ମାଲେମାଲ୍ ସାଂସଦ ! ଜାଣନ୍ତୁ କେତେ ଦରମା ଆଉ କି ସୁବିଧା ପାଇଥାନ୍ତି ଭାରତୀୟ ସାଂସଦମାନେ

57

ଦେଶରେ କୋଟିପତିମାନଙ୍କ ମଧ୍ୟରେ ଏପରି ଅନେକ ରାଜନେତା ବାହାରିବେ ଯେଉଁମାନେ କି ଲୋକ ପ୍ରତିନିଧି ହୋଇଥାଇ ମଧ୍ୟ ନିଜ ପାଖରେ କୁବେର ଭଣ୍ଡାର ସଦୃଶ ଧନ ଗଚ୍ଛିତ କରି ରଖିଛନ୍ତି । ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସର୍ବୋଚ୍ଚ ଆଇନ ପ୍ରଣୟନ କର୍ତ୍ତା ତଥା ସାଂସଦମାନେ ନିଜ କାର୍ଯ୍ୟକାଳ ମଧ୍ୟରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି । ତାହା ପୁଣି ବିନା କୌଣସି ଶୁଳ୍କରେ ଏବଂ ଏଥିସହ ଅନେକ ସୁବିଧାମାନ ମଧ୍ୟ ପାଇଥାନ୍ତି । କିନ୍ତୁ ଏହା ଅନୁପାତରେ କାମ ଖୁବ କମ କରନ୍ତି । ତେବେ ଆସନ୍ତୁ ଜାଣିବା ସାଂସଦଙ୍କ ରୋଜାଗାର ସମ୍ବନ୍ଧିୟ କିଛି ରୋଚକ ତଥ୍ୟ-

• ଜଣେ ସାଂସଦର ବେସିକ୍ ସାଲେରୀ ତଥା ମାସିକ ଦରମା ହୋଇଥାଏ ୫୦,୦୦୦ ଟଙ୍କା । ଏଥିସହ ସେବାକୁ ଅବସର ନେବା ପରେ ସେମାନେ ମାସିକ ୨୦.୦୦୦ ଟଙ୍କା ଭର୍ତ୍ତା ପାଇଥାନ୍ତି । ତେବେ ସେ ଗୋଟିଏ ଦିନ ପାଇଁ ସାଂସଦ ହୋଇ ଥାନ୍ତୁ ନା କାହିଁକି ।

• ଜଣେ ଏକାଧିକ ଥର ସଂସଦକୁ ନିର୍ବାଚିତ ହେଲେ ତାଙ୍କର ଅବସର ଗ୍ରହଣ ପରେ ତାଙ୍କ ଭତ୍ତାର ପରିମାଣ ବାର୍ଷିକ ୧୫୦୦ ଟଙ୍କା ଲେଖାଏଁ ବୃଦ୍ଧି ପାଇଥାଏ ।

• ତେବେ ଦରମା ଛଡା ସାଂସଦମାନେ ମଧ୍ୟ ପାଇଥାନ୍ତି ଅନେକ ସୁବିଧା ସୁଯୋଗ । ସଂସଦରେ ଉପସ୍ଥିତ ରହିଲେ ଦିନ ପିଛା ୨୦୦୦ ଟଙ୍କା ଉପସ୍ଥିତ ବାବଦରେ ସେମାନଙ୍କୁ ମିଳିଥାଏ ।

• ଏଥିସହ ନିଜର ନିର୍ବାଚନମଣ୍ଡଳୀ ପାଇଁ ସେମାନେ ମାସିକ ୪୫,୦୦୦ ଟଙ୍କା ପାଇଥାନ୍ତି । ତା ମଧ୍ୟରେ ସାଂସଦଙ୍କ ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ ଅର୍ନ୍ତଭୁକ୍ତ । ଏହା ତାଙ୍କୁ ତାଙ୍କ ଗୃହ ସଚିବାଳୟ ଅର୍ଥାତ୍ ଲୋକସଭା ,ରାଜ୍ୟସଭା ସଚିବାଳୟ ତରଫରୁ ଦିଆଯାଇଥାଏ ।

• ଜଣେ ସାଂସଦ ବାର୍ଷିକ ୫ କୋଟି ଟଙ୍କା ପର୍ଯ୍ୟନ୍ତ ନିଜ ‘ଏମପିଲାଡ’ ପାଣ୍ଠିରୁ ମଞ୍ଜୁରୀ କରିପାରିବେ । ଯେଉଁଥିରେ ଅନେକାଂଶ ଆତ୍ମସାତ୍ କରାଯାଏ ବୋଲି ସାଧାରଣରେ ମତବ୍ୟକ୍ତ କରାଯାଇଛି ।

• ସେହିପରି ଦେଶତମାମ ଯାତ୍ରା କରିବା ପାଇଁ ଅନଲିମିଟେଡ୍ ଥର ରେଳ ପ୍ରଥମ ଶ୍ରେଣୀରେ ଏକାଧିକ ଏବଂ ଏସି-ଦ୍ୱିତୀୟ ବଗିରେ ଅନ୍ୟ କାହା ସହିତ ଯିବାର ସୁବିଧା ମଧ୍ୟ ପାଇଥାନ୍ତି ସାଂସଦମାନେ । ଏହାବାତୀତ ବାର୍ଷିକ ୩୪ ଥର ଉଡା ଯାହାଜରେ ସାଂସଦମାନେ ଯାତ୍ରା କରିପାରିବେ ଏବଂ ବାର୍ଷିକ ୮ ଥର ସାଂସଦଙ୍କ ସହିତ ତାଙ୍କ ପତି କିମ୍ବା ପତ୍ନୀ ତଥା ପରିବାର ବର୍ଗ ମଧ୍ୟ ଯାତ୍ରା କରି ପାରିବେ ।

• ବିଦେଶ ଗସ୍ତ ପାଇଁ ମାଗଣା ବାଣିଜ୍ୟ ଶ୍ରେଣୀର ଉଡା ଜାହାଜ ଟିକେଟ୍ ବ୍ୟବସ୍ଥା ମଧ୍ୟ ସରକାର ସେମାନଙ୍କୁ ଦେଇଛନ୍ତି ।

• ଜଣେ ସାଂସଦ ପ୍ରତିମାସ ୧,୭୦,୦୦୦ ଟା ମାଗଣା ଫୋନ୍ କଲ୍ କରି ପାରିବେ । ସେମାନଙ୍କୁ ୩ଟି ଫୋନ ଲାଇଲ୍ ବ୍ୟବସ୍ଥା ମଧ୍ୟ ଯୋଗାଇ ଦିଆଯାଇଥାଏ । ତାହା ସହିତ ସଡକ ପଥରେ ପ୍ରତି କିଲୋମିଟର ପିଛା ଯାତ୍ରା କରିବା ଦ୍ୱାରା ସେମାନଙ୍କୁ ୧୬ ଟଙ୍କା ଲେଖାଁ ମିଳିଥାଏ । ଏଥିସହ ମାଗଣା ପେଟ୍ରୋଲ, ଚିକିତ୍ସା, ପାଣି, ବିଜୁଳି ତଥା ଅନ୍ୟାନ୍ୟ ସୁବିଧା ମାନ ମିଳିଥାଏ । ଏହାସହିତ ଦିଲ୍ଲୀସ୍ଥିତ ସରକାରୀ ବାସଭବନ ମଧ୍ୟ ସେମାନଙ୍କୁ ମିଳିଥାଏ ।

• ତେବେ ଏହି ସମସ୍ତ ସୁବିଧାକୁ ବାଦ୍ ଦେଲା ପରେ ଜଣେ ସାଂସଦ ମାସିକ ୧,୪୦,୦୦୦ ଟଙ୍କା ଓ ବାର୍ଷିକ ୧୬,୮୦,୦୦୦ ଟଙ୍କା ରୋଜଗାର କରିଥାନ୍ତି ।

ତେବେ ସେମାନଙ୍କ ଗୃହରେ ଉପସ୍ଥିତିକୁ ମିଶାଇଲେ ବାର୍ଷିକ ୧୮,୨୨,୦୦୦ ଟଙ୍କା ରୋଜଗାର କରିଥାନ୍ତି । ଆପଣ ଆଶ୍ଚର୍ଯ୍ୟ ହେବେ କି ଏହାସବୁ ସତ୍ୱେ ବର୍ତ୍ତମାନ କେନ୍ଦ୍ର ସରକାର ସାଂସଦଙ୍କ ଆୟକୁ ଦ୍ୱିଗୁଣିତ ଅର୍ଥାତ୍ ୧୦୦ ପ୍ରତିଶତ ବୃଦ୍ଧି କରିବା ପାଇଁ ବିଚାର କରିଛନ୍ତି । ଯାହାକୁ ନେଇ ଏବେ ଅନେକ ତର୍କ ବିତର୍କ ଚାଲିଛି ।