ନବୀନଙ୍କ ଶିଶୁ ଦିବସ କାର୍ଯ୍ୟକ୍ରମ ପାଇଁ ଜୋରଧରିଲା ରାଜନୀତି ! କାର୍ଯ୍ୟକ୍ରମ ପାଇଁ ଗାଁ ଗାଁରେ ଚାଲିଛି ଟିଭି ଖୋଜା

151

କନକ ବ୍ୟୁରୋ : ରାଜନୀତର ପଶାପାଲିରେ ଏବେ ସ୍କୁଲ ଛାତ୍ରଛାତ୍ରୀ । ଛୋଟ ପିଲାଙ୍କୁ ନେଇ ବଡ଼ ରାଜନୀତି ସ୍କୁଲ ପିଲା ପଢ଼ିବେ ରାଜନୀତିର ପାଠ ? ସ୍କୁଲ ପିଲାଙ୍କୁ ନେଇ ପ୍ରସ୍ତୁତି ହୋଇଛି ରାଜନୈତିକ ପ୍ରତିନ୍ଦଦ୍ୱିତାର ମଂଚ । ଗୋଟିଏ ପଟେ ଶିଶୁ ଦିବସରରେ ନବୀନ ସରକାର ନିଜ ପ୍ରସଂଶା ପାଇଁ ବ୍ୟାପକ ପ୍ରସ୍ତୁତି କରୁଥିବା ବେଳେ ଅନ୍ୟପଟେ ସରକାରଙ୍କୁ ଘେରିବା ପାଇଁ ବିଜେପି ଖୋଲିଛି ସ୍ୱତନ୍ତ୍ର ୱେବସାଇଟ୍ । ରାଜନୀତି ସହ କୌଣସି ସଂପର୍କ ରଖୁନଥିବା ଛାତ୍ରଛାତ୍ରୀଙ୍କୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ଜୋରଦାର ହୋଇଛି ଲଢ଼େଇ । ଆଉ ଏସବୁ ଭିତରେ ଅପେକ୍ଷା, ଆସନ୍ତାକାଲିକୁ ଯେତେବେଳେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଦେବେ ମୁଖ୍ୟମନ୍ତ୍ରୀ ଏବଂ ଯାହା ସାରା ଓଡ଼ିଶାରେ ଭୁବନେଶ୍ୱରରୁ ସିଧାପ୍ରସାରଣ ହେବ ।

naveenରାତି ପାହିଲେ ପିଲାଙ୍କୁ ମନର କଥା କହିବେ ମୁଖ୍ୟମନ୍ତ୍ରୀ । ଟିଭି ପରଦା ସାମ୍ନାରେ ବସିବେ ସ୍କୁଲ ପିଲା, ଆଉ ଠିକ୍ ୧୧ଟା ୧୫ ମିନିଟରେ ପିଲାଙ୍କୁ ଟିପ୍ସ ଦେବେ ନବୀନ । ଶିଶୁ ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ପ୍ରସ୍ତୁତି ଶେଷ । ଗଣଶିକ୍ଷା, ପୂର୍ତ, ନଗର ଉନ୍ନୟନ ବିଭାଗ ସହ ବିଏମସି ଏବଂ ବିଡିଏ ଅଧିକାରୀଙ୍କ ଏଥିପାଇଁ ଫୁରସତ ନାହିଁ । ସ୍କୁଲ ପିଲାଙ୍କୁ ନେଇ ରିହଲସଲ ବି କରାଯାଇଛି ।

ଆଉ ଏସବୁ ଭିତରେ କୁନି କୁନି ପିଲାଙ୍କୁ ଢ଼ାଲ କରି ଆରମ୍ଭ ହୋଇଛି ପ୍ରତିଦ୍ୱନ୍ଦିତାର ରାଜନୀତି । ସ୍କୁଲ ପିଲାଙ୍କ ପାଇଁ ରାଜ୍ୟ ସରକାର ବିତର୍କ ପ୍ରତିଯୋଗିତା ଆୟୋଜନ କରୁଥିବା ବେଳେ ବିତର୍କର ପ୍ରସଙ୍ଗ ନେଇ ଆପତି ଉଠାଇଛି ବିଜେପି । ଏନେଇ ବିରେଧୀ ବାଣ୍ଟିଛନ୍ତି ଅଭ୍ୟାସ ପୁସ୍ତିକା ।
ଅଷ୍ଟମରୁ ୧୦ ଶ୍ରେଣୀ ଯାଏଁ- ୯ଟି ପ୍ରସଙ୍ଗରେ ହେବ ବିତର୍କ ପ୍ରତିଯୋଗିତା । ଆଉ ସେଥିରେ ଥିବା ୫ଟି ପ୍ରସଙ୍ଗର ଶୀଷର୍କକୁ ବିରୋଧୀ ଉଠାଇଛନ୍ତି ଆପତ୍ତି ।
୧- ଆମ ଶିକ୍ଷାର ବିକାଶ ପାଇଁ ସରକାର ଅଙ୍ଗୀକାରବନ୍ଧ
୨-ଅଗ୍ରଣୀ ଓଡ଼ିଶା-ଜାତୀୟସ୍ତରରେ ଓଡ଼ିଶା ସବୁ କାର୍ଯ୍ୟକ୍ରମରେ ଆଗ୍ରଣୀ
୩-ଆମ ସରକାର ଆମ ବିକାଶ-ରାଜ୍ୟ ସରକାରଙ୍କର ବିଭିନ୍ନ ଲୋକହିତକାରୀ କାର୍ଯ୍ୟକ୍ରମ
୪-ଗର୍ବାନ୍ୱିତ ଓଡ଼ିଶା-ଆମ ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ସର୍ବଶ୍ରେଷ୍ଠ ପ୍ରଶାସକ ପୁରସ୍କାର
୫-୨୨ ତମ ଏସିଆନ ଆଥଲେଟିକ୍ ଚାମ୍ପିଆନସିପ୍ ସଫଳ ଆୟୋଜନ- ଓଡ଼ିଶା ପାଇଁ ଗର୍ବର ବିଷୟ

ବିତର୍କର ପ୍ରସଙ୍ଗକୁ ବିଜେପି ସରକାରଙ୍କ ପ୍ରଚାର ଧର୍ମୀ ବୋଲି ଅଭିଯୋଗ କରିବା ସହ ଏକ ସ୍ୱତନ୍ତ୍ର ୱେବସାଇଟ୍ ଖୋଲି ପିଲାଙ୍କ ପାଇଁ ଅଭ୍ୟାସ ପୁସ୍ତିକା ଯୋଗଇ ଦେଉଛି ବିଜେପି ।
ଯେଉଁଥିରେ ପିଲାଙ୍କୁ ଟିପ୍ସ ଦେଇ କୁହାଯାଇଛି-
-ପ୍ରତି ଶ୍ରେଣୀ ପାଇଁ ଜଣେ ଲେଖାଏଁ ଶିକ୍ଷକ ନାହାଁନ୍ତି । ୩୦ ପିଲାଙ୍କୁ ପଢ଼ାଉଛନ୍ତି ଜଣେ ଶିକ୍ଷକ
– ନଗଡ଼ା, ଦାନମାଝୀ, ଜାପାନୀ ଜ୍ୱର ଓଡ଼ିଶାକୁ ବିଶ୍ୱ ଦରବାରରେ ନିନ୍ଦିତ କରିଛି ।
– ରାଜ୍ୟ ସରକାର ମିଛ ବାହାଦୂରି ମାରୁଛନ୍ତି
-ଏକ ଘରୋଇ ବ୍ୟାବସାୟିକ ଗଣମାଧ୍ୟମ ଦ୍ୱାରା ଶ୍ରେଷ୍ଠ ପ୍ରଶାସକ ପୁରସ୍କାର ପାଇଛନ୍ତି
– ଓଡ଼ିଶାର ଯୁବକଙ୍କ ପାଖରେ ଚାକିରି ନାହିଁ

ରାଜନୀତିକୁ ଠିକ ଭାବେ ବୁଝି ନଥିବା କୁନି ଛାତ୍ରଛାତ୍ରୀଙ୍କୁ ଢ଼ାଲ କରି ଏବେ ରାଜନୀତିର ରୋଟି ଶେକିବାକୁ ଚାହୁଁଛନ୍ତି ଉଭୟ ବିଜେଡି ଏବଂ ବିଜେପି । ଆଉ ଏହି ପ୍ରକ୍ରିୟା ଭିତରେ ଉଡୁଛି କୋଟି କୋଟି ଟଙ୍କା ।