ବେଦାନ୍ତ – ଆରମ୍ଭରୁ ଆଜିଯାଏଁ : ଅସୁବିଧା କେଉଁଠି, ବିରୋଧ କାହିଁକି? ଆପଣ ଜାଣିବା ପାଇଁ ସମସ୍ତ ତଥ୍ୟ

68

ଓଡିଶାରୁ ଫେରିପାରେ ବେଦାନ୍ତ ବିଶ୍ୱବିଦ୍ୟାଳୟ । ଆନ୍ଧ୍ର ମୁହାଁ ହୋଇଛି ଅନୀଲ୍ ଅଗ୍ରୱାଲ୍ ଫାଉଣ୍ଡେସନ୍ । ଏବେ ପୁରୀରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ସ୍ଥାପନ ଏକ ପ୍ରକାର ଅନିଶ୍ଚିତତା ଘେରରେ । କାରଣ ବିଶ୍ୱବିଦ୍ୟାଳୟ ପାଇଁ ଜମିକୁ ନେଇ କୋର୍ଟରେ ଚାଲିଛି ମାମଲା । ଏପରି ସ୍ଥଳେ ସୁଯୋଗ ନେବାକୁ ଆଗେଇ ଆସିଛି ପଡୋଶୀ ଅନ୍ଧ୍ରପଦେଶ । ଆଉ ଅଗ୍ରୱାଲ୍ ଫାଉଣ୍ଡେସନକୁ ନିମନ୍ତ୍ରଣ ଦେଇଛି ନିଜ ରାଜ୍ୟରେ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବାକୁ । ଏହାପରେ ଏବେ ତତ୍ପର ହୋଇପଡିଛନ୍ତି ଓଡିଶା ସରକାର । ବିଶ୍ୱସ୍ତରୀୟ ଏହି ବିଶ୍ୱବିଦ୍ୟାଳୟ କିପରି ଓଡ଼ିଶା ମାଟି ନ’ଛାଡିବ ସେ ନେଇ ଆରମ୍ଭ ହୋଇଛି କସରତ । ନଜର ପକାନ୍ତୁ ବେଦାନ୍ତ ବିଶ୍ୱବିଦ୍ୟାାଳୟକୁ ନେଇ ପୁରା ଘଟଣାକ୍ରମ ଉପରେ ।

ବେଦାନ୍ତ ପାଇଁ ସରକାରଙ୍କ ବ୍ୟାକୁଳତା :
ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ରାଜ୍ୟ ସରକାର ପୁରା ଦମରେ ଲାଗିଥିଲେ । ପୁରୀରେ ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନବୀନ୍ ସରକାରଙ୍କ ପ୍ରତ୍ୟକ୍ଷ ସହଯୋଗରେ ଆରମ୍ଭ ହୋଇଥିଲା । ଏନେଇ ଜଗନ୍ନାଥଙ୍କ ୧୫ଶହ ଏକର ଅମୃତ ମଣୋହୀ ଜମି ବେଦାନ୍ତ ହାତକୁ ଟେକି ଦେବା ଲାଗି ସରକାର ନିଷ୍ପତି ନେଇଥିଲେ । ସ୍ଥାନୀୟ ଲୋକଙ୍କ ସ୍ୱାର୍ଥକୁ ଉପେକ୍ଷା କରି ବେଆଇନ୍ ଜମି ଅଧିଗ୍ରହଣ କରିବା ଅଭିଯୋଗ ହେଲା । ଏପରିକି୨୦୦୯ରେ ସ୍ୱତନ୍ତ୍ର ଆଇନ୍ ବି କଲେ ରାଜ୍ୟ ସରକାର । ଏହି ଆଇନ୍ ବିଧାନସଭାରେ ସବୁଠାରୁ ଐତିହାସିକ ଘଟଣା ଥିଲା । କାରଣ ଏକ ଘରୋଇ ବିଶ୍ୱବିଦ୍ୟାଳୟ ପାଇଁ ବିଧାନସଭା ଅଧିବେଶନକୁ ଗୋଟିଏ ଦିନ ବଢାଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ଚାଲିଥିଲା । ବେଦାନ୍ତ ବିଶ୍ୱବିଦ୍ୟାଳୟ ବିଲ୍ ଗୃହୀତ ହେବା ଏବଂ ତା’ ପୂର୍ବରୁ ଏହି ସଂସ୍ଥାର ପ୍ରତିଷ୍ଠାତା ଅନୀଲ୍ ଅଗ୍ରୱାଲ ଫାଉଣ୍ଡେସନ୍ କୁ ୬ ହଜାର ଏକର ବହୁମୂଲ୍ୟ ଜମି ଦେବା ଲାଗି ରାଜ୍ୟ ସରକାରଙ୍କର ବ୍ୟାକୁଳ ଓ ଚଞ୍ଚଳ ପଦକ୍ଷେପ, କେବଳ ଓଡିଶାରେ ନୁହେଁ ବରଂ ସମଗ୍ର ଭାରତରେ ତଥା ବିଶ୍ୱରେ ଏକ ବିବାଦୀୟ ବିଷୟ ପାଲଟିଗଲା ।

ଇତିହାସ ଆଇନାରେ ବେଦାନ୍ତ :
ପ୍ରାୟ ୧୫ହଜାର କୋଟି ଟଙ୍କା ବ୍ୟୟରେ ଏହି ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ କରିବାକୁ ଯୋଜନା କରିଥିଲା ଅନୀଲ୍ ଅଗ୍ରୱାଲ୍ ଫାଉଣ୍ଡେସନ୍ । ତେଣୁ ପୁରୀ ସମୁଦ୍ରକୂଳରେ ୮୦୦୦ ଏକର ଜମି ନେଇ ବିଶ୍ୱବିଦ୍ୟାଳୟ କରିବାକୁ ୨୦୦୬ ଜୁଲାଇ ୧୯ରେ ରାଜ୍ୟ ସରକାରଙ୍କ ସହ ଏମଓୟୁ ସ୍ୱାକ୍ଷର କରିଥିଲା । ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ ରାସ୍ତାର ନୂଆନଈ ଓ ବାଲିଘାଇ ମଧ୍ୟରେ ଚିହ୍ନଟ ହେଲା ୮୦୦୦ ଏକର ଜମି । ଏଥିରୁ ୬୫୦୦ ଏକର ସ୍ଥାନୀୟ ଗ୍ରାମବାସୀଙ୍କ ହୋଇଥିବାବେଳେ ୧୫୦୦ ଏକର ଶ୍ରୀଜଗନ୍ନାଥଙ୍କ ଜମି ଥିଲା ।

ହେଲେ ଏହି ଜମି ଅଧିଗ୍ରହଣ ବିରୋଧରେ ତେଜିଥିଲା ଆନ୍ଦୋଳନ । ବିଶ୍ୱବିଦ୍ୟାଳୟ ନିର୍ମାଣ ପାଇଁ ଏତେ ଜମିର ଆବଶ୍ୟକତା ନେଇ ଉଠିଥିଲା ପ୍ରଶ୍ନ । କାରଣ ଯେଉଁ ବିଶ୍ୱବିଦ୍ୟାଳୟର ନାମଗନ୍ଧ ସୁଦ୍ଧା ନାହିଁ , ସେହି ବିଶ୍ୱ ବିଦ୍ୟାଳୟ ସହ ରାଜ୍ୟ ସରକାର ଏମଓୟୁ ସ୍ୱାକ୍ଷର କରିବା ଏବଂ ତାଙ୍କୁ ଜଗନ୍ନାଥଙ୍କ ‘ଅମୃତ ମଣୋହି’ ଜମି ସମେତ ୬ହଜାର ଏକର ଜମି ଦେବା ରାଜ୍ୟବାସୀଙ୍କ ପାଇଁ ଥିଲା ଏକପ୍ରକାର ବିଶ୍ୱାସ ଘାତକତା ଥିବା ନେଇ ବିରୋଧୀ ଅଭିଯୋଗ କଲେ । ତେଣୁ ବେଦାନ୍ତ ବିରୋଧରେ ଆରମ୍ଭ ହୋଇଥିଲା ଆନ୍ଦୋଳନ । ଯାହାର ନେତୃତ୍ୱ ନେଇଥିଲେ ବେଣୁଧର ପ୍ରଧାନ, ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ ଏବଂ ପ୍ରିୟଦର୍ଶନ ପଟ୍ଟନାୟକ । ଆନ୍ଦୋଳନ ଏତେ ତୀବ୍ର ହୋଇଥିଲା ଯେ ବେଦାନ୍ତ ଏବଂ ସରକାରଙ୍କ ସମସ୍ତ କଳ କୌଶଳ ଫେଲ୍ ମାରିଥିଲା ।

ବେଦାନ୍ତ ବିରୋଧରେ ମାମଲା ଯାଇଥିଲା କୋର୍ଟକୁ । ୨୦୧୦ରେ ହାଇକୋର୍ଟରେ ହୋଇଥିବା ଦୁଇଟି ଜନସ୍ୱାର୍ଥ ମାମଲା ସହ ୭ଟି ବ୍ୟକ୍ତିଗତ ରିଟ୍ ପିଟିସନର ନିଷ୍ପତି ଆସିଥିଲା । ଯେଉଁଥିରେ ଜମି ଅଧିଗ୍ରହଣକୁ ବେଆଇନ ଦର୍ଶାଇଲେ ହାଇକୋର୍ଟ । ଏହି ରାୟ ବିରୋଧରେ ରାଜ୍ୟ ସରକାର ଏବଂ ଅନୀଲ୍ ଫାଉଣ୍ଡେସନ୍ ତରଫରୁ ସୁପ୍ରିମକୋର୍ଟରେ ମାମଲା ରୁଜୁ କରାଯାଇଥିଲା । ସୁପ୍ରିମକୋର୍ଟ ୨୦୧୧ରେ ଜମି ଅଧିଗ୍ରହଣ ଉପରେ ସ୍ଥିତାବସ୍ଥା ଜାରି କରିଥିଲେ । ସେହିପରି ଫାଉଣ୍ଡେସନ୍ ପକ୍ଷରୁ ଅଧିକୃତ ଜମିରେ ପାଚେରୀ ନିର୍ମାଣ ପାଇଁ ହୋଇଥିବା ଆବେଦନକୁ ଗତ ଏପ୍ରିଲ୍ ମାସରେ ଖାରଜ କରିଦେଇଥିଲେ । ତେବେ ଏ ସଂକ୍ରାନ୍ତରେ ମୁଳ ପିଟିସନର ଶୁଣାଣି ଜାରି ରହିବ ବୋଲି ସୁପ୍ରିମକୋର୍ଟ କହିଥିଲେ । ଯାହାର ଶୁଣାଣି ଏଯାବତ୍ ଚାଲିଛି ।

କାହିଁକି ହେଉଛି ବେଦାନ୍ତକୁ ବିରୋଧ :
ପ୍ରଧାନ ତଥା ପ୍ରଥମ କାରଣ : ଜମିର ପରିମାଣ ଏବଂ ପୁରୀ କୋଣାର୍କ ଅଂଚଳରେ ଜମିର ଆଗ୍ରହ । ଆଗକୁ ଆଗକୁ ଜମି ଅତ୍ୟନ୍ତ ମୂଲ୍ୟବାନ୍ ହେବ । ଏପରି ସ୍ଥଳେ ବେଦାନ୍ତ ୬୦୦୦ ଏକର ଜମି ମାଗିବା ଯଥେଷ୍ଟ ବେଶୀ । ହାଭାର୍ଡ, ଅକ୍ସଫୋର୍ଡଠାରୁ ଆରମ୍ଭ କରି କୌଣସି ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ପାଇଁ ଦୁଇ ହଜାର ଏକରରୁ ଅଧିକ ଜମି ଆବଶ୍ୟକ ପଡ଼ିନଥିବା ସ୍ଥଳେ, ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ପୁରୀ ଜିଲ୍ଲାର ସୁନାଖଣି ଓ ଭାତହାଣ୍ଡି ଭାବରେ ପରିଚିତ ୬ ହଜାର ଏକର ଜମି ବେଦାନ୍ତକୁ ଯୋଗାଇ ଦିଆଯିବାର ଆବଶ୍ୟକତା ବା ଯଥାର୍ଥତା କଣ ? ତେଣୁ ବେଦାନ୍ତ ପାଇଁ ୬୦୦୦ ଏକର ଜମି ଦରକାର ଅର୍ଥ ଓଡିଶା ଜମିକୁ ବର୍ତ୍ତମାନ ଶସ୍ତାରେ ହାତେଇ ଭବିଷ୍ୟତ ପାଇଁ କବଜାରେ ରଖିବା । କିଛି ଏଭଳି ମତକୁ ନେଇ ଆରମ୍ଭ ହୋଇଥିଲା ବିରୋଧ ଆଉ ତେଜିଥିଲା ଆନ୍ଦୋଳନ ।

ଦ୍ୱିତୀୟ କାରଣ : ପ୍ରସ୍ତାବିତ ବିଶ୍ୱବିଦ୍ୟାଳୟ ଅଂଚଳରେ ଅଛି ଅନେକ ଉଚ୍ଚମାନର ଖଣିଜ ସମ୍ପଦ ।

ତୃତୀୟ କାରଣ : ଏହି ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଅନୀଲ୍ ଅଗ୍ରୱାଲ ଶିକ୍ଷାର ବିକାଶ ଲାଗି କେବେ ହେଲେ କୌଣସି ପଦକ୍ଷେପ ନେଇନାହାଁନ୍ତି । ଏପରିକି ଉଚ୍ଚମାନର ଶିକ୍ଷାଦାନ ଲାଗି ଗୋଟିଏ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରିନାହାଁନ୍ତି । ସେ ପ୍ରତିଷ୍ଠା କରୁଥିବା ବିଶ୍ୱବିଦ୍ୟାଳୟ ବିଶ୍ୱସ୍ତରୀୟ କରିପାରିବ କି ? ଏହା ମଧ୍ୟ ପାଲଟିଥିଲା ବିରୋଧ କରିବାର ପ୍ରମୁଖ ପ୍ରସଙ୍ଗ ।

ଚତୁର୍ଥ କାରଣ : ଓଡିଆ ମାଟିରେ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରେ ବାହାର ରାଷ୍ଟ୍ରର ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ଲାଭ କଲେ ଓଡିଶାବାସୀ ଓ ରାଜ୍ୟ ସରକାର କିଭଳି ଉପକୃତ ହେବେ ? ତେଣୁ ଏଭଳି ଏକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦ୍ଵାରା ଯଦି ରାଜ୍ୟ ବା ରାଜ୍ୟବାସୀଙ୍କର କିଛି ଲାଭ ନହୁଏ ତେବେ ଏହି ବିଶ୍ୱବିଦ୍ୟାଳୟ ପାଇଁ ୬ ହଜାର ଏକର ପରିମିତ ଜମି ଦେଇ ରାଜ୍ୟ, ଦେଶ ତଥା ଆମର ଧର୍ମ ଓ ସଂସ୍କୃତି ପ୍ରତି ବିପଦକୁ ନିମନ୍ତ୍ରଣ କରିବା କେତେ ଦୂର ଯଥାର୍ଥ ।

କଣ କୁହଁନ୍ତି ସମର୍ଥକ :
କିଛି ସମର୍ଥକ ଏବଂ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏହି ପ୍ରକଳ୍ପ ଦ୍ୱାରା କୌଣସି ପ୍ରକାର ଲାଭ ଉଠାଇବାର ବା ବ୍ୟବସାୟିକ କାର୍ଯ୍ୟ କରିବାର ପ୍ରଶ୍ନ ଉଠୁନାହିଁ । କାରଣ ଏଠାରେ ଅତ୍ୟାଧୂନିକ ଲୋକାଭିମୁଖୀ ଶିକ୍ଷାନୁଷ୍ଠାନ ହେବା ପାଇଁ ଯୋଜନା ଏବଂ ଘୋଷଣା କରାଯାଇଛି । ଦ୍ୱିତୀୟ କଥା ହେଉଛି ଏଠାରେ ୯୫ଟି ବିଭାଗରେ ଭିନ୍ନଭିନ୍ନ ପାଠ୍ୟକ୍ରମରେ ପ୍ରାୟ ୧ ଲକ୍ଷ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ତଥା ଉଚ୍ଚକୋଟୀର ଗବେଷଣା ପାଇଁ ପ୍ରସ୍ତାବ ରହିଛି । ତେଣୁ କିଛି ବର୍ଷ ପରେ ଛାତ୍ର ଛାତ୍ରୀ , ଅଧ୍ୟାପକ, ଗବେଷକ ଏବଂ କର୍ମଚାରୀମାନଙ୍କୁ ନେଇ ପ୍ରାୟ ୪/୫ ଲକ୍ଷ ଲୋକଙ୍କ ପାଇଁ ଛୋଟ ପରିବେଶ ଅନୁକୂଳ ସହର ହେବ ବୋଲି ଯୋଜନା କରାଯାଇଛି ।

ଏହା ସହ ବିଶ୍ୱବିଦ୍ୟାଳୟ ସମ୍ପୂର୍ଣ୍ଣ ଆବାସିକ ହେବ । ପ୍ରାୟ ୪/୫ ଲକ୍ଷ ଲୋକ ଦେଶ ବିଦେଶରୁ ଆସି ଏଠାରେ ରହିବେ । ଏସବୁ ପାଇଁ ନିଶ୍ଚିତ ଭାବରେ ଅଧିକ ଜମିର ଆବଶ୍ୟକତା ରହିଛି । ତେଣୁ ଭବିଷ୍ୟମୁଖୀ ଏହି ବିରାଟ ବିଶ୍ୱବିଦ୍ୟାଳୟ ପାଇଁ ୬ହଜାର ଏକର ଜମି ଆଦୌ ଅଧିକ ନୁହେଁ । ପରିଶେଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଜମି କଥାକୁ ନେଇ କିଛି ବିଶେଷଜ୍ଞ ମତ ରଖିଛନ୍ତି । କହିଛନ୍ତି ଜମି ବାବଦରେ ବେଦାନ୍ତ ସରକାରଙ୍କୁ ପ୍ରାୟ ୯କୋଟି ଟଙ୍କା ଦେଇସାରିଛନ୍ତି । ଏହା ସହ ସରକାରୀ ନିୟମ ଅନୁଯାୟୀ, ନୀଳକଣ୍ଠପଡା ଏବଂ ବୈଣ୍ଡୋଲ୍ ଗ୍ରାମବାସୀଙ୍କୁ ପ୍ରାୟ ୨କୋଟି ଟଙ୍କା ଦିଆହୋଇଛି । ପ୍ରାୟ କିଛି ଆୟ ପାଉନଥିବା ଜମିରୁ ଏବେ ସରକାର ଶ୍ରୀ ଜଗନ୍ନାଥଙ୍କ ପାଇଁ ବାର୍ଷିକ ପ୍ରାୟ ୮୦ଲକ୍ଷ ଟଙ୍କା ରୋଜଗାର କରିପାରୁଛନ୍ତି ।

ରାଜନୈତିକ ପ୍ରତିକ୍ରିୟା :
ବେଦାନ୍ତ ଆନ୍ଧ୍ରମୁହାଁ ହେବା ପରେ ବିଭିନ୍ନ ରାଜନ÷ତିକ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଜୟ ପଟ୍ଟନାୟକଙ୍କ କହିଛନ୍ତି , ଓଡିଶାରେ ଜମି ପାଇଥିଲେ ମଧ୍ୟ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବାରେ ବେଦାନ୍ତ ସମର୍ଥ ହୋଇନାହିଁ । କାରଣ ୨୦୦୬ରେ ପ୍ରସ୍ତାବ ରଖାଯାଇଥିଲା, ୨୦୧୧ରେ ମାମଲା ସୁପ୍ରିମକୋର୍ଟକୁ ଗଲା । ତେବେ ଏହାରି ଭିତରେ ୬ ବର୍ଷ ବିତିଯାଇଥିଲେ ବି କୈାଣସି ନିଷ୍ପତ୍ତି ନିଆଯାଇନାହିଁ । ହୁଏତ ଏନେଇ ଅବଗତ ହେବା ପରେ ଆନ୍ଧ୍ର ସରକାର ପ୍ରସ୍ତାବ ଦେଇଥାଇପାରନ୍ତି । ତେବେ ପ୍ରକଳ୍ପକୁ ଓଡିଶାରେ ରଖିବାକୁ ଯଥାସମ୍ଭବ ଉଦ୍ୟମ କରାଯାଉଥିବା ସେ ସୂଚନା ଦେଇଛନ୍ତି । ଲଗାତର ଭାବେ ବେଦାନ୍ତ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ରାଜ୍ୟସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି । ଯଦି ବିକଳ୍ପ ଭାବେ ଜମି ଯୋଗାଇ ଦିଆଯାଏ ତେବେ ବିଶ୍ୱବିଦ୍ୟାଳୟ ଓଡିଶାରେ ରହିଯାଇପାରେ ।

ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ କହିଛନ୍ତି, ରାଜ୍ୟ ସରକାରଙ୍କ ପାଖରେ ଏ ସଂପର୍କରେ ଖବର ନାହିଁ, ତେବେ ପ୍ରକଳ୍ପ ବଂଚାଇବାକୁ ଉଦ୍ୟମ କରିବେ ବୋଲି ସେ ସଫେଇ ରଖିଛନ୍ତି । ବେଦାନ୍ତ ଯାଉଛି କି ନାହିଁ ମୋ ପାଖରେ କିଛି ଖବର ନାହିଁ । ଏହାକୁ ନେଇ ବହୁ କେସ୍ ଚାଲିଛି, ବହୁତ ବିରୋଧ ହେଲା ତେଣୁ ପ୍ରକଳ୍ପ ବିଳମ୍ବ ହେଲା । ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ । ମନ୍ତ୍ରୀଙ୍କ ଏହି ଉତ୍ତର ଗୋଟିଏ ଦିଗକୁ ସ୍ପଷ୍ଟ କରୁଛି, ଯେ ହୁଏତ ଆଗାମୀ ଦିନରେ କିଛି ବଡ ଘୋଷଣା ବେଦାନ୍ତ ବିଶ୍ୱବିଦ୍ୟାଳୟକୁ ନେଇ ହୋଇପାରେ । ସୂଚନା ଅନୁସାରେ, ସରକାରୀ ସ୍ତରରେ କିଛି ଦିନ ତଳେ ଏନେଇ ଏକ ବୈଠକ ମଧ୍ୟ ବସିଥିଲା । ତେବେ ବେଦାନ୍ତ ବିଶ୍ୱବିଦ୍ୟାଳୟ ରହି ବି ଯିବ ତାକୁ ନେଇ ଏନେ ଦ୍ୱନ୍ଦ୍ୱ ବଢିବାରେ ଲାଗିଛି ।

ସେହିଭଳି ବିଶ୍ୱବିଦ୍ୟାଳୟକୁ ବିରୋଧ ଜାରି ରଖିଥିବା ଉମ୍ମା ବଲ୍ଲଭ ରଥ କହିଛନ୍ତି, ଅନ୍ୟ କୈଣସି ଜାଗାରେ ବେଦାନ୍ତ ବିଶ୍ୱ ବିଦ୍ୟାଳୟ କରାଯାଇ ପାରନ୍ତା । ବିଶ୍ୱବିଦ୍ୟାଳୟ ନାଁରେ ଜମି ହଡପ କରିବା ଅନୀଲ ଅଗ୍ରୱାଲ ଫାଉଣ୍ଡେସନର ମୁଳ ଉଦ୍ଦେଶ୍ୟ ଥିଲା । ଯେଉଁଭଳି ଢଙ୍ଗରେ ସରକାର ୮ ହଜାର ଏକର ଜମି ଅଧିଗ୍ରହଣ କରିନେଲେ ତାହା କୈାଣସି ବି ରାଜ୍ୟରେ ଆଜିଯାଏଁ ଦେଖିବାକୁ ମିଳିନାହିଁ । ଓଡିଆ ପିଲାଙ୍କ ପାଇଁ ଏଠି କିଛି ସଂରକ୍ଷଣ ବ୍ୟବସ୍ଥା ନଥିଲା । ସମସ୍ତ ଆଇନ କାନୁନକୁ ବଳି ଦେଇ ରାଜ୍ୟ ସରକାର କାର୍ୟ୍ୟ କରୁଥିଲେ । ଏହାରି ଭିତରେ ନଜର କଣ ହେଉଛି ଓଡିଶାରେ ଏହି ବିଶ୍ୱବିଦ୍ୟାଳୟର ଭବିଷ୍ୟତ?