ଖୁବଶୀଘ୍ର ହୋଇପାରେ ପେଟ୍ରୋଲ୍, ଡିଜେଲର ‘ହୋମ୍ ଡେଲିଭରି’ ବ୍ୟବସ୍ଥା !

37

ସରକାର ଗତ ଶୁକ୍ରବାରଠାରୁ ଦୈନିକ ପେଟ୍ରୋଲ୍ ଏବଂ ଡିଜେଲ୍ ଦର ସଂଶୋଧନ ବ୍ୟବସ୍ଥା ପ୍ରଚଳନ କରିଛନ୍ତି । ଏବେ ଅନ୍ୟ ଏକ ଯୋଜନା ଉପରେ ମଧ୍ୟ କାର୍ଯ୍ୟ ହୋଇ ଆରମ୍ଭ ହୋଇଗଲାଣି । ତାହା ହେଉଛି, ପେଟ୍ରୋଲ୍ ଏବଂ ଡିଜେଲର ‘ହୋମ୍ ଡେଲିଭରି’ ବ୍ୟବସ୍ଥା । ଏହି ସେବା ଉପଲବ୍ଧ କରିବା ସହ ଜରୁରୀ ସ୍ଥଳରେ ଫୋନ୍ କଲରେ ମଧ୍ୟ ଇନ୍ଧନ ଯୋଗାଇବାକୁ ବିଚାର କରାଯାଉଛି । ତେବେ ଯଦି କୋଣସି ବ୍ୟକ୍ତିଙ୍କ ଗାଡିରୁ ଅଧାବାଟରେ ଇନ୍ଧନ ସରିଯାଏ ତା’ହେଲେ ଗୋଟିଏ ଫୋନ କଲରେ ତାଙ୍କ ନିକଟରେ ଇନ୍ଧନ ପହଂଚାଇ ଦିଆଯିବ ।

ତେବେ ଏସବୁ ପାଇଁ ନିଶ୍ଚୟ ଭାବେ ଡେଲିଭରି ଚାର୍ଜ ନିଆଯିବ । ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ପେଟ୍ରୋଲିୟମ ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଗଲାଣି । ଯୋଜନା ମଡେଲ କିପରି ହେବ ତାହା ନେଇ ଏବେ ଚିଠା ପ୍ରସ୍ତୁତ କରାଯାଉଛି । ତେବେ ବିଶେଷ ସୂତ୍ରରୁ ଅନୁମାନ କରାଯାଉଛି ଯେ, ୩ରୁ ୪ ମାସ ମଧ୍ୟରେ ଏହା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇପାରେ ।

ଏହି ସେବା ୨୪ ଘଂଟା ପ୍ରଦାନ କରାଯିବ । ପେଟ୍ରୋଲିୟମ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କ କହିବା ଅନୁଯାୟୀ, ଏହି ଯୋଜନାକୁ ଲାଗୁ କରିବାଦ୍ୱାରା ପେଟ୍ରୋଲିୟମ୍ ଶିଳ୍ପର ରାଜସ୍ୱ ବଢିବା ସହିତ ନିଯୁକ୍ତ ମଧ୍ୟ ବୃଦ୍ଧି ପାଇବ । ତେବେ ଏହି ଯୋଜନାକୁ ଆରମ୍ଭ କରିବା ପାଇଁ ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ଦୁଇଟି ମଡେଲ୍ ଉପରେ ଏବେ ବିଚାର କରୁଛି । ପ୍ରଥମଟି ହେଉଛି, ଏହାକୁ ପେଟ୍ରୋଲ୍ ପମ୍ପ ଡିଲରମାନଙ୍କ ମାଧ୍ୟମରେ ଲାଗୁ କରାଯିବ ଏବଂ ଦ୍ୱିତୀୟ ମଡେଲଟି ହେଲା, ଏଥିରେ ଘରୋଇ ଶିଳ୍ପର କଂପାନୀମାନଙ୍କୁ ମଧ୍ୟ ସାମିଲ କରାଯିବ ।

ତେବେ ଘରୋଇ କଂପାନୀଗୁଡିକୁ ପେଟ୍ରୋଲିୟମ୍ କଂପାନୀଗୁଡିକ ପେଟ୍ରୋଲ୍ ଓ ଡିଜେଲ୍ ଯୋଗାଇବେ । ଏହାପରେ ଡେଲିଭରି କାର୍ଯ୍ୟ ଘରୋଇ କଂପାନୀଗୁଡିକ ଉପରେ ଛଡାଯିବ । ଡେଲିଭରି ଚାର୍ଜ କିଲୋମିଟର ହିସାବରେ ନିର୍ଦ୍ଧାରଣ କରାଯିବ । କିନ୍ତୁ ଏଥିପାଇଁ ୱେରହାଉସ୍ ଥିବା ନିତାନ୍ତ ଆବଶ୍ୟକ । ତା’ସହିତ ଡେଲିଭରି ଦାୟିତ୍ୱ ଅଂଚଳ ହିସାବରେ ଦିଆଯିବ । ଏଥିପାଇଁ ଏକ ପୂର୍ଣ୍ଣାଙ୍ଗଯୋଜନାର ଆବଶ୍ୟକତା ରହିଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଡେଲିଭରି ଚାର୍ଜ ସମସ୍ତଙ୍କ ସହମତିରେ ନିର୍ଦ୍ଧାରଣ କରାଯିବ । ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ସୂତ୍ର ଅନୁସାରେ, ପେଟ୍ରୋଲ ଏବଂ ଡିଜେଲର ହୋମ୍ ଡେଲିଭରିରେ କୌଣସି ପ୍ରକାରର ଜାଲିଆତି ଯେପରି ନହେବ ସେଥିପାଇଁ ମଧ୍ୟ ବ୍ୟବସ୍ଥା କରାଯିବ ।

ଏହାସହ ମଧ୍ୟ ପଢନ୍ତୁ- ବିରାଟଙ୍କ ବିରାଟ ସତ୍ୟ ! ଜାଣନ୍ତୁ କାହିଁକି ୧୮ ନମ୍ବର ଥିବା ପୋଷାକ ପିନ୍ଧନ୍ତି କୋହଲି