କାଳେ ମୁଣ୍ଡରେ ଭାଙ୍ଗି ପଡିବ ଛାତ ! ହେଲମେଟ୍ ପିନ୍ଧି ଅଫିସରେ କାମ କରୁଛନ୍ତି କର୍ମଚାରୀ

48

ବିହାର : ବିହାରର ଚମ୍ପାରଣ ଜିଲ୍ଲାରେ ରହିଛି ଏକ ସରକାରୀ କାର୍ଯ୍ୟାଳୟ । ଏହି କାର୍ଯ୍ୟାଳୟକୁ ଯେକୈାଣସି ବ୍ୟକ୍ତି ପ୍ରଥମଥର ପାଇଁ ଯଦି ଯାଇଥାନ୍ତି , ତ ଆଶ୍ଚର୍ଯ୍ୟ ନହୋଇ ରହିପାରନ୍ତି ନାହିଁ । ଅନେକ ତ ଏହାର ଛବି ଦେଖି ହସି ଦେଇଥାନ୍ତି । କାରଣ ଏହି କାର୍ଯ୍ୟାଳୟର ପ୍ରତ୍ୟେକ କର୍ମଚାରୀ ହେଲମେଟ୍ ପିନ୍ଧି କାମ କରୁଥାନ୍ତି ।

ତେବେ ସେମାନଙ୍କର ଏହି ନିଆରାପଣରେ ଲୋକମାନଙ୍କ ଲାଗି କୈାଣସି ସୁବାର୍ତ୍ତା ରହିନାହିଁ । ବରଂ ନିଜର ସୁରକ୍ଷା ପାଇଁ ସେମାନେ ଏପରି ପଦକ୍ଷେପ ନେଉଛନ୍ତି । ଏହି କାର୍ଯ୍ୟାଳୟ ବହୁ ପୂରଣା । ବର୍ତ୍ତମାନ ଏହାର କାନ୍ଥ ସଂପୂର୍ଣ୍ଣ ରୂପରେ ଦୁର୍ବଳ ହୋଇଯାଇଛି । ଛାତ ଫାଟି ବର୍ଷାରେ ପାଣି ଗଳୁଛି । କାନ୍ଥ ଗୁଡିକରୁ ମଧ୍ୟ ପାଣି ବାହାରି କାମ କରିବା ଅସମ୍ଭବ ପ୍ରାୟ ହୋଇପଡୁଛି ।

ଏପରି ଅବସ୍ଥାରେ କାମ କରି କିଛି କର୍ମଚାରୀ ଆହତ ମଧ୍ୟ ହୋଇସାରିଛନ୍ତି । ତେଣୁ ବାକି କର୍ମଚାରୀମାନେ ନିଜ ସୁରକ୍ଷା ପାଇଁ ପ୍ରତିଦିନ ହେଲମେଟ୍ ପିନ୍ଧି କାମ କରୁଛନ୍ତି । ଏତିକି ନୁହେଁ କାର୍ଯ୍ୟାଳୟକୁ ଆସୁଥିବା ବ୍ୟକ୍ତି ମଧ୍ୟ ହେଲମେଟ୍ ପିନ୍ଧିି ଆସୁଛନ୍ତି ସରକାରୀ କାର୍ଯ୍ୟାଳୟର ଏପରି ଅବସ୍ଥା ପୂରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଛି । ଅନ୍ୟପକ୍ଷରେ କିନ୍ତୁ କର୍ମଚାରୀଗଣ ଆଶା କରିରହିଛନ୍ତି କି ସେମାନଙ୍କୁ ଏଥିରୁ ଖୁବ୍ ଶୀଘ୍ର ମୁକ୍ତି ମିଳିବ ।                                                                      (ସୈାଜନ୍ୟ- ହିନ୍ଦୁସ୍ତାନ ଟାଇମ୍ସ)