରଜପାନ ତିଆରି ଉପରେ ପ୍ରତିଯୋଗିତା କରିଥାନ୍ତି ।