ସାଧାରଣ ଜନତାଙ୍କ ଉପରେ ମହଙ୍ଗା ମାଡ । ଆଉ କମିବନି ପେଟ୍ରୋଲ-ଡିଜେଲ ମୂଲ୍ୟ । ଜାଣନ୍ତୁ କେତେ ବଢିପାରେ ତେଲ ଦର

26

ସରିଛି କର୍ଣ୍ଣାଟକର ମହାଲଢେଇ । କର୍ଣ୍ଣାଟକର କିଙ୍ଗ୍ କିଏ ହେବ? ଏକ୍ଜିଟ୍ ପୋଲ ସର୍ଭେ ପରେ ବଢିଯାଇଛି ଦ୍ୱନ୍ଦ୍ୱ । ତେବେ ଭୋଟ ଶେଷ ହେବା ପରେ ବିଭିନ୍ନ ସର୍ଭେ ସଂସ୍ଥା ପକ୍ଷରୁ ପ୍ରକାଶ ପାଇଥିବା ଏକଜିଟ୍ ପୋଲ୍ ରିପୋର୍ଟ ସମସ୍ତଙ୍କୁ ଆଶଙ୍କାରେ ପକାଇ ଦେଇଛି । ଯାହାର ବେଶି ପ୍ରଭାବ ଏବେ ପଡିପାରେ ସାଧାରଣ ଜନତାଙ୍କ ପକେଟ୍ ଉପରେ । ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବର ମୁତାବକ, ଅଏଲ ମାର୍କେଟିଂ କଂପାନୀ ତଥା ଏଚପିସିଏଲ, ବିପିସିଏଲ, ଆଇଓସି ଭଳି କଂପାନୀମାନେ କର୍ଣ୍ଣାଟକ ନିର୍ବାଚନ ପରେ ପେଟ୍ରୋଲ ଡିଜେଲ ଦରଦାମ ଅଭିବୃଦ୍ଧି ଉପରେ ବିଚାର କରୁଛନ୍ତି । ଆପଣଙ୍କୁ ଏଠାରେ ଆମେ କହି ରଖୁଛୁ କି, ୨୪ ଏପ୍ରିଲରୁ ପେଟ୍ରୋଲିୟମ ପ୍ରଡକ୍ଟର ଦାମରେ ଅନେକ ଅଭିବୃଦ୍ଧି ଘଟିଛି । ଯେବେକି ଇଂଟରନ୍ୟାସନାଲ ମାର୍କେଟରେ ଉତ୍ପାଦିତ ତୈଳ ସାଢେ ୩ ବର୍ଷର ମଧ୍ୟରେ ଉଚ୍ଚତର ରହିଛି । ସେହିପରି ଭାରତୀୟ ମୁଦ୍ରା ୧୫ ମାସ ଭିତରେ ମଧ୍ୟ ନିମ୍ନ ସ୍ତରରେ ରହିଛି । ଯାହା ସ୍ପଷ୍ଟ କରୁଛି କି, ମୁଦ୍ରାର ହ୍ରାସତା କାରଣରୁ ଉତ୍ପାଦିତ ତୈଳ ବିଦେଶୀ ବଜାରରୁ କିଣିବା ମହଙ୍ଗା ହୋଇପଡିଥିବା ବେଳେ ଏଭଳି ପରିସ୍ଥିତିରେ କଂପାନୀମାନେ ପେଟ୍ରୋଲ-ଡିଜେଲ ଦର ମହଙ୍ଗା କରିପାରନ୍ତି ।

ସୂଚନା ମୁତାବକ, ୧୫ ମଇରୁ ଉଭୟ ପେଟ୍ରୋଲ ଏବଂ ଡିଜେଲ ଦରଦାମ ବୃଦ୍ଧି ପାଇବା ଏକପ୍ରକାରେ ସୁନିଶ୍ଚିତ । ଯଦିଓ ଏହା କେତେ ମାତ୍ରାରେ ବୃଦ୍ଧି ପାଇବ ସେନେଇ କିଛି କହିବା ମୁସ୍କିଲ ହୋଇପଡିଛି । ତେବେ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରାୟତଃ ଏହା ଅନୁମାନ କରାଯାଇପାରିବ କି କଂପାନୀମାନେ ଉଭୟ ପେଟ୍ରୋଲ ଓ ଡିଜେଲ ଉପରେ ୧-୧.୫ ଟଙ୍କା ଲିଟର ପିଛା ବୃଦ୍ଧି କରିପାରନ୍ତି ।

ନିର୍ବାଚନ ସମୟରେ କାହିଁକି ବଢେନି ପେଟ୍ରୋଲ ଦର

ବିଶେଷଜ୍ଞଙ୍କ କହିବା ଅନୁସାରେ ଇଣ୍ଡିଆନ ଅଏଲ , ଭାରତ ପେଟ୍ରୋଲିୟମ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମର ୯୦ ପ୍ରତିଶତ ଇନ୍ଧନ ରିଟେଲିଂରେ ନିୟନ୍ତ୍ରଣ ହୋଇଥାଏ । ଗଣମାଧ୍ୟମ ରିପୋର୍ଟରୁ ପ୍ରକାଶ , ସରକାରଙ୍କ କହିବା ଅନୁସାରେ ଦରଦାମର ସଂଶୋଧନ କରାଯାଏ । କିନ୍ତୁ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଖଣ୍ଡନ କରି କହିଛନ୍ତି କର୍ଣ୍ଣାଟକ ନିର୍ବାଚନକୁ ନେଇ ସରକାରଙ୍କ ତରଫରୁ ପେଟ୍ରୋଲରୁ ଉତ୍ପାଦିତ ତୈଳର ଦରଦାମରେ ଅଦଳବଦଳ କରିବା ପାଇଁ କୌଣସି ନିର୍ଦ୍ଦେଶ ଜାରି କରାଯାଇ ନାହିଁ ।

ଚାରୋଟି ମହାନଗରରେ ବଢିନି ପେଟ୍ରୋଲ ଦର 

ଏକ ରିପୋର୍ଟ ଅନୁସାରେ, ଏପ୍ରିଲ ୨୪ ରୁ ୨୯ ତାରିଖ ମଧ୍ୟରେ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୭୪.୬୩ ଥିବା ବେଳେ ଡିଜେଲ ଦର ଲିଟର ପିଛା ୬୫.୯୩ ଟଙ୍କା ରହିଥିଲା । ଠିକ ସେହିଭଳି କୋଲକାତାରେ ପେଟ୍ରୋଲ ଏବଂ ଡିଜେଲ ଦର କ୍ରମଶଃ ୭୭.୩୨ ଏବଂ ୬୮.୬୩ ପ୍ରତି ଲିଟର ହିସାବରେ ରହିଥିଲା । କେବଳ ସେତିକି ନୁହେଁ ମୁମ୍ବାଇରେ ୮୨.୪୮ ଏବଂ ୭୦.୨ ଟଙ୍କା ପ୍ରତି ଲିଟର ଏବଂ ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୭୭.୪୩ ଟଙ୍କା ଥିବା ବେଳେ ଡିଜେଲ ଲିଟର ୬୯.୫୬ ଟଙ୍କା ରହିଥିଲା । ପେଟ୍ରୋଲ ଏବଂ ଡିଜେଲ ଉପରୁ ସରକାରଙ୍କ ନିୟନ୍ତ୍ରଣ ବହୁ ପୂର୍ବରୁ ଉଠିଯାଇଥିଲା । କିନ୍ତୁ ସନ୍ଦେହ କରାଯାଏ, ନିର୍ବାଚନ ସମୟରେ ସରକାର କମ୍ପାନୀ ମାନଙ୍କୁ ତୈଳର ଦରଦାମକୁ କିଛି ମାତ୍ରାରେ କମାଇ ଦେବା ପାଇଁ କହିଥାନ୍ତି । ଏବଂ ନିର୍ବାଚନ ପରେ ପୂନର୍ବାର ଦରଦାମକୁ ବଢାଇ ଦେଇଥାନ୍ତି ।

ଗୁଜୁରାଟ ନିର୍ବାଚନ ସମୟରେ ସ୍ଥିର ହୋଇଥିବା ଦରଦାମ 

ବିଶୋଦ୍ଧିତ ତୈଳକୁ ଦେଖି ପେଟ୍ରୋଲ ଏବଂ ଡିଜେଲର ଦର ପ୍ରତିଦିନ ନିର୍ଦ୍ଧାରିତ କରାଯାଇଥାଏ । ତେବେ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ଡିସେମ୍ବର ୨୦୧୭ ରେ ବିଧାନସଭା ନିର୍ବାଚନ ହୋଇଥିଲା । ଡିସେମ୍ବର ପୂର୍ବରୁ ଇଣ୍ଡିଆନ ଅଏଲ ୧୫ ଦିନ ପ୍ରାୟ ୧ ରୁ ୩ ପଇସା ପର୍ଯ୍ୟନ୍ତ ଇନ୍ଧନର ଦାମ ବଢାଇଥିଲା । କିନ୍ତୁ ନିର୍ବାଚନ ପରେ ଇନ୍ଧନର ଦର ଅଧିକରୁ ଅଧିକ ବୃଦ୍ଧି ପାଇବାର ଦେଖାଦେଇଥିଲା । ତେଣୁ ଲୋକ ମାନେ ଏହି ପ୍ରକ୍ରିୟାକୁ ସରକାରଙ୍କ ଏକ ଚାଲ ବୋଲି କହୁଥିବା ବେଳେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଖଣ୍ଡନ କରିଥିଲେ ।