କୋର୍ଟର କଡା ନିର୍ଦ୍ଦେଶ: ପ୍ରଥମପତ୍ନୀ ଥିବା ସତ୍ତ୍ୱେ ସ୍ୱାମୀଙ୍କ ଦ୍ୱିତୀୟ ବିବାହ କାର୍ଯ୍ୟ କରିଥିବା ପୁରୋହିତଙ୍କ ବିରୋଧରେ ବି ରୁଜୁ ହେବ ଅପରାଧିକ ମାମଲା

42

କୁହାଯାଏ ବିବାହରେ ପୁରୋହିତଙ୍କର କେବଳ ଆଶୀର୍ବାଦ ଭୂମିକା ଥାଏ। ମାତ୍ର ଗୁଜୁରାଟର ଅହମ୍ମଦାବାଦ ମେଟ୍ରୋପଲ୍ଲିଟାନ ମାଜିଷ୍ଟ୍ରେଟ୍‌ ଜଣେ ବିବାହିତ ପୁରୁଷଙ୍କର ଦ୍ୱିତୀୟ ବିବାହ କରାଇଥିବାରୁ ସମ୍ପୃକ୍ତ ପୁରୋହିତଙ୍କ ବିରୋଧରେ ଅପରାଧିକ ମାମଲା ଚଲାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏପରି ନିର୍ଦ୍ଦେଶ ଦେବାରେ ଏହା ଦେଶରେ ପ୍ରଥମ ଘଟଣା।

ମିଳିଥିବା ସୂଚନା ଅନୁଯାୟୀ ଅହମ୍ମଦାବାଦର ସନ୍ତୋଷୀବେନ ବୈରଭା ୨୦୦୯ ମସିହାରେ ରାଜସ୍ଥାନର ଆବୁରୋଡ୍‌ ଏକ ଗାଁରେ ରହୁଥିବା ହେମନ୍ତ କୁମାର ବୈରଭାଙ୍କୁ ବିବାହ କରିଥିଲେ। ତେବେ ଶାଶୁଘରେ ତାଙ୍କୁ ଯୌତୁକ ବିଭିନ୍ନ ନିର୍ଯାତନା ଦିଆଯିବାରୁ ସନ୍ତୋଷୀବେନ ଗତ ଫେବ୍ରୁଆରି ୭ ତାରିଖ ଦିନ ତାଙ୍କ ବାପଘରକୁ ଚାଲି ଆସିଥିଲେ।ଏହାର ଦୁଇ ଦିନ ପରେ ଯୋଧପୁର ଆର୍ଯ୍ୟ ମନ୍ଦିରରେ ହେମନ୍ତକୁମାର ମମତା କୋଲି ନାମକ ଜଣେ ଯୁବତୀଙ୍କୁ ବିବାହ କରିଥିଳେ। ଆର୍ଯ୍ୟମନ୍ଦିରର ପୁରୋହିତ ଭାବେ ରବି ଆର୍ଯ୍ୟ ଏହି ବିବାହ ସମ୍ପନ୍ନ କରିଥିଳେ।ତେବେ ହେମନ୍ତଙ୍କ ପରିବାର ଅହମ୍ମଦାବାଦ ଆସି ସନ୍ତୋଷୀବେନଙ୍କୁ ଧମକ ଦେଇ ଛାଡ଼ପତ୍ର ଦେବାକୁ ବାଧ୍ୟ କରିବା ସହିତ ହେମନ୍ତ ଦ୍ୱିତୀୟ ବିବାହ କରିଥିବା କହିଥିଲେ।।

ଏ ନେଇ ମାର୍ଚ୍ଚ ୧୨ ତାରିଖରେ ସନ୍ତୋଷୀ ବେନ୍‌ ଅହମ୍ମଦାବାଦ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ କୋର୍ଟରେ ମାମଲା ରୁଜୁ କରିଥିଲେ। କୋର୍ଟ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ପୁଲିସକୁ କହିଥିଲେ। ପୁଲିସ ତଦନ୍ତ କରି କୋର୍ଟକୁ ଜଣାଇଥିଲେ ଯେ ସନ୍ତୋଷୀବେନ ଯେଉଁ ଅଭିଯୋଗ କରିଛନ୍ତି ତାହା ସତ। ତେବେ ପୁରୋହିତ ରବି ଆର୍ଯ୍ୟ କହିଥିଲେ ଯେ ବିବାହ ସମୟରେ ହେମନ୍ତ ଓ ମମତା ଅବିବାହିତ ବୋଲି ତାଙ୍କୁ କହିଥିଲେ। ମାତ୍ର ଅହମ୍ମଦାବାଦ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍‌ ହେମନ୍ତ କୁମାରଙ୍କ ପରିବାର ବିରୋଧରେ ବଧୁ ନିର୍ଯାତନା ମାମଲା ସହିତ ହେମନ୍ତଙ୍କ ବିରୋଧରେ ଦ୍ୱିତୀୟ ବିବାହ ଓ ଏହି ବିବାହ କରିଥିବା ପୁୁରୋହିିତଙ୍କ ବିରୋଧରେ ହେମନ୍ତଙ୍କୁ ସହଯୋଗ କରିଥିବା ଅଭିଯୋଗରେ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।