ଦାରିଦ୍ର୍ୟ କମିଛି ହେଲେ ଅସମାନତା କମୁନି ! ମାନବ ବିକାଶ ସୂଚୀରେ ଉଠିଲା ଭାରତ
କନକ ବ୍ୟୁରୋ: ଭାରତରେ ଦାରିଦ୍ର୍ୟ ହାର କମୁଥିବା ବେଳେ ଅସମାନତା ମାତ୍ରା କିନ୍ତୁ କମିବାର ନାଁ ଧରୁନାହିଁ। ବର୍ଷ ବର୍ଷ ଧରି ଏହି ସମସ୍ୟା ଲାଗିରହୁଛି। ବିଭିନ୍ନ ସମୟରେ ଅନେକ ଜାତୀୟ ଏବଂ ଅନ୍ତର୍ଜାତୀୟ ସଂସ୍ଥା ଦ୍ୱାରା ପ୍ରକାଶ ପାଉଥିବା ରିପୋର୍ଟରେ ସମାନ ତଥ୍ୟ ପ୍ରକାଶ ପାଉଛି। ଜାତିସଂଘର ସଦ୍ୟ ମାନବ ବିକାଶ ସୂଚୀ (ଏଚ୍ଡିଆଇ) ମଧ୍ୟ ସମାନ କଥା ଦୋହରାଇଛି। ମାନବ ବିକାଶ ସୂଚୀରେ ଭାରତ ଗୋଟିଏ ପାଦ ଉପରକୁ ଉଠିଛି। ଫଳରେ ୧୮୯ ରାଷ୍ଟ୍ର ମଧ୍ୟରେ ଏହା ୧୩୦ତମ ସ୍ଥାନରେ ପହଞ୍ଚିଛି। ୨୦୧୬ରେ ଭାରତ ୧୩୧ତମ ସ୍ଥାନରେ ରହିଥିଲା।
Kanak News is now on WhatsApp
Join and get latest news updates delivered to you via WhatsApp
ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନ୍ଡିପି) ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି ଯେ ୧୯୯୦ରୁ ୨୦୧୭ ମଧ୍ୟରେ ଭାରତର ଏଚ୍ଡିଆଇ ମୂଲ୍ୟ ୦.୪୨୭ରୁ ୦.୬୪୦କୁ ବୃଦ୍ଧି ପାଇଛି। ଅର୍ଥାତ୍ ଏହି ସମୟ ମଧ୍ୟରେ ଭାରତର ଏଚ୍ଡିଆଇ ୫୦ ପ୍ରତିଶତ ବୃଦ୍ଧି ହାସଲ କରିଛି। ଏହାର ଅର୍ଥ ଦେଶରେ କୋଟି କୋଟି ଲୋକ ଦାରିଦ୍ର୍ୟରୁ ମୁକୁଳି ପାରିଛନ୍ତି। ଏହି ସୂଚୀରେ ବାଂଲାଦେଶର ସ୍ଥାନ ୧୩୬ ରହିଥିବା ବେଳେ ପାକିସ୍ତାନ ୧୫୦ତମ ସ୍ଥାନରେ ରହିଛି। ସୂଚୀରେ ନରେଓ୍ଵ ଶୀର୍ଷରେ ରହିଥିବା ବେଳେ ଏହା ପଛକୁ ସ୍ୱିଜରଲାଣ୍ଡ ଓ ଅଷ୍ଟ୍ରେଲିଆ ରହିଛନ୍ତି। ସବା ତଳେ ଅର୍ଥାତ୍ ୧୮୯ତମ ସ୍ଥାନରେ ନାଇଜର ରହିଛି।
ପରିତାପର ବିଷୟ ଯେ ଭାରତରେ ଅନେକ ଲୋକ ଦାରିଦ୍ର୍ୟରୁ ମୁକୁଳିଥିବା ବେଳେ ଅସମାନତା ମାତ୍ରା କିନ୍ତୁ ବୃଦ୍ଧି ପାଇଛି। ଅସମାନତା ଦିଗରୁ ଭାରତର ଏଚ୍ଡିଆଇ ମୂଲ୍ୟ ଏକଚତୁର୍ଥାଂଶରୁ ଅଧିକ ହ୍ରାସ ପାଇଛି। ଭାରତର ଅସମାନତା-ଭିତ୍ତିକ ଏଚ୍ଡିଆଇ (ଆଇଏଚ୍ଡିଆଇ) ୦.୪୬୮କୁ ଖସିଆସିଛି। ଏହା ୨୬.୮ ପ୍ରତିଶତ କମିଥିବା ସୂଚାଯାଇଛି। ଅନ୍ତର୍ଜାତୀୟ ହାର ଠାରୁ ଏହା ନିକୃଷ୍ଟ।
ଜୀବନ ଧାରଣ ମାନ, ଜନ୍ମ ସମୟରେ ଜୀବନ ପ୍ରତ୍ୟାଶା ଏବଂ ଶିକ୍ଷା ଭଳି ୩ଟି ଦିଗକୁ ବିଚାର କରାଯାଇ ଏଚ୍ଡିଆଇ ତଥ୍ୟ ପ୍ରକାଶ ପାଇଛି। ଏ ନେଇ ୟୁଏନ୍ଡିପି ଇଣ୍ଡିଆର ନିର୍ଦ୍ଦେଶକ ଫ୍ରାନ୍କାଇନ୍ ପିକପ୍ କହିଛନ୍ତି, ଦୁଇ ଦଶନ୍ଧି ହେଲା ଭାରତର ଏଚ୍ଡିଆଇ ବୃଦ୍ଧି ପାଉଛି। କିନ୍ତୁ ଏଠାରେ ଅସମାନତା ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ। ଲିଙ୍ଗଗତ ବୈଷମ୍ୟ ଯୋଗୁ ମାନବ ବିକାଶ ପ୍ରଭାବିତ ହେଉଛି। ଆର୍ଥିକ କ୍ଷେତ୍ରରେ ମହିଳାଙ୍କ ସଂପୃକ୍ତି କମ୍ ରହିବାରୁ ଅସମାନତା ହାର ବୃଦ୍ଧି ପାଉଛି ବୋଲି ସେ ଦର୍ଶାଇଛନ୍ତି।