ବ୍ୟବସାୟୀଙ୍କୁ ମୋଦୀଙ୍କ ଦୀପାବଳି ଭେଟି । ମାତ୍ର ୫୯ ମିନିଟରେ ମିଳିବ କୋଟିଏ ଟଙ୍କାର ଋଣ । ଜାଣନ୍ତୁ ଏଥିପାଇଁ କିଭଳି ଓ କେଉଁ ଦସ୍ତାବିଜ ଆବଶ୍ୟକ

ସତରେ କଣ ଏତେ ସହଜରେ ଏବଂ କମ୍ ସମୟରେ ଋଣ ମିଳିପାରିବ ।

198

କନକ ବ୍ୟୁରୋ: ଦେଶର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀଙ୍କ ପାଇଁ ଦୀପାବଳି ଉପହାର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମାତ୍ର ୫୯ ମିନିଟରେ ୧କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇଦେବାକୁ ବଡ଼ ଯୋଜନା କରିଛନ୍ତି କେନ୍ଦ୍ର ସରକାର । ଜଣଙ୍କୁ ବ୍ୟାଙ୍କରେ ପହଁଚିବା ପାଇଁ ଯେତିକି ସମୟ ଲାଗିବ ସେହି ସମୟ ମଧ୍ୟରେ କିଭଳି ଋଣ ପାଇ ପାରିବ ସେଥିପାଇଁ ବ୍ୟବସ୍ଥା କରାଯାଇଛି । ତେବେ ସତରେ କଣ ଏତେ ସହଜରେ ଏବଂ କମ୍ ସମୟରେ ଋଣ ମିଳିପାରିବ ।

କଥାରେ ଅଛି ବ୍ୟାଙ୍କକୁ ଦୌଡି ଦୌଡି ଜୋତା ଛିଡିଯିବ ପଛେ ଲୋନ ମିଳିବ ନାହିଁ । ଏହି ଭୟରେ ଅନେକ ବ୍ୟବସାୟୀ ବ୍ୟାଙ୍କ ଦୁଆର ମୁହଁ ମାଡନ୍ତି ନାହିଁ । ତେବେ ଦେଶର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀଙ୍କ ପାଇଁ ଆଗୁଆ ଦୀପାବଳି ଉପହାର ଘୋଷଣା କରିଛନ୍ତି ମୋଦି । ମାତ୍ର ୫୯ ମିନିଟରେ ୧କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇଦେବାକୁ ବଡ଼ ଯୋଜନା କରିଛନ୍ତି କେନ୍ଦ୍ର ସରକାର । ଏଥିପାଇଁ ଆରମ୍ଭ ହୋଇଛି ଏକ ୱେବ ପୋର୍ଟାଲ । www.psbloansin59minutes.com ପୋର୍ଟାଲ ଖୋଲିବା ପରେ ମିଳିଯିବ ସବୁ ସୂଚନା । ଜଣଙ୍କୁ ବ୍ୟାଙ୍କରେ ପହଁଚିବା ପାଇଁ ଯେତିକି ସମୟ ଲାଗିବ ସେହି ସମୟ ମଧ୍ୟରେ କିଭଳି ଋଣ ପାଇ ପାରିବ ସେଥିପାଇଁ ବ୍ୟବସ୍ଥା କରାଯାଇଛି ।

ନଜର ପକାଇବା ଋଣ ପାଇବାକୁ ହେଲେ ଆପଣଙ୍କୁ କଣ କରିବାକୁ ପଡିବ ଓ କେଉଁ କେଉଁ ଡକ୍ୟୁମେଂଟ ଦାଖଲ କରିବାକୁ ପଡିବ । ନିର୍ଦ୍ଧାରିତ ପୋର୍ଟାଲ ଖୋଲି ଆପଣଙ୍କୁ ଦେବାକୁ ପଡିବ ଏହିସବୁ ସୂଚନା ।

– ଜିଏସଟି ରିଟର୍ଣ୍ଣର ବିବରଣୀ

– ଆୟକର ରିଟର୍ଣ୍ଣର ପ୍ରମାଣ ପତ୍ର

– ଶେଷ ଛଅ ମାସର ବ୍ୟାଙ୍କ ଷ୍ଟେଟ୍ମେଂଟ

– ନିର୍ଦ୍ଦେଶକ/ ମାଲିକଙ୍କ ସବିଶେଷ ତଥ୍ୟ

– ପ୍ରୋଜେକ୍ଟ ବିବରଣୀ ଓ ଲୋନ୍ ପରିମାଣ

ଏହି ସବୁ ସୂଚନା ଦେବା ଆପଣ ଲୋନ୍ ପାଇଁ ଯୋଗ୍ୟ କି ନୁହେଁ ଜଣାପଡିଯିବ । ଆଉ ନୀତିଗତ ଭାବେ ବା ଇନ୍ପ୍ରିନ୍ସପୁଲ୍ ଲୋନ୍ ସାଙ୍କସନ୍ ହୋଇଯିବ । ତେବେ ସତରେ କଣ ଘଂଟାଏ ଭିତରେ ଲୋନ୍ ମିଳିଯିବ । ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଏହା ହିଁ ସବୁଠୁ ବଡ଼ ପ୍ରଶ୍ନ ।

୫୯ ମିନିଟ୍ ମଧ୍ୟରେ ଆପଣଙ୍କ ଏକାଉଂଟକୁ ଋଣ ରାଶି ଆସିଯିବ ନାହିଁ । ମାତ୍ର ଇନ୍ପ୍ରିନ୍ସପୁଲ୍ ଲୋନ୍ ବା ନୀତିଗତ ଭାବେ ଲୋନ୍ ପରିମାଣ ଜଣାଇ ଦିଆଯିବ । ଯଦି ଆପଣ ଋଣ ପାଇଁ ଅଯୋଗ୍ୟ, ତାହା ମଧ୍ୟ ଜାଣିପାରିବେ । ମାତ୍ର ଲୋନ୍ ପାଇଁ ଆଉ କିଛି ଦିନ ଅପେକ୍ଷା କରିବାକୁ ହେବ । ବ୍ୟାଙ୍କ୍ ଅଧିକାରୀ ଯାଂଚ କରି ଫିଲ୍ଡ ରିପୋର୍ଟ ଦେବା ପରେ ହିଁ ଲୋନ୍ ମିଳିବ । ତେବେ ଏହି ସ୍କିମର ଲାଭ ପାଇବାକୁ ହେଲେ ଇଂଟରନେଟ୍ ବ୍ୟାଙ୍କିଙ୍ଗ୍ କରୁଥିବା ନିହାତି ଆବଶ୍ୟକ । ଯଦି ଆପଣ ଏହି ଯୋଜନାରେ ଋଣ ନେବେ ତେବେ ୨ପ୍ରତିଶତ ସୁଧ ରିହାତି ମିଳିବ । ବ୍ୟବସାୟକୁ ସହଜ ଓ ସରଳ କରିବାକୁ ଆରମ୍ଭ ହୋଇଛି ଏହି ଯୋଜନା ।