କଂଗ୍ରେସର କାହାଣୀ । ‘ମୁଁ’ ଅଛି ‘ଆମେ’ ନାହୁଁ । ବିଫଳ ନେତୃତ୍ୱ କେବେ ବଦଳିବେ?

55

ଦଳ ପଛେ ତଳିତଳାନ୍ତ ହେଇଯାଉ, ସଂଗଠନ ପଛେ ଚୁଲିକି ପଳାଉ, ନେତା ଦଳ ଛାଡି ଚାଲିଯାଆନ୍ତୁ, ହେଲେ ମୁଁ କିନ୍ତୁ ସଭାପତି ପଦ ଛାଡିବିନି । ରାଜ୍ୟ କଂଗ୍ରେସରେ ପ୍ରସାଦ ହରିଚନ୍ଦନଙ୍କ ଏଭଳି ଆଭିମୁଖ୍ୟ ସମସ୍ତଙ୍କୁ ଆଚମ୍ବିତ କରିଛି । ପଂଚାୟତ ନିର୍ବାଚନ ପରେ ଦଳର ସ୍ଥିତି ଟଳମଳ ହେଉଥିବା ବେଳେ ପିସିିସି ସଭାପତିଙ୍କ ପଛରେ ଆଉ କାହାର ସମର୍ଥନ ନାହିଁ, ଏକଥା ସ୍ପଷ୍ଟ ହେବା ପରେ ମଧ୍ୟ ମୁଖିଆ ପଦ ଛାଡିବାକୁ ସେ ନାରାଜ ।

ମୁଁ ନୁହେଁ ଆମେ ନାରା ଦେଇ ସଭାପତି ପଦ ଅଳଙ୍କୃତ କରିଥିଲେ ପ୍ରସାଦ ହରିଚନ୍ଦନ । ହେଲେ ଲାଗୁଛି, ଯଦି ଖୁବଶୀଘ୍ର ପିସିସି ସଭାପତି ପରିବର୍ତ୍ତନ ନହୁଅନ୍ତି ତେବେ କେବଳ “ମୁଁ” ଅର୍ଥାତ୍ ପ୍ରସାଦ ହିଁ କଂଗ୍ରେସରେ ଥିବେ, ଆଉ “ଆମେ” ଅନ୍ୟ ଦଳର ଆଶ୍ରା ନେଇଥିବେ । ଗତ କିଛିଦିନ ଭିତରେ କଂଗ୍ରେସ ଦଳରୁ ଯେଭଳି ନେତାଙ୍କ ଯିବା ପର୍ବ ଲାଗି ରହିଛି, ସେଥିରୁ ଏକଥା ସ୍ପଷ୍ଟ ଯେ, କଂଗ୍ରେସରେ ସ୍ଥିତି ସୁଧୁରିବା ବଦଳରେ ବିଗିଡିବାରେ ଲାଗିଛି । ଆଉ ଏଥିପାଇଁ କେବଳ ପ୍ରସାଦ ହିଁ ଦାୟୀ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ନା ନିଜେ ପିସିସି ସଭାପତି ପଦରୁ ହଟୁଛନ୍ତି, ନା ଯୋଦ୍ଧା ଭଳି ଲଢିବାକୁ ସାହାସ ଜୁଟାଇ ପାରୁଛନ୍ତି ନା ନେତାଙ୍କ ବିଶ୍ୱାସ ଜିତିବାରେ ସମର୍ଥ ହୋଇପାରୁଛନ୍ତି । ବଡ ବିଚିତ୍ର ସ୍ଥିତିରେ ଆଜିର ଦିନରେ କଂଗ୍ରେସ ରାଜନୀତି ରହିଛି ।

୨୦୦୦ ମସିହାରେ କ୍ଷମତାରୁ ଯିବା ପରଠାରୁ ଲଗାତର ସଂଘର୍ଷ କରୁଥିବା କଂଗ୍ରେସର କେବେ ଏଭଳି ସ୍ଥିତି ହେବ, ଏହା ସମସ୍ତଙ୍କ କଳ୍ପନାଠାରୁ ବାହାରେ ଥିଲା । ମୁଖ୍ୟ ବିରୋଧୀଦଳ ଭାବେ ରାଜ୍ୟରେ ଶାସକ ବିଜେଡି ଦଳକୁ ଟକ୍କର ଦେଉଥିବା କଂଗ୍ରେସକୁ ପ୍ରସାଦ ପଂଚାୟତ ନିର୍ବାଚନ ସମୟରେ ତୃତୀୟ ସ୍ଥାନକୁ ନେଇଗଲେ । ନା ସମୟ ଅନୁସାରେ ରଣନୀତି କଲେ ନା ଠିକ ଲୋକଙ୍କୁ ବିଶ୍ୱାସକୁ ନେଇ ଆଗକୁ ବଢିଲେ, ଫଳସ୍ୱରୂପ ଭୋଟରଙ୍କ ମନରେ କଂଗ୍ରେସ ଛାପ ସୃଷ୍ଟି କରିପାରିଲାନି । ଆଉ ତିନି ନମ୍ବର ସ୍ଥାନରେ ଥିବା ବିଜେପି ପାଇଁ ରାସ୍ତା ସଫା କରିଦେଲେ ପ୍ରସାଦ ।

ଯଦି ପ୍ରସାଦଙ୍କ କାର୍ଯ୍ୟକାଳର ଅବଦାନ ଖୋଜାଯାଏ ତେବେ ଉତ୍ତର ମିଳିବ, ସେ କଂଗ୍ରେସକୁ ସୁଦୃଢ କରିବା ବଦଳରେ ବିଜେପି ପାଇଁ ବାଟ ଖୋଲିଦେଲେ । ଆଉ ଯାହାର ସୁଯୋଗ ନେଇ ପଂଚାୟତ ନିର୍ବାଚନରେ ବିଜେପି ସଫଳତା ହାସଲ କଲା, ଆଉ ଆଜି କଂଗ୍ରେସର ଜଣେ ପରେ ଜଣେ ଟାଣୁଆ ନେତାଙ୍କୁ ନିଜ ଦଳରେ ନେଇ ସାମିଲ କରାଉଛି । ଯେଉଁ ଯୁବନେତା କଂଗ୍ରେସର ଆଗାମୀ ପିଢୀର ନେତୃତ୍ୱ ନେଇଥାନ୍ତେ, ସେମାନେ ଏବେ ପଦ୍ମ ପୋଖରୀକୁ ଡେଇଁଲେଣି ନଚେତ ଶଙ୍ଖ ଦଳରେ ସାମିଲ ହେଲେଣି । ନିଜ ନେତୃତ୍ୱ କାଳରେ ପ୍ରସାଦଙ୍କ ପଛରେ ସବୁଠାରୁ ବଡ ଅପବାଦ ରହିବ ଯେ, ସେ କଂଗ୍ରେସକୁ ସୁଦୃଢ କରିବା ବଦଳରେ ଏତେ ଦୁର୍ବଳ କରିଦେଲେ ଯେ, ଦଳ ଏବେ ସମ୍ଭାଳିବା ସ୍ଥିତିରେ ନାହିଁ ।

ନୟାଗଡ, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା କଂଗ୍ରେସ ସଭାପତି ଦଳଛାଡି ବିଜେପି, ବିଜେଡିରେ ସାମିଲ ହୋଇସାରିଲେଣି । ସେପଟେ ରାୟଗଡା ଜିଲ୍ଲା ସଭାପତି ନିଜ ପଦରୁ ଇସ୍ତଫା ଦେଇସାରିଥିବା ବେଳେ, କେଉଁ ରାଜନୈତିକ ଦଳରେ ସାମିଲ ହେଉଛନ୍ତି ତାକୁ ଅପେକ୍ଷା । ଏସବୁର ଅନୁଶୀଳନ କଲେ ଗୋଟିଏ କଥା ସ୍ପଷ୍ଟ, ପ୍ରସାଦଙ୍କୁ କେହି ମୁଖିଆ ଭାବେ ଗ୍ରହଣ କରିବାକୁ ଚାହୁଁନାହାନ୍ତି । ତେଣୂ ଦଳରେ ରହି ଭବିଷ୍ୟତ ନଷ୍ଟ କରିବା ଅପେକ୍ଷା ଅନ୍ୟ ରାଜନୈତିକ ଦଳରେ ନିଜ ସ୍ଥିତି ମଜଭୁତ କରିବାକୁ ଉଦ୍ୟମ ଆରମ୍ଭ କଲେଣି ।

ଖାଲି ପ୍ରସାଦ ନୁହଁନ୍ତି, ରାଜ୍ୟ କଂଗ୍ରେସର ଏହି ବିପର୍ଯୟ ପାଇଁ ହାଇକମାଣ୍ଡ ମଧ୍ୟ ସମ ପରିମାଣରେ ଦାୟୀ । ଦୁରଦୃଷ୍ଟିର ଅଭାବ, ଅପରିଣାମଦର୍ଶିତା ଆଜିର ଦିନରେ ଓଡିଶାରେ କଂଗ୍ରେସକୁ ବୁଡାଇ ସାରିଲାଣି । ପଂଚାୟତ ନିର୍ବାଚନ ପରେ ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ ନିହାତି ଆବଶ୍ୟକ, ଏକଥା ସବୁସ୍ତରରେ ସମସ୍ତେ ଅନୁଭବ କରୁଥିଲେ ମଧ୍ୟ ହାଇକମାଣ୍ଡ କେମିତି ବୁଝିପାରୁନାହାନ୍ତି, ତାହା ସମସ୍ତଙ୍କୁ ତାଜୁବ୍ କରିଛି ।

ଲାଗୁଛି, ଯେଉଁଭଳି ରାହୁଲ ଗାନ୍ଧୀ ଦଳକୁ ଆଗେ ନେଉଛନ୍ତି, ସେ ନିଜେ ଦ୍ୱନ୍ଦ୍ୱ ଭିତରକୁ ଆସିଯାଉଛନ୍ତି ଯେ କରିବେ କଣ? ବିଜେପି କଂଗ୍ରେସ ମୁକ୍ତର କଥା କହୁଥିବା ବେଳେ ଜାତୀୟ କଂଗ୍ରେସ ରାହୁଲଙ୍କ କିଛି ଭୁଲ ରଣନୀତି ପାଇଁ ୱାକ୍ଓଭର୍ ଦେଇ ଦେଉଥିବା ଚର୍ଚ୍ଚା ହେଉଛି । ମୋଦିଙ୍କ କଂଗ୍ରେସ ମୁକ୍ତ ସ୍ୱପ୍ନକୁ ରାହୁଲ ଗାନ୍ଧୀ ପରୋକ୍ଷର ପୂରଣ କରୁଥିବା ନେଇ ମତ ରଖୁଛନ୍ତି ରାଜନୈତିକ ସମୀକ୍ଷକ । ପଂଚାୟତ ନିର୍ବାଚନ ଓ ୫ଟି ରାଜ୍ୟରେ ନିର୍ବାଚନ ପରେ ରାହୁଲ ଗାନ୍ଧୀ ଆରମ୍ଭ କରିଥିଲେ ମାନଓ ମନ୍ଥନ । ଓଡିଶାର ଜଣେ ପରେ ଜଣେ ନେତା ଦିଲ୍ଲୀ ଗଲେ, ରାହୁଲଙ୍କୁ ଭେଟିଲେ, ନେତୃତ୍ୱ ପରିବର୍ତ୍ତନ କଥା କହିଲେ । ରାହୁଲ ସବୁ ଶୁଣିଲେ, ବୁଝିଲେ ହେଲେ ନୀରବ । ପ୍ରଥମ ପର୍ଯ୍ୟାୟରେ ରାହୁଲ ରାଜ୍ୟ କଂଗ୍ରେସର ତିନି ଟାଣୁଆ ନେତା ନିରଂଜନ ପଟ୍ଟନାୟକ, ଭକ୍ତ ଦାସ ଓ ପ୍ରଦୀପ ମାଝିଙ୍କୁ ଭେଟି ରାଜ୍ୟ ସଂଗଠନ ବାବଦରେ ଆଲୋଚନା କଲେ ।

ଏହାର କିଛି ଦିନ ପରେ ରାଜ୍ୟ କଂଗ୍ରେସର ତମାମ ବରିଷ୍ଠ ନେତାଙ୍କୁ ଦିଲ୍ଲୀ ଡକାଗଲା । ସେମାନଙ୍କ ସହ ପର୍ଯ୍ୟାୟକ୍ରମେ ରାହୁଲ ଆଲୋଚନା କଲେ, କିଭଳି କଂଗ୍ରେସ ସଂଗଠନକୁ ମଜଭୁତ କରାଯାଇପାରିବ, ସେନେଇ ମାନସମନ୍ଥନ କଲେ । କୁହାଗଲା ଖୁବଶୀଘ୍ର ପିସିସି ସଭାପତି ପରିବର୍ତ୍ତନ କରି ୨୦୧୯ ପାଇଁ ରାହୁଲ୍ ନୂଆ ଟିମ୍ ତିଆରି କରିବେ । ହେଲେ ସବୁକିଛିକୁ ଫସର ଫଟାଇଦେଲା ରାହୁଲଙ୍କ ଅସମ୍ଭବ ନୀରବତା ।

କୁହାଯାଉଛି, ରାହୁଲ ପୁଣି ସେହି ନେତାମାନଙ୍କ କଥାରେ ଫଶିଗଲେ ଯେଉଁମାନଙ୍କ ନାଁରେ ୨୦୧୪ରେ ଟିକେଟ ବିକ୍ରି ଅଭିଯୋଗ ଆସିଥିଲା । ଏହି ଗୋଷ୍ଠୀ ରାହୁଲଙ୍କୁ ଏଭଳି ଗୋଟିଏ ଫର୍ମୂଲା ଦେଲେ ଯେଉଁଥିରେ ପିସିସି ପରିବର୍ତ୍ତନ ନିଷ୍ପତ୍ତି ଝୁଲିଗଲା । ସୂଚନା ଅନୁସାରେ, ନିରଂଜନ ପଟ୍ଟନାୟକ ପରବର୍ତ୍ତୀ ପିସିସି ସଭାପତି ହେବେ ବୋଲି ରାହୁଲ ନିଷ୍ପତ୍ତି ନେଇସାରିଥିଲେ । ହେଲେ ଏହି ଚକ୍ରାନ୍ତ ଗୋଷ୍ଠୀ କୁଆଡେ ରାହୁଲଙ୍କୁ ବୁଝାଇଲେ, ପିସିସି ସଭାପତିଙ୍କ ଉପରେ ଦଳୀୟ ସଂଗଠନକୁ ମଜଭୁତ କରିବାକୁ ଦାୟିତ୍ୱ ଦିଆଯାଉ । ଯିଏ ସାରା ରାଜ୍ୟ ବୁଲି ସଂଗଠନକୁ ସୁଦୃଢ କରିବେ ହେଲେ ଆଉ ଜଣଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ରାଜ୍ୟ କଂଗ୍ରେସ ସାମ୍ନାକୁ ଆଣୁ ।

ଯେଉଁ ଚେହେରାକୁ ନେଇ ଦଳ ଆଗକୁ ବଢିବ । ଏଥିସହ ଜଣଙ୍କୁ କ୍ୟାମ୍ପେନ କମିଟି ମୁଖ୍ୟ ଭାବେ ଦାୟିତ୍ୱ ଦିଆଯାଉ । ଫଳରେ କଂଗ୍ରେସ ଆଗକୁ ବଢିବାକୁ ଗୋଟିଏ ସୁଯୋଗ ତିଆରି ହେବ । ବାସ୍ ଏଇଠୁ ହିଁ ରାହୁଲଙ୍କ ନିଷ୍ପତ୍ତି ବଦଳିଗଲା । ପୁଣି ଦ୍ୱନ୍ଦ୍ୱ ଭିତରକୁ ଆସିଗଲେ କଂଗ୍ରେସ ଉପାଧ୍ୟକ୍ଷ । ତେଣୁ ପିସିସି ସଭାପତି ପରିବର୍ତ୍ତନ ବିଳମ୍ବିତ ହେଉଥିବା କୁହାଯାଉଛି ।

ନେତୃତ୍ୱ ପରିବର୍ତ୍ତନ ଯେତେ ବିଳମ୍ବିତ ହେଉଛି, ଦଳ ସେତିକି ବିପର୍ଯ୍ୟୟର ସାମ୍ନା କରୁଛି । ଏହାରି ଭିତରେ ଡଜନେ ଖଣ୍ଡେ ଟାଣୁଆ ନେତା ଦଳ ଛାଡି ଅନ୍ୟଦଳରେ ସାମିଲ ହୋଇସାରିଲେଣି । ଖାଲି ଜିଲ୍ଲା ସଭାପତି ନୁହଁନ୍ତି ବରଂ ପ୍ରସାଦଙ୍କ ଉପରେ ଅସନ୍ତୁଷ୍ଟ ହୋଇ ୨୦୧୪ରେ ଟିକେଟ ପାଇ ଲଢିଥିବା ନେତା ମଧ୍ୟ ଦଳ ଛାଡିଲେଣି । ଆଳିର ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ, ପୂର୍ବତନ ନୟାଗଡ ବିଧାୟକ ସୀତାକାନ୍ତ ମିଶ୍ର, ବିଂଝାରପୁରର ନେତ୍ରୀ ବବିତା ମଲ୍ଲିକ ବିଜେପିରେ ସାମିଲ ହୋଇଥିବା ବେଳେ ଢେଙ୍କାନାଳର ପୂର୍ବତନ ବିଧାୟକ ସୁଧୀର ସାମଲ ବିଜେଡିରେ ସାମିଲ ହୋଇଛନ୍ତି ।

ବରିର ଯୁବନେତା ତଥା ଅଖିଳ ଭାରତୀୟ ଏନଏସୟୁଆଇର ପୂର୍ବତନ ଯୁଗ୍ମ ସଂପାଦକ ବିଶ୍ୱରଂଜନ ମଲ୍ଲିକ, ଯାଜପୁରର ବିଶ୍ୱମୋହନ ନାୟକ, ଭଂଜନଗରର ଜଣେ ଯୁବନେତା ଏହାରି ଭିତରେ ପଦ୍ମ ପୋଖରୀକୁ ଡେଇଁସାରିଲେଣି । କଂଗ୍ରେସ ନେତା ବିଜେପିରେ ସାମିଲ ହେବା ତାଲିକା ଖୁବ ଲମ୍ବା । ଏସବୁ ନେତା ଦଳ ଛାଡିବାର ପ୍ରମୁଖ କାରଣ ହେଉଛନ୍ତି ପ୍ରସାଦ ହରିଚନ୍ଦନ । କାରଣ ଦାୟିତ୍ୱ ନେବାଠାରୁ ଆଜିଯାଏଁ ସଂଗଠନକୁ କ୍ରିୟାଶୀଳ କରିବାକୁ ସେଭଳି କୈାଣସି ପଦକ୍ଷେପ ନେବାରେ ପ୍ରସାଦ ବିଫଳ ହୋଇଛନ୍ତି । ତେଣୁ ନିଜ ରାଜନୈତିକ ଭବିଷ୍ୟତକୁ କଂଗ୍ରେସର ବଳି ଦେବା ଅପେକ୍ଷା ନେତାମାନେ ବିଜେପି କିମ୍ବା ବିଜେଡିର ଆଶ୍ରା ନେବା ଆରମ୍ଭ କଲେଣି ।

ଯେତେବେଳେ ରାଜ୍ୟ ସରକାରଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ପ୍ରସଙ୍ଗ ରହିଛି, ସେତେବେଳେ ଗୋଟିଏ ବଡ ଧରଣର ରାଲି କରି ସରକାରକୁ ଅଡୁଆରେ ପକାଇବାରେ ପ୍ରସାଦ ବିଫଳ ହୋଇଛନ୍ତି । କେବଳ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ନିଜକୁ ସୀମିତ ରଖିଛନ୍ତି ଏହି ପୂର୍ବତନ କଂଗ୍ରେସ ବିଧାୟକ । ପ୍ରସାଦଙ୍କ ବାବଦରେ ଗୋଟିଏ ବଡ କଥା କୁହାଯାଏ, ରାଜନୀତିରେ ସେ ଯଦିଓ ଜଣେ ସ୍ୱଛ ଚେହେରାଧାରୀ ହେଲେ ଦଳ୍ୟୀ ସଂଗଠନର ଗଣିତ ବୁଝିବାରେ ସେ ଅସମର୍ଥ । କିଛି କଂଗ୍ରେସ ନେତା ଏହା ମଧ୍ୟ ପ୍ରଶ୍ନ କରୁଛନ୍ତି, ଯିଏ ପଂଚାୟତ ନିର୍ବାଚନ ବେଳେ ନିର୍ଦ୍ଦିଷ୍ଟ ସମୟ ଭିତରେ ଯାଇ ଭୋଟ୍ ଦେବାରେ ଅସମର୍ଥ ରହିଲେ, ସେ କଣ ଦଳୀୟ ସଂଗଠନ କରିବେ?

କଂଗ୍ରେସ ରାଜନୀତିରେ ଆଉ ଗୋଟିଏ ବଡ ଦିଗ ରହିଛି ପିସିସି ଓ ବିଧାୟକ ଦଳ ଭିତରେ ଫାଟ । ପ୍ରସାଦ ଓ ନରସିଂହଙ୍କ ମଧ୍ୟରେ କୈାଣସି ବି ପ୍ରସଙ୍ଗରେ ସହମତି ନାହିଁ । ଏପରିକି ବିଧାୟକ ଦଳ ଚାହୁଁଛି ପ୍ରସାଦ ତାଙ୍କ ପଦରୁ ତୁରନ୍ତ ହଟନ୍ତୁ । ଏଥିପାଇଁ ବିଧାୟକ ଦଳ ଆରମ୍ଭ କରିଛି ଆର୍ ପାର୍ର ଲଢେଇ । ରାହୁଲଙ୍କୁ ଭେଟି ତୁରନ୍ତ ସଭାପତି ପରିବର୍ତ୍ତନ ପାଇଁ ଦାବି କରିବେ, ଯଦି ରାହୁଲ ଏଥିରେ ରାଜି ନହୁଅନ୍ତି ତେବେ ରାଜ୍ୟ କଂଗ୍ରେସ ଭବନକୁ ନିଜ କବଜାକୁ ନେବାକୁ ରଣନୀତି କରୁଛନ୍ତି ଏହି ନେତା ।

ରାଜ୍ୟର ସ୍ୱାର୍ଥ ସମ୍ବଳିତ ସବୁଠାରୁ ବଡ ପ୍ରସଙ୍ଗ ପାଲଟିଛି ମହାନଦୀ । ହେଲେ ଏହାକୁ ନେଇ ଉଭୟ ପ୍ରସାଦ ଓ ନରସିଂହଙ୍କ ଆଭିମୁଖ୍ୟ, ରଣନୀତି ଓ ଲଢେଇର ତରିକା ଅଲଗା ଅଲଗା । ଏହି ଗୋଟିଏ କଥାରୁ ସ୍ପଷ୍ଟ କିଭଳି ମନୋମାଳିନ୍ୟ ଉଭୟ ନେତାଙ୍କ ମଧ୍ୟରେ ରହିଛି । ୧୬ କଂଗ୍ରେସ ବିଧାୟକ ଓ କିଛି ପୂର୍ବତନ ମନ୍ତ୍ରୀ ଆଉ ବରିଷ୍ଠ ନେତା ଗୋଟିଏ ପଟେ ଥିବା ବେଳେ ଅନ୍ୟପଟେ ହାତଗଣତି କିଛି ନେତାଙ୍କୁ ନେଇ ଅଛନ୍ତି ପ୍ରସାଦ ହରିଚନ୍ଦନ ।

୨୦୦୦ ମସିହାରୁ ୨୦୧୪ ଭିତରେ ଦଳର ଭୋଟ୍ ପ୍ରତିଶତ ୩୫ ରୁ ୨୫ ପ୍ରତିଶତକୁ ଖସିଆସିଲାଣି । ଏହି ଅବଧି ଭିତରେ ପାଖାପାଖି ସାତ ଥର ପିସିସି ସଭାପତି ବଦଳିସାରିଲେଣି । ଏହି ସମୟ ଭିତରେ ଯଦିଓ ନିରଂଜନ ପଟ୍ଟନାୟକ ୨୦୧୨ ମସିହାରେ ସବୁଠାରୁ ଅଧିକ କ୍ରିୟାଶୀଳ ହୋଇ କାର୍ଯ୍ୟକରୁଥିଲେ, ହେଲେ ଚକ୍ରାନ୍ତକାରୀଙ୍କ କାନକୁହା କଥାରେ ପଡି ରାହୁଲ ନିରଂଜନଙ୍କୁ ହଟାଇ ଦେଇଥିଲେ । ବିନା କୈାଣସି କାରଣରେ ରାହୁଲଙ୍କ ଏହି ନିଷ୍ପତ୍ତି ଆଜି ଦଳ ପାଇଁ ମହଙ୍ଗା ପଡୁଛି ।

୨୦୧୪ ନିର୍ବାଚନରେ କଂଗ୍ରେସର ମାତ୍ର ୧୬ ବିଧାୟକ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୧ ଲୋକସଭା ଆସନରୁ ଜଣେ ବି ସାଂସଦ ଭାବେ ନିର୍ବାଚିତ ହୋଇପାରିନଥିଲେ । ୨୦୦୦ ମସିହାରେ ଦଳର ସାତ ଜଣ ବିଧାୟକ ଅମାନତ ହରାଇଥିବା ବେଳେ ୨୦୧୪ରେ ଏହି ସଂଖ୍ୟା ପହଂଚିଥିଲା ୪୦ରେ । ଅର୍ଥାତ୍ ପ୍ରତି ୪ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଗୋଟିଏର କଂଗ୍ରେସ ପ୍ରାର୍ଥୀ ଏକ ଷଷ୍ଠାଂଶ ଭୋଟ୍ ପାଇବାରେ ସକ୍ଷମ ହୋଇନଥିଲେ ।

କଂଗ୍ରେସ ସାମ୍ନାରେ ଏବେ ଅନେକ ଆହ୍ୱାନ । ୨୦୧୯ରେ ଶାସକ ବିଜେଡି କିମ୍ବା ଶକ୍ତି ଯୋଗାଡ କରୁଥିବା ବିଜେପିକୁ ମୁକାବିଲା କରିବା ଆଗରୁ ଦଳ ଭିତରେ ନେତାଙ୍କୁ ଏକାଠି ରଖିବା ଓ ଦଳ ଛାଡିବାରୁ ବିରତ ରଖିବା ସବୁଠାରୁ ବଡ କଥା । ନଚେତ ପିସିସି ସଭାପତି ପରିବର୍ତ୍ତନ ହେଲାବେଳକୁ ଦଳରେ ଆଉ ନେତା ନଥିବେ । ଅଧିକାଂଶ ଜିଲ୍ଲା ନେତୃତ୍ୱହୀନ ହୋଇଯାଇଥିବ ।

ଶନିବାର ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାୟକ କଂଗ୍ରେସ ଦଳ ଛାଡିବାକୁ ଘୋଷଣା କରିସାରିଛନ୍ତି । ଦଳ ଭିତରୁ ତାଙ୍କୁ ପଛରୁ ଛୁରୀ ମରାଯାଇଥିବା ସେ ଅଭିଯୋଗ କରିଛନ୍ତି । ପିସିସିର ଶୀର୍ଷ ନେତୃତ୍ୱଙ୍କ ବିରୋଧରେ ଏହା ଖୋଲାଖୋଲି ଅସନ୍ତୋଷର ପ୍ରତିଫଳନ ବୋଲି କୁହାଯାଉଛି । ଖାଲି ଦୁଷ୍ମନ୍ତ ନୁହଁନ୍ତି, ଏଭଳି ଜଣେ ପରେ ଜଣେ ନେତା ସମାନ ଅଭିଯୋଗ ଲଗାଇ ଦଳ ଛାଡିବାକୁ ପ୍ରସ୍ତୁତ ହେଉଛନ୍ତି ।

ଆଜି ଦିନରେ କଂଗ୍ରେସର ସଂଗଠନ ବୁଡୁଥିବା ଡଙ୍ଗା ପରି । ହାଇକମାଣ୍ଡ ଚାହିଁଲେ ସ୍ଥିତି ସଂପୁର୍ଣ୍ଣ ବିଗିଡିବା ଆଗରୁ ଭିଟାମିନ୍ ଦେଇ ଅର୍ଥାତ୍ ସଂଗଠନକୁ ପୁନର୍ବିନ୍ୟାସ କରି କଂଗ୍ରେସର ପୁରୁଣା ସ୍ଥିତି ଫେରାଇ ଆଣିବାର ଆବଶ୍ୟକତା ରହିଛି । ନଚେତ୍, ୨୦୧୯ ବେଳକୁ କଂଗ୍ରେସ ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ୨୧ ଲୋକସଭା ଆସନରେ ପ୍ରାର୍ଥୀ ଦେବାକୁ ମଧ୍ୟ ସକ୍ଷମ ହେବନି ।