ଭାରତରେ ହେଲା ପାକିସ୍ତାନ ଶିଶୁର ସଫଳ ଚିକିତ୍ସା । ଭାବୁକ ହୋଇ ବାପା କହିଲେ,‘ଧନ୍ୟବାଦ ହିନ୍ଦୁସ୍ତାନ’

58

ପାକିସ୍ତାନରେ ବାସକରୁଥିବା ମାତ୍ର ୩ ମାସର ଶିଶୁ ରୋହାନଙ୍କ ହାର୍ଟ ଅପରେସନ ଭାରତରେ ଶେଷ ହୋଇଛି ଏବଂ ସେ ଏବେ ସଂପୂର୍ଣ୍ଣ ରୂପେ ସୁସ୍ଥ ମଧ୍ୟ ଅଛନ୍ତି । ତେବେ ରୋହାନଙ୍କ ସୁସ୍ଥ ପରେ ତାଙ୍କ ବାପା ଅତ୍ୟନ୍ତ ଭାବବିହ୍ୱଳ ହୋଇ ପଡିବା ସହ ଭାରତକୁ କୃତଜ୍ଞତା ଜଣାଇଛନ୍ତି ।

ସୂଚନା ମୁତାବକ, ରୋହାନଙ୍କ ହାର୍ଟରେ ଗୋଟିଏ କି ଦୁଇଟା ନୁହେଁ ବରଂ ୭ଟି ଛିଦ୍ର ରହିଥିଲା । ଯାହାର ଚିକିତ୍ସା ପାକିସ୍ତାନରେ ହୋଇଥିଲା ସତ ମାତ୍ର ସେଥିରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ବି ପରିବର୍ତ୍ତନ ଦେଖାଦେଇନଥିଲା । ଏହାପରେ ରୋହାନଙ୍କ ବାପା କନୱାଲ୍ ସାଡିକ୍ ପୁଅର ଚିକିତ୍ସା ପାଇଁ ଭାରତକୁ ହିଁ ଚୟନ କରିଥିଲେ । କିନ୍ତୁ ଭାରତର ମେଡିକାଲ ଭିସା ପାଇବା ତାଙ୍କ ପାଇଁରେ ଏତେ ସହଜ ହୋଇନଥିଲା । ଯେଉଁଥିପାଇଁ କନୱାଲ୍ ସୋସିଆଲ ମିଡିଆରେ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ସାହାର୍ଯ୍ୟ ମାଗିଥିଲେ ଏବଂ ତାଙ୍କୁ ଭାରତ ଆସିବାକୁ ଅନୁମତି ମିଳିଯାଇଥିଲା ।

ଏହାପରେ ରୋହାନଙ୍କୁ ନୋଇଡାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ଆଜି ରୋହାନ ସଂପୂର୍ଣ୍ଣ ଭାବରେ ସୁସ୍ଥ ହୋଇଯାଇଛନ୍ତି ଆଉ ନିଜ ଦେଶକୁ ଫେରୁଛନ୍ତି । ତେବେ ବିଦାୟଅବସରରେ ରୋହାନଙ୍କ ବାପା କନୱାଲ୍ ସାଡିକ୍ ଭାରତକୁ ଧନ୍ୟବାଦ ଜଣାଇବା ସହ ଅତ୍ୟନ୍ତ ଭାବୁକ ହୋଇପଡିଥିଲେ ।

ଡାକ୍ତରଙ୍କ କହିବା କଥା ହେଲା, ଯେତେବେଳେ ରୋହାନ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ସେତେବେଳେ ତାଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଥିଲା ଏବଂ ତାଙ୍କର ଚିକିତ୍ସା ଏତେ ସହଜ ମଧ୍ୟ ନଥିଲା । କିନ୍ତୁ ବହୁ ପରିଶ୍ରମ ପରେ ଆମ ଟିମ୍ ରୋହାନର ଅପରେସନ କରିଥିଲେ । ଯାହାଦ୍ୱାରା ସେ ଏବେ ସଂପୂର୍ଣ୍ଣ ରୂପେ ଠିକ୍ ହୋଇଯାଇଛନ୍ତି ।

ରୋହାନଙ୍କ ବାପା କନୱାଲ୍ ସାଡିକ୍ ପୁଣି ମଧ୍ୟ କହିଥିଲେ କି, ଯଦିଓ ଲୋକମାନଙ୍କ ମନରେ ପାକିସ୍ତାନକୁ ନେଇ ଅନେକ ଭୁଲ ଧାରଣା ଥାଇପାରେ କିନ୍ତୁ ଭାରତ ଏବଂ ପାକିସ୍ତାନରେ ବାସ କରୁଥିବା ଲୋକମାନେ ସବୁବେଳେ ପରସ୍ପରର ଭଲ କଥା ହିଁ ଚିନ୍ତା କରନ୍ତି । ତେବେ ଏକଥାରୁ ଗୋଟିଏ କଥା ପ୍ରମାଣିତ ହେଲା କି, ସଂପର୍କ ନିଭାଇବାରେ ସବୁବେଳେ ଆଗରେ ରହିଛି ଭାରତ ।

ସୌଜନ୍ୟ: ଇଣ୍ଡିଆନ୍ ଏକ୍ସପ୍ରେସ୍