ମୁହଁରେ କପଡା ବାନ୍ଧି ଗାଡି ଚଳାଇଲେ ହୋଇପାରେ ଜେଲ୍ ! ବାଦପଡିବେନି ମହିଳା, ମୋଟର ଯାନ ଆକ୍ଟ ଆଧାରରେ ମିଳିବ ଦଣ୍ଡ

213

ଏଣିକି ଯଦି ମୁହଁରେ କପଡା ବାନ୍ଧି ଗାଡି ଚଳାଉଥିବା ବେଳେ ଧରାପଡନ୍ତି ତେବେ ଆପଣଙ୍କୁ ଜେଲର ହାୱା ଖାଇବାକୁ ପଡିବ । ତେବେ ଏଭଳି କଡା ନିୟମ ହରିୟାଣାର ଜଲନ୍ଦରରେ ଲାଗୁ ହୋଇଛି । ଏସଂପର୍କରେ ଜିଲ୍ଲା ପ୍ରଶାସନ ତରଫରୁ ଏକ ନିର୍ଦ୍ଦେଶମାନା ମଧ୍ୟ ଜାରି କରାଯାଇଛି । ସୀମାବର୍ତ୍ତୀ ଅଂଚଳ ହୋଇଥିବା ସହିତ ଆତଙ୍କବାଦୀ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି ।

ତେବେ ଏହି ନିର୍ଦ୍ଦେଶାନୁସାରେ ଯଦି କୌଣସି ପୁରୁଷ କିମ୍ବା ମହିଳା ମୁହଁରେ କପଡା ବାନ୍ଧି ଗାଡି ଚଳାଉଥିବା ଧରାପଡନ୍ତି ତେବେ ପୁଲିସ ଉକ୍ତ ଚାଳକ ତଥା ଉକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଧାରା ୧୮୮ ଅନୁସାରେ ମାମଲା ରୁଜୁ କରିବ ଏବଂ ଗାଡିକୁ ଉଠାଇ ନେଇଯିବ । ୧୮୮ ଧାରା ଅନୁସାରେ ମାମଲା ରୁଜୁ କରିବା ଦ୍ୱାରା ଏଥିରେ ଜାମିନ ପାଇଁ କୋର୍ଟର ଚକ୍କର କାଟିବାକୁ ପଡିପାରେ । ଆଉ ଯେପର୍ଯ୍ୟନ୍ତ ମାମଲାର ସମାଧାନ ନହୋଇଛି ସେପର୍ଯ୍ୟନ୍ତ ତାଙ୍କୁ ଜେଲ ହାଜତ ଭିତରେ ରହିବାକୁ ପଡିବ ।

ଏଠାରେ ଆମେ କହି ରଖୁଛୁ କି, ହରିୟାଣାରେ ପୂର୍ବରୁ ବି ଟ୍ରାଫିକ ପୁଲିସ ମୁହଁରେ କପଡା ବାନ୍ଧି ଗାଡି ଚଳାଉଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା ହେଲେ ବିରୋଧକୁ ନଜରରେ ରଖି ମାତ୍ର କିଛି ଦିନରେ ଏହାକୁ ବନ୍ଦ କରିଦିଆଯାଇଥିଲା । ଏବେ ଯେତେବେଳେ ଜିଲ୍ଲାପ୍ରଶାସନ ଏହା ଉପରେ ମୋହର ଲଗାଇଦେଇଛି ତେବେ ଟ୍ରାଫିକ୍ ପୁଲିସ ମଧ୍ୟ ଏହାକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଂଟା ଭିଡିଛି । ପୁଲିସ ପକ୍ଷରୁ କୁହାଯାଇଛି କି, ଅଧିକାଂଶ ସମୟରେ ମୁହଁରେ କପଡା ବନ୍ଧା ହେବା ଦ୍ୱାରା ଗାଡି ଚଳାଉଥିବା ବ୍ୟକ୍ତିବିଶେଷଙ୍କୁ ଚିହ୍ନି ହୋଇନଥାଏ । ଯାହାର ଲାଭ ଉଠାନ୍ତି କିଛି ଅସାମାଜିକ ତଥା ସନ୍ଧିଗ୍ଧ ବ୍ୟକ୍ତିମାନେ । ଏହାକୁ ନଜରରେ ରଖି ପ୍ରଥମେ ଚାଲାଣ କଟାଯିବାର ନିୟମ ରଖାଯାଇଥିଲା । ଆଉ ଯେତେବେଳେ ଏହାର କୌଣସି ପ୍ରଭାବ ପଡିନଥିଲା ତେଣୁ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏସଂପର୍କରେ ନିର୍ଦ୍ଦେଶମାନା ଜାରି କରାଯାଇଛି । ଯାହାଦ୍ୱାରା ମୁହଁରେ କପଡା ବାନ୍ଧି ଗାଡି ଚଳାଉଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ମାମଲା ରୁଜୁ କରାଯିବା ସହିତ ଉକ୍ତ ଗାଡିକୁ ଉଠାଇନେଇପାରେ ।

• ସୀମାବର୍ତ୍ତୀ ଅଂଚଳ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ଏଭଳି ନିଷ୍ପତି ନିଆଯାଇଛି ।

• ନିର୍ଦ୍ଦେଶ ମିଳିବା ପରେ ଖୁବ୍ ଶୀଘ୍ର ଏହି ଅଭିଯାନକୁ ଅତ୍ୟନ୍ତ କଡାକଡିର ସହ ନିଆଯିବ ବୋଲି ଟ୍ରାଫି୍କ ପୁଲିସ କହିଛି ।

• ସେହିପରି ଏହି ମାମଲାରେ ଉଭୟ ଯୁବତୀ ଏବଂ ମହିଳାମାନଙ୍କୁ ମଧ୍ୟ ଆଶ୍ୱସ୍ତି ମିଳିବ ନାହିଁ । ମୁହଁରେ କପଡା ବାନ୍ଧି ଯିଏବି ଦୁଇ ଚକିଆ ଯାନ ଚଲାଉଥିବାର ନଜର ଆସିବେ, ତାଙ୍କ ବିରୋଧରେ ମାମଲା ରୁଜୁ କରିବ ଟ୍ରାଫିକ ପୁଲିସ ।