ତାତିର ନାଁ ‘ପଦ୍ମାବତୀ’! ବିବାଦ ଘେରରେ ସଂଜୟ ଲୀଳା ଭନସାଲୀଙ୍କ ନିର୍ଦ୍ଦେଶିତ ସିନେମା, ରିଲିଜକୁ ନେଇ ବଢିଲା ଆଶଙ୍କା

79

ପଦ୍ମାବତୀକୁ ନେଇ କମୁନି କରଣି ସେନାର ବିରୋଧ ଓ ବିକ୍ଷୋଭ । ସାରା ଦେଶରେ ହୁତୁହୁତୁ ହୋଇ ଜଳୁଛି ପଦ୍ମାବତୀ ବିବାଦର ନିଆଁ । ସୁଟିଂ ସେଟରୁ ଆରମ୍ଭ ହୋଇଥିବା ଏହି ବିରୋଧ ଏବେ ସିନେମାଟିର ରିଲିଜକୁ ଆଶଙ୍କାରେ ପକାଇଛି । ରାଜସ୍ଥାନରୁ ଆରମ୍ଭ ହୋଇଥିବା ବିରୋଧ ଏବେ ରାଜ୍ୟ ଡେଇଁ ଭାରତର ବିଭିନ୍ନ ସ୍ଥାନକୁ ବ୍ୟାପିଛି ।

ସଂଜୟ ଲୀଳା ଭନସାଲୀଙ୍କ ମୁଣ୍ଡ ଓ ଦୀପିକା ପାଦୁକୋନଙ୍କ ନାକ କାଟିବା ଧମକ ପରେ ଶୁକ୍ରବାର ଚିତ୍ତୋରଗଡ଼ କିଲ୍ଲାକୁ ବନ୍ଦ କରିଦେଇଛନ୍ତି ଆନ୍ଦୋଳନକାରୀ । ସିନେମା ପଦ୍ମାବତୀର ରିଲିଜ ଡେଟ୍ ଯେତିକି ପାଖେଇ ଆସୁଛି, ସେତିକି ଜୋରଦାର ହେଉଛି ବିରୋଧ । କେଉଁଠି ଜୋରଦାର ନାରାବାଜି ତ ପୁଣି କେଉଁଠି ହୋମଯଜ୍ଞ ଓ ହରତାଲ । ଚିତୋରଗଡ କିଲ୍ଲା ବାହାରେ କରଣି ସେନା ଧାରଣାରେ ବସିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କିଲ୍ଲାକୁ ଅନିଦ୍ଧିଷ୍ଟକାଳ ଯାଏଁ ବନ୍ଦ କରିଦେଇଛି କରନି ସେନା । ରାଜସ୍ଥାନରୁ ତାମିଲନାଡୁ ପର୍ଯ୍ୟନ୍ତ ବ୍ୟାପିଛି ଅସନ୍ତୋଷର ନିଆଁ ।

ସେହିପରି ଏଥରେ ସାମିଲ ହୋଇଛି ଶିବସେନା । ହୋମଯଜ୍ଞ କରି ଫିଲ୍ମକୁ ଶିବସେନା ବିରୋଧ କରିଥିବା ବେଳେ ରାଜପୁତ ପରିବାର ମହିଳାମାନେ ବି ଅସନ୍ତୋଷ ଜାହିର କରିଛନ୍ତି । ଜୟପୁରରେ ସିନେମା ଓ କଳାକାରଙ୍କ ପୋଷ୍ଟର ଜାଳି ଆକ୍ରୋଶ ପ୍ରକାଶ କରିଛନ୍ତି ବିଭିନ୍ନ ସଂଗଠନ । ସେପଟେ ଅଭିନେତ୍ରୀ ଦୀପିକାଙ୍କ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ଏହି ଚଳଚିତ୍ରରେ ଆକ୍ରମଣକାରୀ ସୁଲତାନ ଆଲ୍ଲାଉଦ୍ଦିନ ଖିଲଜି ଓ ରାଣୀ ପଦ୍ମାବତୀ ମଧ୍ୟରେ ଏକ କାଳ୍ପନିକ ରୋମାଂଟିକ୍ ସିନ୍ ଏବଂ ରାଜସଭାରେ ପଦ୍ମାବତୀ ନାଚୁଥିବା ଦୃଶ୍ୟକୁ ହଜମ କରିପାରୁନାହାନ୍ତି ରାଜପୁତ ସଂଗଠନ । ସିନେମା ପ୍ରମୋସନ ପାଇଁ ଟ୍ରେଲର ରିଲିଜ ପରେ ହିଁ ଜୋରଦାର ବିରୋଧ ଜାରି ରହିଛି । ପଦ୍ମାବତୀ ବିରୋଧରେ ରାଜପୁତ ସମାଜ ସହ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ମଧ୍ୟ ସାମିଲ ହୋଇଛନ୍ତି ।

ସେପଟେ ଅଭିନେତା ସଲମାନ ଖାନ୍, ନିଦ୍ଦେର୍ଶକ କରନ ଜୋହର ଆଦି ବଲିଉଡ୍ ସେଲିବ୍ରିଟି ଭନସାଲୀଙ୍କୁ ସମର୍ଥନ ଜଣାଇଛନ୍ତି । ଏହି ଚଳଚିତ୍ର ଡିସେମ୍ବର ୧ରେ ରିଲିଜ ହେବା ସମ୍ଭାବନା ରହିଛି । ତେବେ ସିନେମା ରିଲିଜ ହେଲେ ଦେଶବ୍ୟାପୀ ବନ୍ଦ ପାଳନ ସହ ବ୍ୟାପକ ହିଂସାକାଣ୍ଡ ଘଟିବ ବୋଲି ଧମକ ଦେଇଛି କରଣି ସେନା ।