କେନ୍ଦୁଝର ପୁଲିସର ସ୍ୱାଗତଯୋଗ୍ୟ ପ୍ରୟାସ : ସହିଦ ପୁଲିସଙ୍କ ସମ୍ମାନରେ ସ୍ବତନ୍ତ୍ର ଡାକ ଟିକଟ

87

ଦେଶର ସୁରକ୍ଷା ପାଇଁ ଲଢେ଼ଇ କରି ସହିଦ ହୋଇଥିଲେ । ସେଇ ଅଶୋକ ଚକ୍ର ସମ୍ମାନ ପାଇଥିବା ସହିଦ ପୁଲିସମାନଙ୍କୁ ପୁଣି ଏକ ଭିନ୍ନ ଢ଼ଙ୍ଗରେ ସମ୍ମାନିତ କରିଛି କେନ୍ଦୁଝର ପୁଲିସ । ଡାକ ବିଭାଗ ସହିତ ମିଳିତ ସହଯୋଗରେ ଏହି ଅଶୋକ ଚକ୍ର ଉପାଧିଧାରୀଙ୍କ ପାଇଁ ପ୍ରକାଶ କରିଛି ସ୍ବତନ୍ତ୍ର ଡାକ ଟିକଟ । ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । କେନ୍ଦୁଝର ପୁଲିସ ଓ ଭାରତୀୟ ଡାକ ବିଭାଗ ମିଳିତ ସହଯୋଗରେ ୧୦ ଜଣ ଅଶୋକଚକ୍ର ଉପାଧିପ୍ରାପ୍ତ ତଥା ସହିଦ ପୁଲିସ ଅଧିକାରୀଙ୍କ ଉଦ୍ଦେଶ୍ୟରେ ୫ ଟଙ୍କିଆ ସ୍ବତନ୍ତ୍ର ଡାକ ଟିକଟ ପ୍ରକାଶ କରିଛି । ଡାକ ବିଭାଗର ‘ମାଇଁ ଷ୍ଟାମ୍ପ’ ଯୋଜନାରେ ଏଭଳି ଷ୍ଟାମ୍ପ ତିଆରି ହୋଇଥିବା ବେଳେ ଏହାର ପଛ ଭାଗରେ ରହିଛି ଓଡ଼ିଶାର ପ୍ରସିଦ୍ଧ କୋଣାର୍କ ମନ୍ଦିରର ଚିତ୍ର । ସେହିଭଳି ଡାକ ଟିକଟରେ ରହିଛି ମଧୢ ଅଶୋକ ଚକ୍ର ଉପାଧିପ୍ରାପ୍ତ ସହିଦ ପୁଲିସଙ୍କ ଛବି ।

ଏହି ଷ୍ଟାମ୍ପରେ ରହିଛି ରଣଧୀର ପ୍ରସାଦ ବର୍ମା, କମଳେଶ କୁମାରୀ ଯାଦବ, ପ୍ରମୋଦ କୁମାର ଶତପଥୀ, ଆରପି ଡିଙ୍ଗଡୋ, ମୋହନଚାନ୍ଦ ଶର୍ମା, ଟୁକାରାମ ଓମ୍‌ଲେ, ଅଶୋକ କାମତେ, ବିଜୟ ସଲାସ୍କର, ହେମନ୍ତ କାରକାରେ ଏବ˚ କେ ପ୍ରସାଦ ବାବୁ । ଏମାନଙ୍କ ମଧୢରୁ ଓଡ଼ିଶାର ପ୍ରମୋଦ କୁମାର ଶତପଥୀଙ୍କ ଷ୍ଟାମ୍ବ ମଧୢ ରହିଛି । ଓଡ଼ିଶା ପୁଲିସର ସ୍ପେଶାଲ ଅପରେସନ ଗ୍ରୁପ୍‌ରରେ ଆସିଷ୍ଟାଣ୍ଟ କମାଣ୍ତାଣ୍ଟ ଭାବେ କାମ କରୁଥିବା ପ୍ରମୋଦ କୁମାର ୨୦୦୮ ମସିହାରେ ନୟାଗଡରେ ଅସ୍ତ୍ରାଗାର ଉପରେ ନକ୍ସଲ ଆକ୍ରମଣ ସମୟରେ ଲଢେ଼ଇ କରି ସହିଦ ହୋଇଥିଲେ । ତାଙ୍କୁ ୨୦୦୯ ଜାନୁଆରି ୨୬ ତାରିଖରେ ଅଶୋକଚକ୍ର ଉପାଧି ପ୍ରଦାନ କରାଯାଇଥିଲା ।

ଏହି ୧୦ ଜଣ ପୁଲିସ ସହିଦଙ୍କ ସମ୍ମାନାର୍ଥେ ପ୍ରକାଶିତ ଷ୍ଟାମ୍ପରେ ମଧ୍ୟ ଓଡ଼ିଶାର ପ୍ରମୋଦ କୁମାର ଶତପଥୀଙ୍କ ଷ୍ଟାମ୍ପ ରହିଛି । ଏ ସ˚ପର୍କରେ କେନ୍ଦୁଝର ଏସ୍‌ପି ଜୟନାରାୟଣ ପଙ୍କଜ କହିଥିଲେ, ପୁଲିସ ବାହିନୀରେ ବି ଦେଶ ପାଇଁ ଲଢେ଼ଇ କରି ଜୀବନ ଦେଇଛନ୍ତି । କିନ୍ତୁ ଏହା କମ୍‌ ଲୋକ ଜାଣିଛନ୍ତି । ଏମିତିକି ନୟାଗଡ଼ରେ ଥିବା ଆସିଷ୍ଟାଣ୍ଟ କମାଣ୍ତାଣ୍ଟ ପ୍ରମୋଦ ଶତପଥୀ ମଧୢ ନକ୍ସଲଙ୍କ ସହିତ ଲଢେ଼ଇ କରି ଜୀବନ ଦେଇଥିଲେ । ତେବେ ସେଇମାନଙ୍କ ସମ୍ମାନାର୍ଥେ ଏଭଳି ଏକ ଯୋଜନା କେନ୍ଦୁଝର ଜିଲ୍ଲା ହାତକୁ ନେଇଥିଲା । ଏହାଦ୍ବାରା ସାଧାରଣ ଲୋକେ ବି ପୁଲିସର ତ୍ୟାଗ ସ˚ପର୍କରେ ଜାଣି ପାରିବେ ବୋଲି ଏସ୍‌ପି  କହିଥିଲେ ।