ଦେଶରେ ବ୍ୟାଙ୍କ ଗୁଡ଼ିକର ଅନାଦାୟ ଋଣ (ଏନପିଏ) ଏବଂ ଚାପଗ୍ରସ୍ତ ଋଣ ପରିମାଣ ଅସମ୍ଭାଳ ହେଲାଣି । ଚଳିତବର୍ଷ ଜୁନ୍ ସୁଦ୍ଧା ଦେଶର ବ୍ୟାଙ୍କ ଗୁଡ଼ିକର ଏନପିଏ ଏବଂ ପୁନର୍ଗଠିତ ଋଣ ପରିମାଣ ରେକର୍ଡ ୯.୫ ଲକ୍ଷ କୋଟି ଟଙ୍କା ବା ୧୪୫.୫୬ ବିଲିଅନ ଡଲାରରେ ପହଞ୍ଚିଥିବା ବିଷୟ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ରିଜର୍ଭ ବ୍ୟାଙ୍କ ତଥ୍ୟ ସମୀକ୍ଷାରୁ ଏହା ଜଣାଯାଇଛି । ଚଳିତବର୍ଷ ଜାନୁଆରିରୁ ଜୁନ୍ ମଧ୍ୟରେ ଏଥିରେ ୪.୫ ପ୍ରତିଶତ ବୃଦ୍ଧି ଦେଖାଦେଇଛି । ଗତବର୍ଷର ଜୁନ୍-ଡିସେମ୍ବର ଅବଧିରେ ଏହି ରାଶି ୫.୮ ପ୍ରତିଶତ ବୃଦ୍ଧି ଘଟିଥିଲା । ସେହିଭଳି ଚଳିତବର୍ଷ ଜୁନ୍ ସୁଦ୍ଧା ବ୍ୟାଙ୍କ ଗୁଡ଼ିକର ମୋଟ ଋଣ ମଧ୍ୟରୁ ଚାପଗ୍ରସ୍ତ ଋଣର ପ୍ରତିଶତ ୧୨.୬ ପ୍ରତିଶତରେ ପହଞ୍ଚିଛି । ଏପରିକି ଗତ ୧୫ ବର୍ଷ ମଧ୍ୟରେ ଏହା ସର୍ବାଧିକ ।

ଭାରତରେ କମ୍ପାନି ଗୁଡ଼ିକ ପାଇଁ ଋଣ ଯୋଗାଣର ମୁଖ୍ୟ ଉତ୍ସ ବ୍ୟାଙ୍କ ଗୁଡ଼ିକ ରହି ଆସିଛନ୍ତି । କିନ୍ତୁ ଏନପିଏ ବୃଦ୍ଧି ଯୋଗୁଁ ବ୍ୟାଙ୍କ ଗୁଡ଼ିକର ଲାଭ ହ୍ରାସ ଘଟିଛି । ଏଥିଯୋଗୁଁ ବ୍ୟାଙ୍କ ଗୁଡ଼ିକ କମ୍ପାନି ଗୁଡ଼ିକୁ ନୂଆ ଋଣ ଦେବାରେ ସମର୍ଥ ହେଉନାହାନ୍ତି । ବିଶେଷକରି ଛୋଟ ଛୋଟ ସଂସ୍ଥା ଗୁଡ଼ିକ ଋଣ ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗତ ମାର୍ଚ୍ଚ ସୁଦ୍ଧା ବ୍ୟାଙ୍କ ଗୁଡ଼ିକର ନୂଆ ଋଣ ପ୍ରଦାନ ହାର ୫ ପ୍ରତିଶତ ସ୍ତରକୁ ଖସିଆସିଛି, ଯାହାକି ଗତ ପ୍ରାୟ ୬ ଦଶକ ମଧ୍ୟରେ ସର୍ବନିମ୍ନ ।

ଏତଦବ୍ୟତୀତ ଏନପିଏ ବୃଦ୍ଧି ପାଉଥିବାରୁ ବ୍ୟାଙ୍କ ଗୁଡ଼ିକୁ ଏ ବାବଦରେ ଅଧିକ ପୁଞ୍ଜି ରଖିବାକୁ ପଡ଼ୁଛି। ବ୍ୟାଙ୍କର ଏନପିଏ ବୃଦ୍ଧି ମଧ୍ୟ ଅର୍ଥନୀତି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି । ମୋଦି ସରକାର ଗତ ନିର୍ବାଚନ ପ୍ରତିଶ୍ରୁତିରେ ଦେଶରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଋଣ ପ୍ରଦାନ ହାର ବୃଦ୍ଧି ନପାଇଲେ ଦେଶରେ ନୂଆ ବ୍ୟବସାୟ ହୋଇପାରିବ ନାହିଁ । ଫଳରେ ୨୦୧୯ ନିର୍ବାଚନରେ ମୋଦିଙ୍କ ବିଜୟରେ ବେକାରି ବାଧକ ସାଜିପାରେ ବୋଲି ଆଶଙ୍କା ବ୍ୟକ୍ତ କରାଗଲାଣି ।