କ୍ରିକେଟର ରାୟଡୁଙ୍କୁ ବଡ ଅଫର । ନିଜ ଟିମ୍ ପାଇଁ ଖେଳିବାକୁ ଅଫର ଦେଲା ଏହି ଦେଶ?

6,266

ଟିମ ଇଣ୍ଡିଆର ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଅମ୍ବାତି ରାୟଡୁ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଆଉ ଏହାସହ ଭାରତ ପାଇଁ ବିଶ୍ୱକପ ଖେଳିବାର ସ୍ୱପ୍ନ ମଧ୍ୟ ରାୟଡୁଙ୍କର ଅଧୁରା ରହିଛି । ଭାରତର ବିଶ୍ୱକପ କ୍ରିକେଟ ଟିମରେ ସ୍ଥାନ ନ ପାଇବା କାରଣରୁ କ୍ରିକେଟକୁ ବାଏ ବାଏ କରିଛନ୍ତି ଅମ୍ବାତି । ଏସବୁ ଭିତରେ ଆଉ ଏକ ଦେଶ ଅମ୍ବାତିଙ୍କୁ ତାଙ୍କ ଦେଶ ପାଇଁ ଖେଳିବାକୁ ଅଫର କରିଛି । ରାୟଡୁଙ୍କୁ ଏହି ଅଫର ଆଇସଲାଣ୍ଡ କ୍ରିକେଟ ବୋର୍ଡ ପକ୍ଷରୁ ମିଳିଛି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତେବେ ରାୟଡୁଙ୍କ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

ଭାରତର ବିଶ୍ୱକପ ଟିମରେ ସ୍ଥାନ ପାଇବା ନେଇ ଶେଷ ପର୍ଯ୍ୟନ୍ତ ରେସରେ ରହିଥିଲେ ଅମ୍ବାତି । କିନ୍ତୁ ଶେଷମୁହୁର୍ତରେ ରାୟଡୁଙ୍କୁ ଅଣଦେଖା କରି ତାମିଲନାଡୁର ଅଲରାଉଣ୍ଡର ବିଜୟ ଶଙ୍କରଙ୍କୁ ଦଳରେ ସାମିଲ କରାଯାଇଥିଲା । ଏପରିକି ତାଙ୍କୁ ରିଜର୍ଭ ଖେଳାଳି ଭାବେ ତାଙ୍କୁ ଦଳରେ ସାମିଲ କରାଯାଇଥିଲା । ଅଥାର୍ତ କୌଣସି ଖେଳାଳି ଆହତ ହେଲେ ରିଜର୍ଭ ଖେଳାଳିଙ୍କ ମଧ୍ୟରୁ ଜଣଙ୍କୁ ଟିମରେ ସ୍ଥାନ ମିଳିବାର ସୁଯୋଗ ରହିଥିଲା । ପ୍ରଥମେ ଶିଖର ଧୱନ ଆହତ ହୋଇ ଟିମରୁ ବାଦ୍ ପଡିବା ପରେ ବଦଳ ଖେଳାଳି ଭାବେ ଋଷଭ ପନ୍ତଙ୍କୁ ଡାକରା ଆସିଥିଲା । ପରେ ବିଜୟ ଶଙ୍କର ଆହତ ହୋଇ ଦଳରୁ ବାଦ୍ ପଡିବା ପରେ ମୟଙ୍କ ଅଗ୍ରୱାଲଙ୍କୁ ବଦଳ ଖେଳାଳି ଭାବେ ବିଶ୍ୱକପ ଟିମରେ ସ୍ଥାନ ମିଳିଥିଲା । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ କ୍ରିକେଟକୁ ବାଏ ବାଏ କରିଥିଲେ ଅମ୍ବାତି ରାୟଡୁ ।

ଗୋଟିଏ ପଟେ ରାୟଡୁ କ୍ରିକେଟକୁ ବାଏ ବାଏ କରିଥିବା ବେଳେ ଅନ୍ୟପଟେ ଆଇସଲାଣ୍ଡ କ୍ରିକେଟ ଟିମ୍ ଅମ୍ବାତିଙ୍କୁ ନିଜ ଟିମରେ ସାମିଲ କରିବାକୁ ଅଫର କରିଛି । ଏପରିକି ଏଥିପାଇଁ ଅମ୍ବାତିଙ୍କୁ ଆଇସଲାଣ୍ଡର ନାଗରିକତା ଦେବାକୁୂ ମଧ୍ୟ କହିଛି । କାରଣ ଗୋଟିଏ ଦେଶର ନାଗରିକତା ଗ୍ରହଣ କରିଥିଲେ ହିଁ ସେହି ଦେଶର ଜାତୀୟ ଟିମ ପାଇଁ ଖେଳିପାରିବେ ଖେଳାଳି । ତେଣୁ ଅମ୍ବାତିଙ୍କୁ ନିଜ ଦେଶର ନାଗରିକତା ଦେବାକୁ ମଧ୍ୟ କହିଛି ଆଇସଲାଣ୍ଡ ।