ମଉଳି ଗଲାଣି ରଜ ! ନା ଅଛି ବନ, ନା ଅଛି ଗଜ

77

ପବିତ୍ର ରଜପର୍ବରେ ପିଠା-ପଣା, ଦୋଳିଖେଳ, ଘର ଘର ମଧ୍ୟରେ ପଡ଼ୋଶୀଙ୍କ ପିଠା ଦିଆନିଆ ଓ ଆନନ୍ଦ ବିତରଣର ମାହୋଲକୁ ଦେଖିଲେ ମନେହୁଏ ରଜ ଆମ ଜୀବନର ଏକ ଅନନ୍ୟ ଉତ୍ସବ ବୋଲି ପ୍ରତୀୟ ହୋଇଥାଏ । ତେବେ ଏହି ଉତ୍ସବର ଖୁସି ପଲ୍ଲୀ ଜୀବନ ଓ ସହରୀ ଜୀବନରୁ ଆସ୍ତେ ଆସ୍ତେ ଲୋପ ପାଇ ଆସୁଛି । ଆଧୂନିକ ଜୀବନର ବହୁ ପ୍ରଦୂଷିତ ଆଚାର-ବ୍ୟବହାର ଆମର ଏହି ପାରମ୍ପରିକ ରଜ ଉତ୍ସବକୁ କଳଙ୍କିତ କରିଦେଉଛି ।

ଆଜି ରଜ ଉତ୍ସବର ସେଇ ଉଷ୍ମ ଭାବକୁ ଜୀବିତ କରିରଖିବାର ସମୟ ଆସିଛି । କାରଣ ଅପସଂସ୍କୃତିର ପଶାପାଲିରେ ଓଡ଼ିଆ ସଂସ୍କୃତି ଓ ପରମ୍ପରା ଦିନକୁ ଦିନ ଅବକ୍ଷୟ ହେବାରେ ଲାଗିଛି । ଫଳରେ ଚମକ ହରାଉଛି ରଜପର୍ବ । କାରଣ ଏବେ ନା ଅଛି ବନ, ନା ଅଛି ଗଜ ।

ପରିଣାମ ସ୍ୱରୂପ, ଓଡ଼ିଶାର ପାରମ୍ପରିକ ରଜ ଜୀବନ-ସର୍ବସ୍ୱ ନ ହୋଇ ବିଧି-ସର୍ବସ୍ୱ ହୋଇ ରହିଛି । ବିଜ୍ଞାନର ଅଗ୍ରଗତି ଓ ସଭ୍ୟତାର ବିକାଶ ସାଙ୍ଗକୁ ଅବକ୍ଷୟମୁଖୀ ସଂସ୍କୃତି ଭିତରେ ରଜପର୍ବ ତା’ର ଚମକ ହରାଉଛି । ବିଦେଶରେ ରହୁଥିବା ଲୋକେ ଏବେ ରଜରେ ଗାଁକୁ ଆସିବାକୁ ଇଚ୍ଛା କରୁନାହାଁନ୍ତି । ଟିଭି, କମ୍ପ୍ୟୁଟର, ମୋବାଇଲ ଏବଂ କ୍ରିକେଟ୍ ଖେଳର ପ୍ରସାର ଓ ପ୍ରଚାର ଭିଡ ଭିତରେ ଆଉ ପୂର୍ବ ଭଳି କବାଡି ଖେଳ ଦେଖିବାକୁ ମିଳୁନି । ଖାଲି ସେତିକି ନୁହେଁ ଆଜିକାର ପାଠୋଇ ଝିଅମାନେ ରଜରେ ଗାଁ ଅପେକ୍ଷା ପାର୍କରେ ଲାଗିଥିବା ଦୋଳିକୁ ଅଧିକ ପସନ୍ଦ କରଛନ୍ତି ।

ଓଡ଼ିଶାର ଗ୍ରାମ୍ୟ ଜୀବନ ଖୁବ୍ ସମ୍ବେଦନଶୀଳ ତଥା ସଂସ୍କୃତି ସମ୍ପନ୍ନ ଅଟେ । ନିଆରା ପରମ୍ପରା, ଭାଇଚାରପୂର୍ଣ୍ଣ ଚଳଣିରେ ପରସ୍ପର ମଧ୍ୟରେ ନିବିଡ ସ୍ନେହ-ମମତା ଭଲପାଇବା ଏହାର ନୀତି ଓ ଆଦର୍ଶ ଅଟେ । ଯାହାର ପ୍ରତିଛବି ଏହି ରଜପର୍ବରେ ହିଁ ଦେଖାବାକୁ ମିଳିଥାଏ । ମାତ୍ର ପାଶ୍ଚ୍ୟାତ୍ୟ ସଭ୍ୟତାର ଅନୁସରଣ ସତ୍ୱେ ଓଡ଼ିଶାର ଗ୍ରାମ୍ୟ ଜୀବନରେ ଏହି ପର୍ବପର୍ବାଣି ଆଜି ବି ତିଷ୍ଠି ରହିଛି ।