ମୋଦି ସରକାରଙ୍କ ବଡ ନିଷ୍ପତି ! ସାଧାରଣ ଜନତାଙ୍କ ପାଇଁ କେତେ ଦୂର ଠିକ୍

32

ନଭେମ୍ବର ୮,୨୦୧୬ରେ ମୋଦି ସରକାରଙ୍କ ବିମୁଦ୍ରାକରଣ ନିଷ୍ପତି ପରେ ଭାରତରେ ଡିଜିଟାଲ୍ କାରବାର ଆଉ ଏକ ପାଦ ଆଗେଇଲା । ଏବଂ ଯାହା ଏକ ବୈପ୍ଳବିକ ପଦକ୍ଷେପ କହିଲେ ବୋଧ ହୁଏ କୌଣସି ଅତ୍ୟୃକ୍ତି ହେବ ନାହିଁ । କାରଣ ଏହା ପ୍ରତ୍ୟେକ ଭାରତୀୟଙ୍କ ମନରେ ଭରିଦେଇଛି ଅନେକ ଆଶା ଓ ଆଶଙ୍କା । ତେବେ ଡିଜିଟାଲ୍ କାରବାରର ମଧ୍ୟ ଅନେକ ଭଲ ଏବଂ ଖରାପ ଦିଗ ରହିଛି ।

• ଆର୍ଥିକ କାରବାରକୁ ସହଜ ଏବଂ ସୁବିଧାଜନକ କରିବା ହେଉଛି ମୋଦିଙ୍କର ଏହି କ୍ୟାସଲେସ୍ ବ୍ୟବସ୍ଥାର ଲକ୍ଷ୍ୟ । ମୋଦିଙ୍କ ଭାଷାରେ ଆପଣଙ୍କ ଆଙ୍ଗୁଳି ଟିପରେ ଆପଣ କରିପାରିବେ ଆର୍ଥିକ କାରବାର ।

• ଆପଣ ନିଜର ଆୟ ଅନୁସାରେ ବ୍ୟୟ କରିବା ପାଇଁ ଆକଳନ କରିପାରିବେ । ଡିଜିଟାଲ ଭାବେ ଆପଣ ନିଜର ବଜେଟକୁ ବିଶ୍ଳେଷଣ ସହଜରେ କରିପାରିବେ ।

• ଡିଜିଟାଲ କାରବାର ପାଇଁ ଉର୍ଦ୍ଦିଷ୍ଟ କାର୍ଡ କିମ୍ବା ମୋବାଇଲ ୱାଲେଟକୁ କୌଣସି ଅସୁବିଧା ହେଲେ ଆପଣ ସେଗୁଡିକୁ ବନ୍ଦ କରିପାରିବେ । ଏଥିସହ ଆପଣଙ୍କୁ ବଜାରକୁ ଅଧିକ ଟଙ୍କା ନେଇ ଯିବାକୁ ପଡିବ ନାହିଁ କି କୌଣସି ମନ୍ଦ ବ୍ୟକ୍ତିଙ୍କ ଶିକାର ମଧ୍ୟ ହେବାକୁ ପଡିବ ନାହିଁ । କାରଣ ଆପଣଙ୍କ କ୍ୟାସ୍ ଥରେ ହଜିଲେ ତାହା ମିଳିବା କଷ୍ଟକର ହୋଇଥାଏ ।

• ଏହାଛଡା ଆପଣଙ୍କୁ ଆଉ ଟଙ୍କା ଉଠାଇବାକୁ ବାରମ୍ବାର ବ୍ୟାଙ୍କ କିମ୍ବା ଏଟିଏମକୁ ଯିବାକୁ ପଡିବ ନାହିଁ । ସବୁଠାରୁ ବଡକଥା ହେଲା ଧାର ଉଧାରର ମାତ୍ରା ମଧ୍ୟ ଏହି ବ୍ୟବସ୍ଥା ଦ୍ୱାରା କମ୍ ହୋଇଯିବ । ଏହାସହ ଆପଣଙ୍କର ଯେତିକି ଆବଶ୍ୟକ ଆପଣ ସେତିକି ପରିମାଣର ଖୁଚୁରା ଟଙ୍କା ଖର୍ଚ୍ଚ କରିପାରିବେ ।

ତେବେ ଏସମସ୍ତ ଥିଲା ତ କ୍ୟାସଲେସ୍ କାରବାରର ଭଲ ଦିଗ । ମାତ୍ର ଏହାର ମଧ୍ୟ ଅନେକ ଖରାପ ଦିଗ ରହିଛି ତେବେ ଆସନ୍ତୁ ଜାଣିବା ସେ ସଂପର୍କରେ ।

• ଆପଣ ଅନଲାଇନ୍ ଠକେଇର ଶିକାର ହୋଇପାରନ୍ତି । ଡିଜିଟାଲ କାରବାର ହେବାଦ୍ୱାରା ହ୍ୟାକରଙ୍କ ନଜର ଆପଣଙ୍କ ଟଙ୍କା ଉପରେ ପଡିଥାଏ ।

• ଆପଣଙ୍କ ନିୟନ୍ତ୍ରଣରେ ରହିବ ନାହିଁ ଆପଣଙ୍କ ଟଙ୍କା ତଥା ଖର୍ଚ୍ଚ । ବରଂ ଏଥିପାଇଁ ଆପଣଙ୍କୁ ସବୁବେଳେ ତୃତୀୟ ପକ୍ଷ ଉପରେ ନିର୍ଭର କରିବାକୁ ପଡିବ । କାରଣ ଆପଣଙ୍କ ଟଙ୍କା ବ୍ୟାଙ୍କ ଏବଂ ସରକାରଙ୍କ ନିୟନ୍ତ୍ରଣରେ ରହିବ ।

• ମୋବାଇଲ ତଥା ଇଂଟରନେଟ୍ ଉପରେ କମ୍ ଜ୍ଞାନକୌଶଳ କାରଣରୁ ଗରିବ, ପଛୁଆ ଏବଂ ଅପହଂଚ ଅଂଚଳରେ ବାସକରୁଥିବା ଲୋକଙ୍କ ପାଇଁ ଏହା ଏକ ବଡ ସମସ୍ୟା ହୋଇପାରେ ।