ରଥର ଗଠନ-ତତ୍ତ୍ଵ: ପଞ୍ଚ-ମହାଭୂତ!

3

ନିର୍ଦ୍ଦିଷ୍ଟ ବିଧିରେ ଏବଂ ନିର୍ଦ୍ଦିଷ୍ଟ ଅବଧି ମଧ୍ୟରେ ନିର୍ମିତ ହେଉଥିବା ଶ୍ରୀକ୍ଷେତ୍ରର ତିନିରଥର କାରିଗରୀ ଯେପରି ଜଟିଳ, ତାହାର ବିଭିନ୍ନ ଅଙ୍ଗର ତତ୍ତ୍ଵ ମଧ୍ୟ ସେପରି ଜଟିଳ। ପ୍ରତ୍ୟକ୍ଷ ଜ୍ଞାନ ନଥିଲେ ସେହି କାରିଗରୀକୁ ଯେପରି ବୁଝିବା କଷ୍ଟକର, ଶାସ୍ତ୍ରରେ ଅବଗାହନ ନଥିଲେ ସେହି ତତ୍ତ୍ଵକୁ ମଧ୍ୟ ବୁଝିବା ଅସମ୍ଭବ।

ମନ୍ଦିର ହେଉ ବା ରଥ- ତା’ର କାରିଗରୀ ବିଷୟକୁ ନେଇ ଓଡ଼ିଶାର ଦୁଇଟି ପ୍ରାଚୀନ ଶିଳ୍ପଶାସ୍ତ୍ର ହେଉଛି, ‘ଶିଳ୍ପ ପ୍ରକାଶ’ ଓ ‘ଶିଳ୍ପ ରତ୍ନକୋଷ’। କିନ୍ତୁ ବିଭିନ୍ନ ଭାରତୀୟ ଶିଳ୍ପଶାସ୍ତ୍ର ସମେତ ଏ ଦୁଇ ଶିଳ୍ପଶାସ୍ତ୍ରର ଆଧାରରେ, ପାରମ୍ପରିକ ଭାବରେ ପୁରୀରେ ନିର୍ମିତ ହେଉଥିବା ତିନି ରଥର ନକ୍ସା ନିର୍ଦ୍ଧାରିତ ହୋଇଛି। ବିଶେଷ କରି ‘ଅପରାଜିତ ପୁଚ୍ଛା’ ଏହାକୁ ଅଧିକ ପ୍ରଭାବିତ କରିଛି (ରଥକଥା-୪୭)। ଏସବୁର ଆଧାରରେ ପାରମ୍ପରିକ ଭାବରେ ପୁରୀର ରଥ ନିର୍ମାଣ ପଦ୍ଧତି ପ୍ରସ୍ତୁତ ହୋଇଛି।

ଏ ପ୍ରସଙ୍ଗରେ କେତେକ ଆଲୋଚକ ‘ପ୍ରଭାକର-କଳିଙ୍ଗ’ ନାମକ ଜଣେ ରଥକାରଙ୍କର ଉଲ୍ଲେଖ କରିଥାନ୍ତି। ତାଙ୍କୁ ‘ବର୍ଦ୍ଧକୀ-ଗୁରୁ’ ଓ ‘ରଥକାର-ବର’ କୁହାଯାଇଛି। ସେ କଶ୍ୟପ ଗୋତ୍ରୀୟ ବୋଲି ମଧ୍ୟ ସୂଚନା ରହିଛି। ତାଙ୍କ ରଚିତ ଏକ ପୋଥିରେ ସେ ବିଶ୍ୱକର୍ମା ବା ବଢ଼େଇ ସେବକଙ୍କୁ ବ୍ରାହ୍ମଣ କହିଥିବା ଜଣାଯାଏ।

ରଥକାରମାନଙ୍କ ସଂପର୍କରେ ପୂର୍ବ ଆଲୋଚନାଗୁଡ଼ିକରେ ସୂଚିତ ହୋଇଛି ଯେ କାଠ ଏବଂ ଲୁହା ଆଦି ଧାତୁ, ବିଭିନ୍ନ ପ୍ରକାରର ରଙ୍ଗ, ନାନା ରଙ୍ଗର କନାରେ ତିଆରି ରଥାବରଣ ଓ ଚାନ୍ଦୁଆ ଆଦି ଏବଂ ଜରି ଜମ୍ବୁରା ଆଦି ମଣ୍ଡଣି ବା ସାଜସଜ୍ଜା ସାମଗ୍ରୀରେ ରଥ ନିର୍ମାଣ ପୂର୍ଣ୍ଣାଙ୍ଗ ହୋଇଥାଏ। ପ୍ରଭାକର-କଳିଙ୍ଗ ଏହାକୁ ‘ପଞ୍ଚ-ମହାଭୂତ’ର ଆଖ୍ୟା ଦେଇଛନ୍ତି। ତାଙ୍କ ମତରେ, ଆମର ଶରୀର ଯେପରି ପଞ୍ଚ-ମହାଭୂତ (କ୍ଷିତି, ଅପ୍‌, ତେଜ, ମରୁତ, ବ୍ୟୋମ)ରେ ଗଠିତ, ତିନି ରଥ ସେହିପରି କାଠ, ଧାତୁ, ରଙ୍ଗ, କନା ଓ ଜରି-ଜମ୍ବୁରାରେ ଗଠିତ। କାଠରେ ରଥର ମୂଳଢ଼ାଞ୍ଚା ନିର୍ମିତ ହେଉଥିବାବେଳେ, ରଥର ବିଭିନ୍ନ ଅଙ୍ଗକୁ ପରସ୍ପର ସହ ଯୋଡ଼ି ରଖିବାପାଇଁ ଲୁହା କଣ୍ଟା ଆଦିର ଉପଯୋଗ ହୋଇଥାଏ। ଚକର ପନ୍ଦାରି, ବଳା ଆଦି ମଧ୍ୟ ଲୁହାରେ ନିର୍ମିତ ହୁଏ। ଲୁହା ବ୍ୟତୀତ, ରଥର କଳସ ଆଦି ପିତଳରେ ନିର୍ମିତ ହୋଇଥାଏ। ଆବରଣ, ଚାନ୍ଦୁଆ, ଘେର ଓ ନେତ ଆଦି କନାରେ ନିର୍ମିତ ହୋଇଥାଏ।

ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ପୂର୍ବରୁ ତିନିରଥର କନା ଆବରଣ ବା ମଣ୍ଡଣି ଉପରେ ଜରି-ଜମ୍ବୁରାରେ ତିଆରି କଦଳୀଗଛ, ମଗରମୁଣ୍ଡ ଓ ମାଛ ଆଦି ଖଞ୍ଜା ଯାଉଥିଲା। କିନ୍ତୁ ୧୯୮୯ ମସିହାରେ ଏସବୁକୁ ଧାତୁ (ପିତଳ)ରେ ତିଆରି କରାଯାଇ ରଥାବରଣ ଉପରେ ଖଞ୍ଜା ଯାଉଛି।

ସେହିପରି ବିଭିନ୍ନ ରଙ୍ଗଦ୍ଵାରା ରଥକୁ ଆକର୍ଷଣୀୟ କରାଯିବା ସହିତ ଚିତ୍ରିତ କରାଯାଏ। ଜମ୍ବୁରାରେ ନିର୍ମିତ ହୋଇଥାଏ ପାଞ୍ଚଫଳ, ଲତା, ରାହୁମୁଣ୍ଡ, ଫୁଲ, ଝରା ଆଦି ମଣ୍ଡଣି କାମ।

ପ୍ରଭାକର-କଳିଙ୍ଗଙ୍କର ପଞ୍ଚ-ମହାଭୂତ ତତ୍ତ୍ଵ ବ୍ୟତୀତ, ରଥର ଚକଠାରୁ ଆରମ୍ଭ କରି ପତାକା ପର୍ଯ୍ୟନ୍ତ ବିଭିନ୍ନ ଅଙ୍ଗର ମଧ୍ୟ ଅନେକ ତାତ୍ତ୍ଵିକ ତାତ୍ପର୍ଯ୍ୟ ରହିଛି। ଏହାର ୩୪ଟି ଅଂଶକୁ ସାଧାରଣ ଭାବରେ ନିମ୍ନ, ମଧ୍ୟ ଓ ଶୀର୍ଷ ତିନିଭାଗରେ ବିଭକ୍ତ କରାଯାଇଥାଏ ବୋଲି ପୂର୍ବ ଅଧ୍ୟାୟରେ କୁହାଯାଇଛି (ରଥକଥା-୪୮)। ଏହି ୩୪ଟି ଅଙ୍ଗ ମଧ୍ୟରୁ ନିମ୍ନ ଅଂଶରେ ଚକ, ଦଣ୍ଡିଆ, ଅର, ବାଙ୍କି, କଣୀ, ଶଙ୍ଖଦ୍ଵାର, ଭୂମି- ୭ଟି ଅଙ୍ଗ ରହୁଥିବାବେଳେ, ମଝିଅଂଶରେ ହଂସପଟା, ଜାଲି, ସାରଥିପୀଢ଼, ଗାଈପଟା, ସିଂହାସନ, ଷୋଳନାହାକା, କନକମୁଣ୍ଡାଇ, ଦୁଆରଘୋଡ଼ା, ମଗରଦଣ୍ଡା, ବସନ୍ତ, ଆଠନାହାକା, କୁମ୍ଭପଟି, ରାହୁପଟି, ବାଙ୍କୀ ଓ ପୀଢ଼- ୧୫ଟି ଅଙ୍ଗ ରହିଥାଏ। ସେହିପରି ଶୀର୍ଷ ଭାଗ ରେ ଦଣ୍ଡା, ଋଷିପଟା, ପାରାଭାଡ଼ି, ଖପୁରି, ପାଦ, ଓଲଟଶୁଆ, ଦଧିନଉତି, କଳସ, କଣ୍ଠି, ଚକ୍ର, ଦଣ୍ଡା ଓ ପତାକା- ୧୨ଟି ଅଙ୍ଗ ରହିଥାଏ।

ଏହିସବୁ ଅଙ୍ଗ ମଧ୍ୟରୁ ଅନେକର ମଧ୍ୟ ବିଶେଷ ତାତ୍ତ୍ଵିକ ତାତ୍ପର୍ଯ୍ୟ ରହିଛି।

Comments are closed.