ଭାରତ ହେବ ଇଲେକ୍ଟ୍ରିକ୍ ଗାଡ଼ିର ଦେଶ ! ବନ୍ଦ ହୋଇପାରେ ପେଟ୍ରୋଲ୍, ଡିଜେଲ ଚାଳିତ ଯାନ

56

ଭାରତରେ ପେଟ୍ରୋଲ୍ ଏବଂ ଡିଜେଲ୍ ଗାଡ଼ିକର ଭବିଷ୍ୟତ ଭଲ ନାହିଁ । ଆଗାମୀ କିଛି ବର୍ଷ ଭିତରେ ଏଭଳି ଗାଡ଼ି ଉତ୍ପାଦନ ବନ୍ଦ ହୋଇଯାଇପାରେ । ରାସ୍ତାରେ କେବଳ ଇଲେକ୍ଟ୍ରିକ୍ ଗାଡ଼ି ଗଡ଼ିବ । ଏବେ ଏହା ସ୍ୱପ୍ନ ଭଳି ଲାଗୁଥାଇପାରେ, ମାତ୍ର ଭବିଷ୍ୟତରେ ତାହା ହିଁ ହେବ । ଭବିଷ୍ୟତରେ ଦେଶରେ ବିଭିନ୍ନ ରାସ୍ତାରେ ଇଲେକ୍ଟ୍ରିକ୍ କାର୍, ବସ୍, ବାଇକ୍, ଟାକ୍ସି ଆଦି ଚାଲୁଥିବାର ଦେଖିବାକୁ ମିଳିବ ।

ଗତକାଲି କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ କାର୍ କଂପାନିଗୁଡ଼ିକୁ ଯେଉଁ ଚେତାବନୀ ଦେଇଛନ୍ତି ସେଥିରୁ ଏହା ସ୍ପଷ୍ଟ ଯୋଇଯାଇଛି ଯେ ପେଟ୍ରୋଲ୍ ଏବଂ ଡିଜେଲ୍ ଗାଡ଼ିଗୁଡ଼ିକର କୌଣସି ଭବିଷ୍ୟତ ନାହିଁ ।

ସୂଚନା ମୁତାବକ, ଗତକାଲି ଗାଡ଼ି ନିର୍ମାତାମାନଙ୍କ ସଂଘ ସିଆମ୍ ପକ୍ଷରୁ ଆୟୋଜନ କରାଯାଇଥିବା କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ଗଡ଼କରୀ କହିଛନ୍ତି ଯେ, ବିକଳ୍ପ ଇନ୍ଧନ ପାଇଁ ଏବେଠାରୁ ପ୍ରସ୍ତୁତ ହୋଇଯାଅ । ତାହା ହିଁ ହେଉଛି ଭବିଷ୍ୟତ । ଆମେ ବିକଳ୍ପ ଇନ୍ଧନ ଆଡ଼କୁ ମୁହାଁଉଛୁ । ତୁମେ ଏହାକୁ ପସନ୍ଦ କର ବା ନକର ତାହା ହିଁ ହେବ ବୋଲି ସେ କହିଛନ୍ତି । ଚେତାବନୀ ଦେଇଛନ୍ତି ଯେ ଯଦି ବିକଳ୍ପ ଇନ୍ଧନ ଉପଯୋଗୀ ଗାଡ଼ି ନ ଆଣିବ ତେବେ ବୁଲଡୋଜର ଚଢ଼ାଇ ଦେବି, ସେତେବେଳେ ମୋତେ କିଛି କହିବ ନାହିଁ ।

ସେ ଏହା ମଧ୍ୟ କହିଛନ୍ତି ଯେ, ବିକଳ୍ପ ଇନ୍ଧନ ଯୋଜନାରେ ଯେଉଁମାନେ ସରକାରଙ୍କୁ ସମର୍ଥନ କରିବେ ସେମାନେ ଲାଭରେ ରହିବେ । ଯେଉଁମାନେ କେବଳ ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି ସେମାନେ ସମସ୍ୟାରେ ପଡ଼ିବେ । ସେତେବେଳେ ଆମ ପାଖକୁ ଆସିବ ବହୁତ ପୁରୁଣା ଷ୍ଟକ୍ ରହିଗଲା ବୋଲି ଗୁହାରି କରିବ ନାହିଁ ବୋଲି ଗଡ଼କରୀ ଗାଡ଼ି ନିର୍ମାତାମାନଙ୍କୁ କହିଛନ୍ତି । ଦେଶରେ ପ୍ରଦୂଷଣ କମ୍ କରିବା ଏବଂ ଆମଦାନି ହ୍ରାସ କରିବା ପାଇଁ ସରକାର ଏକ ସ୍ପଷ୍ଟ ନୀତି ଉପରେ କାମ କରୁଛନ୍ତି । ସେ କହିଛନ୍ତି ଯେ, ଇଲେକ୍ଟ୍ରିକ୍ କାର୍ ଉପରେ କ୍ୟାବିନେଟ୍ ନୋଟ୍ ପ୍ରସ୍ତୁତ ହୋଇଗଲାଣି । ଆମେ ଚାର୍ଜିଂ ଷ୍ଟେସନ୍ କଥା ମଧ୍ୟ ବୁଝିବୁ । ଗଡ଼କରୀଙ୍କ ଏହି କଥାରୁ ଏହା ସ୍ପଷ୍ଟ ହେଉଛି ଯେ ଭାରତ ଏବେଠାରୁ ନିଜକୁ ଇଲେକ୍ଟ୍ରିକ୍ ଯାନ ପାଇଁ ପ୍ରସ୍ତୁତ କରିବା ଆରମ୍ଭ କଲାଣି ।

ଗାଡ଼ି ନିର୍ମାତାମାନଙ୍କୁ ଗଡ଼କରୀ କହିଛନ୍ତି ଯେ, ମୁଁ କହିଥିଲି ଗବେଷଣା କର । ପ୍ରଥମେ କହିଥିଲି ଇଲେକ୍ଟ୍ରିକ୍ ଗାଡ଼ି କଥା। ତୁମେମାନେ କହିଲ ବ୍ୟାଟେରିର ଦାମ ବହୁତ ଅଧିକ । ଏବେ ତ ବ୍ୟାଟେରି ଦାମ ୪୦% କମିଗଲାଣି । ଯଦି ତୁମେ ଏବେଠାରୁ ଉତ୍ପାଦନ ଆରମ୍ଭ କରିବା ଉପରେ କାମ କରିବ ତେବେ ଆଗକୁ ଦର ଆହୁରି ଖସିଯିବ । ଅଧିକ ମାତ୍ରାରେ ଉତ୍ପାଦନ ହେଲେ ଦର ନିଶ୍ଚିତ ଖସିବ ବୋଲି ସେ କହିଛନ୍ତି । ବିଶ୍ୱର ଅନେକ ବିକଶିତ ରାଷ୍ଟ୍ରରେ ପେଟ୍ରୋଲ୍ ଏବଂ ଡିଜେଲ୍ ଇଞ୍ଜିନର ଗାଡ଼ି ନିର୍ମାଣ କରିବାକୁ ନିରୁତ୍ସାହିତ କରାଯାଉଛି ।

ଆମେ କେତେ ପ୍ରସ୍ତୁତ

ଦୁଇ ବର୍ଷ ତଳେ ଦେଶରେ ବର୍ଷକୁ ୧୬୦୦୦ଟି ଇଲେକ୍ଟ୍ରିକ୍ ଗାଡ଼ି ବିକ୍ରି ହେଉଥିଲା । ୨୦୧୬-୧୭ରେ ୨୫,୦୦୦ଟି ଇଲେକ୍ଟ୍ରିକ୍ ଗାଡ଼ି ବିକ୍ରି ହୋଇଛି । ଏହାର ଅର୍ଥ ହେଉଛି ଏଭଳି ଗାଡ଼ିର ଗ୍ରହଣୀୟତା ବଢ଼ୁଛି । ଇଲେକ୍ଟ୍ରିକ୍ ଗାଡ଼ି ନିମନ୍ତେ ପରିବେଶ ସୃଷ୍ଟି କରିବା ପାଇଁ ସବୁଠୁ ବଡ଼ ଆବଶ୍ୟକତା ହେଉଛି ଚାର୍ଜିଂ ଷ୍ଟେସନ୍ । ବର୍ତ୍ତମାନ ଦେଶରେ ୨୦୬ଟି ଚାର୍ଜିଂ ଷ୍ଟେସନ୍ ରହିଛି । ତାହା ପୁଣି କିଛି ବଡ଼ ସହର ମଧ୍ୟରେ ସୀମିତ ।

ସୁଯୋଗ ଓ ସମ୍ଭାବନା

ଭାରତରେ ଇଲେକ୍ଟ୍ରିକ୍ ଗାଡ଼ି ପାଇଁ ବିପୁଳ ସୁଯୋଗ ରହିଛି । ନିତି ଆୟୋଗ ସିଇଓ ଅମିତାଭ କାନ୍ତ କହିଛନ୍ତି ଯେ, ୨୦୩୦ ସୁଦ୍ଧା ୭.୩୦ ନିୟୁତ ଇଲେକ୍ଟ୍ରିକ୍ ଗାଡ଼ି ବିକ୍ରି ହେବ ବୋଲି ଆକଳନ କରାଯାଇଛି । ୨୦୪୦ ସୁଦ୍ଧା ଏଭଳି ଗାଡ଼ି ସଂଖ୍ୟା ୩୦.୮୧ ନିୟୁତରେ ପହଞ୍ଚିବ । ଭାରତରେ କାର୍ ମାଲିକଙ୍କ ସଂଖ୍ୟା ବହୁତ କମ୍ । ଆମେରିକାରେ ପ୍ରତି ୧୦୦୦ ଲୋକଙ୍କ ମଧ୍ୟରୁ ୮୦୦ ଲୋକ ହେଉଛନ୍ତି କାର୍ ମାଲିକ । ମାତ୍ର ଭାରତରେ ପ୍ରତି ୧୦୦୦ରେ ମାତ୍ର ୨୦ ଜଣ ହେଉଛନ୍ତି କାର୍ ମାଲିକ । ଭାରତରେ ଚାର୍ଜିଂ ଷ୍ଟେସନ୍ ନିର୍ମାଣ କରିବା ପାଇଁ ଇଣ୍ଡିଆନ୍ ଅଏଲ୍, ଏନଟିପିସି, ପାଓ୍ଵାର ଗ୍ରିଡ୍ କର୍ପୋରେସନ୍ ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଭଳି ସଂସ୍ଥା ଆଗ୍ରହ ପ୍ରକାଶ କରିଛନ୍ତି । ସେମାନେ ଏ କ୍ଷେତ୍ରରେ ନିବେଶ ପରିମାଣ ବଢ଼ାଇବେ ବୋଲି ସଙ୍କେତ ଦେଇଛନ୍ତି ।