ଆନ୍ଧ୍ର ପ୍ରଦେଶ : ପୁଣି ଆଉ ଥରେ ସାମ୍ନାକୁ ଆସିଛି ମୋବାଇଲ୍ ରେଡମି ନୋଟ୍ ୪ ଫାଟିବାର ଖବର । ମିଳିଥିବା ସୂଚନା ଅନୁସାରେ ଏ ଘଟଣା ଆନ୍ଧ୍ର ପ୍ରଦେଶର ଇଷ୍ଟ ଗୋଦାବରୀ ଜିଲ୍ଲାର ରାବୁଲାପାଲେମ ଅଂଚଳର । ସେଠାରେ ଜଣେ ଯୁବକ ପକେଟରେ ରଖିଥିବା ସ୍ମାର୍ଟଫୋନଟି ଫାଟିଯାଇଛି । ରିପୋର୍ଟ ଅନୁସାରେ ଫୋନଟି ଫାଟିବା ଦ୍ୱାରା ଯୁବକ ଜଣକ ଗଭୀର ଆଘାତ ପାଇଛନ୍ତି । ଘଟଣାର ଖବର ପାଇବାକ୍ଷଣି ଜିଆମି ମୋବାଇଲ୍ କଂପାନୀ ଏହି ଯୁବକଙ୍କ ସହ ଯୋଗାଯୋଗ କରି ଯାଂଚ ଆରମ୍ଭ କରିଛି ।

କଂପାନୀର ଜଣେ ପ୍ରବକ୍ତା କହିଛନ୍ତି , ‘ଏମିତି ଘଟଣାକୁ ଗମ୍ଭୀରତା ଭାବେ ନିଆଯାଇଛି । କାରଣ ଗ୍ରାହକଙ୍କର ସୁରକ୍ଷା ପ୍ରଥମେ ମହତ୍ତ୍ୱପୂର୍ଣ୍ଣ ଅଟେ । ଆମର ସବୁ ଡିଭାଇସଗୁଡିକୁ ତନ୍ନ ତନ୍ନ କରି ପରୀକ୍ଷା କରିସାରିବା ପରେ ମାର୍କେଟକୁ ଛଡାଯାଏ ।’ ଏହା ସହ ସେ କହିଚନ୍ତି ଏହି ପ୍ରଡକ୍ଟର ପରୀକ୍ଷା ପାଇଁ ଏହାକୁ ସଂଗ୍ରହ ପ୍ରକ୍ରିୟା ଜାରି ରହିଛି ।

ହିନ୍ଦୁସ୍ତାନ ଟାଇମ୍ସ ଏକ ତେଲୁଗୁ ନ୍ୟୁଜ୍ ୱେବସାଇଟ୍ ଆଧାରରେ ପ୍ରକାଶ କରିଛି । ସୂର୍ଯ୍ୟକିରଣ ନାମକ ଜଣେ ଯୁବକ ଫୋନକୁ ଚାର୍ଜ କରିବା ପରେ ଫୋନକୁ ପକେଟରେ ରଖି ବାଇକରେ ନିଜ ଦୋକାନକୁ ଯାଉଥିଲେ । ସେତେବେଳେ ଫୋନଟିରେ ନିଆଁ ଲାଗିଥିଲା । ପକେଟରୁ ସ୍ମାର୍ଟଫୋନ ବାହାର କରି ଫୋପାଡିବାର କିଛି ସମୟ ଯାଏ ଫୋନଟି ଜଳୁଥିଲା । ନିଆଁ ଦ୍ୱାରା ଯୁବକଙ୍କର ଜଂଘରେ ଗଭୀର କ୍ଷତ ହୋଇଯାଇଛି ।

ପ୍ରକାଶିତ ଖବର ଅନୁସାରେ ସୂର୍ଯ୍ୟକିରଣ ସ୍ମାର୍ଟଫୋନକୁ ୨୦ ଦିନ ପୂର୍ବରୁ ଫ୍ଲିପକାର୍ଟରୁ କିଣିଥିଲେ । ଖବର ମିଳିଛି ସୂର୍ଯ୍ୟକିରଣ ଏଭଳି ଖରାପ ଫୋନ ସେଲିଂ କରିବାକୁ ନେଇ ଜିଆମି କଂପାନୀ ବିରୋଧରେ କୋର୍ଟକୁ ଯିବାକୁ ସ୍ଥିର କରିଛନ୍ତି । ସୂଚନା ଯେ, ଏହି କିଛି ସପ୍ତାହ ପୂର୍ବରୁ ରେଡମି ନୋଟ୍ ୪ ଫାଟିବାର ଏକ ଭିଡିଓ ଭାଇରାଲ୍ ହୋଇଥିଲା । ଶେଷରେ ଭିଡିଓଟି ଫେକ୍ ବୋଲି ଜଣାପଡିଥିଲା । (ସୌଜନ୍ୟ- ଆଜତକ୍)