ସାରା ଭାରତବର୍ଷରେ ଭିନ୍ନ ଭିନ୍ନ ନାମ ଏବଂ ଢଙ୍ଗରେ ପାଳିତ ହେଉଥିବା ଏହି ପର୍ବଟି ସୁଖ,ସମୃଦ୍ଧି ଓ ସୌଭାଗ୍ୟ ସହିତ ବହୁଳ ଭାବେ ଜଡିତ । ଓଡିଶାର ପାରମ୍ପରିକ ପରିବେଶରେ ଏହି ଦିନଟିର ବହୁ ମହାତ୍ମ୍ୟ ରହିଛି । ବିଶେଷ କରି କୃଷି ପ୍ରାଧାନ୍ୟ ରାଜ୍ୟ ହୋଇଥିବାରୁ କୃଷି ଭିତ୍ତିକ କାର୍ଯ୍ୟର ଶୁଭାରମ୍ଭ କରାଯାଇଥାଏ । ମୁଠି ଅନୁକୂଳ ଭାବେ ପରିଚିତ ଏହି ଦିନରେ ଚାଷୀମାନେ ନୂଆ ଧାନ ନେଇ ନିଜ କ୍ଷେତରେ ବୁଣି ହଳ କରିଥାନ୍ତି । ଏଥିସହ ଧରିତ୍ରୀ ମାତା ଓ ଭୂମିଜାଙ୍କର ଆର୍ଶୀବାଦ ଭକ୍ଷା ମଧ୍ୟ କରିଥାନ୍ତି ।

ନାମକରଣ ଅନୁଯାୟୀ,ଏହି ଦିନର ମହତ୍ୱ ହେଲା, ମନୁଷ୍ୟ ସମାଜରେ ସୁଖ,ସମୃଦ୍ଧିର ଆରମ୍ଭ ହେଉ କିନ୍ତୁ ତାହା ଅକ୍ଷୟ ରହୁ । ଧାର୍ମିକ ପରଂପରା ଅନୁସାରେ, ଏହି ଦିନ ଓଡିଆଙ୍କ ଇଷ୍ଟଦେବ ଶ୍ରୀ ଜଗନ୍ନାଥଙ୍କ ୪୨ ଦିନ ବ୍ୟାପି ଚାଲିବାକୁ ଥିବା ଚନ୍ଦନ ଯାତ୍ରାର ଶୁଭାରମ୍ଭ ହୋଇଥାଏ । ଏବଂ ରଥ ଯାତ୍ରା ପାଇଁ ରଥ କାର୍ଯ୍ୟର ତଥା କାଠର ଶୁଭଅନୁକୂଳ କରାଯାଇଥାଏ ।

ଯେକୌଣସି ନୂତନ କାର୍ଯ୍ୟର ଶୁଭାରମ୍ଭ ତଥା ଯେପରି ଗୃହାରମ୍ଭ, ନୂଆ ଗହଣା କିଣିବା, ନୂଆ କରି ବ୍ୟବସାୟ ଆରମ୍ଭ କରିବା ଆଦି ଏହି ଦିନରେ ଆରମ୍ଭ କରିବା ଦ୍ୱାରା ଏହା ଶୁଭ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଶାସ୍ତ୍ର ଅନୁସାରେ ,ଏହି ଦିନରେ ତ୍ରେତୟା ଯୁଗର ଆରମ୍ଭ ଏବଂ ମୁନୀ ବେଦବ୍ୟାସଙ୍କ ତତ୍ୱାବଧାନରେ ଗଜାନନ ଶ୍ରୀ ଗଣେଶ ଭାରତର ମହାନଗାଥା ତଥା ‘ମହାଭାରତ’ର ଲେଖା ଆରମ୍ଭ କରିଥିଲେ ବୋଲି ବିଶ୍ୱାସ ମଧ୍ୟ ରହିଛି ।