ବଢ଼ୁଛି ବ୍ୟାଙ୍କ ଠକେଇ: ଗୋଟିଏ କ୍ଲିକରେ ଜାଣନ୍ତୁ କେଉଁ ବ୍ୟାଙ୍କରେ ହୋଇଛି କେତେ ଠକେଇ

53

ହୀରା ଗହଣା ବ୍ୟବସାୟୀ ନିରବ ମୋଦି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି)କୁ ବୋଳିଥିବା ଚୂନ ଘଟଣା ପଦାକୁ ଆସିବା ପରେ ଦେଶବ୍ୟାପୀ ଏହାକୁ ନେଇ ବଡ଼ ଧରଣର ଚର୍ଚା ଚାଲିଛି । ପିଏନବିର ଜାଲ୍ ଲେଟର୍ସ ଅଫ୍ ଅଣ୍ଡରଷ୍ଟାଣ୍ଡିଙ୍ଗସ୍(ଏଲଓସି)କୁ ଉପଯୋଗ କରି ବିଦେଶରେ ଥିବା ଭାରତୀୟ ବ୍ୟାଙ୍କର ବିଭିନ୍ନ ଶାଖାରୁ ପ୍ରାୟ ୧୧,୩୦୦ କୋଟି ଟଙ୍କା ନିରବ ମୋଦି ଠକିନେଇଛନ୍ତି । ତେବେ ପିଏନବିର ଏହି ଠକେଇ ଏକ ବଡ଼ ବ୍ୟାଙ୍କ ଠକେଇ ହୋଇଥିଲେ ମଧ୍ୟ ଭାରତୀୟ ବ୍ୟାଙ୍କ ଗୁଡ଼ିକର ଋଣ ଜାଲିଆତି ଆହୁରି ବ୍ୟାପକ ବୋଲି ଜାଣିବାକୁ ମିଳିଛି ।

ରଏଟର୍ସର ଜଣେ ସାମ୍ବାଦିକ ସୂଚନା ଅଧିକାର ଆଇନ ବଳରେ ଭାରତୀୟ ରିଜର୍ଭ ବ୍ୟାଙ୍କୁ ସଂଗ୍ରହ କରିଥିବା ତଥ୍ୟ ଅନୁଯାୟୀ ୨୦୧୨-୧୩ ଆର୍ଥିକ ବର୍ଷରୁ ୨୦୧୬-୧୭ ଆର୍ଥିକ ବର୍ଷ ମଧ୍ୟରେ ଭାରତର ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡ଼ିକ ମୋଟ ୮୬୭୦ଟି ଋଣ ଠକେଇ ମାମଲାର ଶିକାର ହୋଇଛନ୍ତି । ଗତ ୫ଟି ଆର୍ଥିକ ବର୍ଷରେ ଏ ବାବଦରେ ସେମାନେ ପ୍ରାୟ ୬୧୨୬୦ କୋଟି ଟଙ୍କାର ଠକେଇରେ ପଡ଼ିଛନ୍ତି । କେବଳ ସେତିକି ନୁହେଁ, ବ୍ୟାଙ୍କ ଗୁଡ଼ିକ ବର୍ଷକୁ ବର୍ଷ ଅଧିକ ମାତ୍ରାରେ ଋଣ ଠକେଇର ଶିକାର ହୋଇଛନ୍ତି । ୨୦୧୨-୧୩ ଆର୍ଥିକ ବର୍ଷରେ ୬୩୫୭ କୋଟି ଟଙ୍କାର ଠକେଇ ହୋଇଥିବାବେଳେ ୨୦୧୬-୧୭ ଆର୍ଥିକ ବର୍ଷରେ ଏହା ୧୭,୬୩୪ କୋଟି ଟଙ୍କାରେ ପହଞ୍ଚିଛି । ତେବେ ଏହି ଠକେଇ ରାଶିରେ ପିଏନ୍ବିର ଠକେଇ ରାଶିକୁ ସାମିଲ କରାଯାଇନାହିଁ। ପିଏନବିର ଏହି ଠକେଇ ସମୁଦ୍ରରେ ଭାସମାନ ବରଫ ଖଣ୍ଡର ଅଗ୍ର କିମ୍ବା ମଝି ଭଳି ହୋଇପାରେ । ଏହା ହିଁ ଚିନ୍ତାର ବିଷୟ ବୋଲି ଆଇନ ଫାର୍ମ ନିଶିଥ ଦେଶାଇ ଆସୋସିଏଟେସର ପାର୍ଟନର ପ୍ରତିଭା ଜୈନ କହିଛନ୍ତି । ଆରବିଆଇ ପକ୍ଷରୁ ତୁରନ୍ତ ଏହା ଉପରେ ମତାମତ ମିଳିପାରି ନାହିଁ । କିନ୍ତୁ ୨୦୧୭ ଜୁନରେ ରିଜର୍ଭ ବ୍ୟାଙ୍କ ପ୍ରକାଶ କରିଥିବା ଆର୍ଥିକ ସ୍ଥିରତା ରିପୋର୍ଟରେ ବ୍ୟାଙ୍କ ଜାଲିଆତି ଓ ଠକେଇ ଆର୍ଥିକ କ୍ଷେତ୍ର ପାଇଁ ଏକ ମୁଣ୍ଡ ଟେକୁଥିବା ଏକ ବଡ଼ ବିପଦ ବୋଲି କହିଥିଲା ।

ଅନ୍ୟପକ୍ଷରେ କେତେକ ସମାଲୋଚକଙ୍କ କହିବାନୁଯାୟୀ ରିଜର୍ଭ ବ୍ୟାଙ୍କ ସବୁ ଋଣ ଜାଲିଆତିକୁ ସାଧାରଣରେ ପ୍ରକାଶ କରୁନାହିଁ । ଏ ନେଇ ପ୍ରଥମତଃ ଆଇନଗତ ପ୍ରତିବନ୍ଧକ ରହିଥିବାବେଳେ ଦ୍ୱିତୀୟତଃ ପ୍ରକାଶ ହୋଇଗଲେ ଋଣ ରାଶି ଆଦାୟ କରିବା ବ୍ୟାଙ୍କ ଗୁଡ଼ିକ ପାଇଁ କଷ୍ଟକର ହୋଇପଡ଼ୁଛି । ତେଣୁ ରିଜର୍ଭ ବ୍ୟାଙ୍କକୁ ବ୍ୟାଙ୍କ ମାନେ ଯେଉଁ ଋଣ ଜାଲିଆତି ରିପୋର୍ଟ କରୁଛନ୍ତି ତାହା ତୁଳନାରେ ବାସ୍ତବ ଋଣ ଜାଲିଆତି ବହୁ ଅଧିକ ହେବ ବୋଲି କୁହାଯାଉଛି ।

କେଉଁ ବ୍ୟାଙ୍କରୁ କେତେ ଠକେଇ

ରଏଟର୍ସ ସାମ୍ବାଦିକ ସୂଚନା ଅଧିକାର ଆଇନ ବଳରେ ୨୧ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମଧ୍ୟରୁ ୨୦ଟି ବ୍ୟାଙ୍କକୁ ତଥ୍ୟ ମାଗିଥିଲେ। ସେଥିମଧ୍ୟରୁ ୧୫ଟି ବ୍ୟାଙ୍କର ଉତ୍ତର ପାଇଛନ୍ତି । ଏହି ତାଲିକାରେ ପିଏନବି ସବା ଆଗରେ ରହିଛି । ଗତ ୫ଟି ଆର୍ଥିକ ବର୍ଷ ମଧ୍ୟରେ ପିଏନବିରୁ ୩୮୯ଟି ମାମଲାରେ ୬୫୬୨ କୋଟି ଟଙ୍କା ଠକେଇ ହୋଇଛି। ପିଏନବି ପଛକୁ ବ୍ୟାଙ୍କ ଅଫ୍ ବରୋଦା ରହିଛି । ଏହି ବ୍ୟାଙ୍କରୁ ୩୮୯ଟି ମାମଲାରେ ୪୪୭୩ କୋଟି ଟଙ୍କାର ଠକେଇ ହୋଇଛି । ତୃତୀୟ ସ୍ଥାନରେ ବ୍ୟାଙ୍କ ଅଫ୍ ଇଣ୍ଡିଆ ରହିଛି । ଏହି ବ୍ୟାଙ୍କ ୨୩୧ଟି ମାମଲାରେ ୪୦୫୦ କୋଟି ଟଙ୍କାର ଠକେଇର ଶିକାର ହୋଇଛି । ତେବେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଗତ ୫ଟି ଆର୍ଥିକ ବର୍ଷରେ ୧୦୬୯ଟି ଋଣ ଜାଲିଆତିର ଶିକାର ହୋଇଥିଲେ ମଧ୍ୟ ଏ ବାବଦରେ କେତେ ପରିମାଣର ଅର୍ଥ ସଂଶ୍ଳିଷ୍ଟ ରହିଛି ତାହା ଉଲ୍ଲେଖ କରିନାହିଁ । ସେହିଭଳି ବ୍ୟାଙ୍କ ଗୁଡ଼ିକ ଏହି ଠକେଇ ରାଶି ମଧ୍ୟରୁ କେତେ ଟଙ୍କା ଆଦାୟ କରିପାରିଛନ୍ତି ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ ।

ୟୁନିୟନ ବ୍ୟାଙ୍କର ଫସିଛି ୩୦୦ ନିୟୁତ ଡଲାର

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି)ର ଋଣ ଠକେଇ ମାମଲାରେ ୟୁନିୟନ୍ ବ୍ୟାଙ୍କର ୧୯୧୫ କୋଟି ଟଙ୍କାର ଅର୍ଥରାଶି ଫସିଛି। ନିରବ ମୋଦିଙ୍କ ନାମରେ ପିଏନବି ଜାରି କରିଥିବା ଏକାଧିକ ଏଲଓୟୁ (ଲେଟର୍ସ ଅଫ୍ ଅଣ୍ଡରଷ୍ଟାଣ୍ଡିଙ୍ଗସ୍)ର ଶିକାର ୟୁନିୟନ ବ୍ୟାଙ୍କର ବିଦେଶୀ ଶାଖା ଗୁଡ଼ିକ ହୋଇଛନ୍ତି । ଏ ସମ୍ପର୍କରେ ୟୁନିୟନ ବ୍ୟାଙ୍କ ଷ୍ଟକ୍ ମାର୍କେଟକୁ ସୂଚନା ଦେଇଛି । ତେବେ ଏହି ଅର୍ଥ ପାଇବା ନେଇ ବ୍ୟାଙ୍କ ଆଶାବାଦୀ ରହିଛି ବୋଲି କହିଛି ।

ଏସବିଆଇର ୨୧୨ ନିୟୁତ ଡଲାର

ନିରବ ମୋଦିଙ୍କୁ ପିଏନବି ପକ୍ଷରୁ ପ୍ରଦାନ କରାଯାଇଥିବା ଏଲଓୟୁ ମାମଲାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ)ର ପ୍ରାୟ ୧୩୦୦ କୋଟି ଟଙ୍କା ଫସିଛି ବୋଲି ଜଣାଯାଇଛି । ତେବେ ନିରବ ମୋଦିଙ୍କୁ ସିଧାସଳଖ ଭାବେ ବ୍ୟାଙ୍କ ପକ୍ଷରୁ କୌଣସି ଋଣ ପ୍ରଦାନ କରାଯାଇନାହିଁ ବୋଲି ଏସବିଆଇର ଅଧ୍ୟକ୍ଷ ରଜନୀଶ କୁମାର କହିଛନ୍ତି । ତେବେ ନିରବଙ୍କ ମାମୁଁ ମେହୁଲ ଚୋକସିଙ୍କ ମାଲିକାନାରେ ଥିବା ଗୀତାଞ୍ଜଳି ଜେମସ ଉପରେ ବ୍ୟାଙ୍କର କିଛି ଋଣ ରହିଛି । ଏହା ଖୁବ୍ କମ୍ ପରିମାଣର ହୋଇଥିବାରୁ ଏ ନେଇ ଆମେ ସେତେଟା ଚିନ୍ତିତ ନୁହେଁ ବୋଲି ସେ କହିଛନ୍ତି । ୟୁନିୟନ ବ୍ୟାଙ୍କ ଓ ଷ୍ଟେଟ ବ୍ୟାଙ୍କ ବ୍ୟତୀତ ଆକ୍ସିସ ବ୍ୟାଙ୍କ ଓ ଆଲ୍ଲାହାବାଦ ବ୍ୟାଙ୍କ ଏହି ଠକେଇ ଦ୍ୱାରା ସିଧାସଳଖ ପ୍ରଭାବିତ ହୋଇଛନ୍ତି । ତେଣୁ ଏହି ଠକେଇ ପଦାକୁ ଆସିବା ପରେ ଏସବୁ ବ୍ୟାଙ୍କ ଗୁଡ଼ିକର ସେୟାର ମୂଲ୍ୟ ପ୍ରଭାବିତ ହୋଇଛି।