ଓଡିଶା ପ୍ରଦେଶର ଜନକ , ଓଡିଆ ପ୍ରାଣର ପ୍ରତିଷ୍ଠାତା : ଉତ୍କଳ ଗୈାରବ ମଧୁସୂଦନ ଦାସ

780

ଓଡିଆ ଜାତିର ତ୍ରାଣକର୍ତ୍ତା, ମୁକ୍ତିଦାତା,କୂଳବୃଦ୍ଧ ମଧୁସୂଦନ ଦାସ । କଟକ ଜିଲ୍ଲାର ସତ୍ୟଭାମାପୁରରେ ୨୮ ଅପ୍ରେଲ, ୧୮୪୮ରେ ଜନ୍ମ ଗ୍ରହଣ କରିଥିଲେ ମଧୁସୂଦନ ଦାସ । ଚାଟଶାଳୀ ପଢା ଶେଷ କରି କଟକ ଯାଇଥିଲେ ପାଠପଢିବାକୁ । ୧୮୮୪ରେ କଟକ ସ୍କୁଲରୁ ଏଣ୍ଟ୍ରାନ୍ସ ପାସ୍ କରିଥିଲେ । ଏହାପରେ ବାଲେଶ୍ୱରରେ କିରାନି ଚାକିରି କରିଥିଲେ । ପରେ କଲିକତା ଯାତ୍ରା କରିଥିଲେ । ସେଠାରେ ୧୮୭୦ରେ ବି.ଏ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ।

ମଧୁବାବୁ ଥିଲେ ଜଣେ ଓଡିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା । ଲେଖକ ଓ କବି ଥିଲେ । ସେ ଥିଲେ ଓଡିଶାର ପ୍ରଥମ ବାରିଷ୍ଟର । ପ୍ରଥମ ଓଡିଆ ଗ୍ରାଜୁଏଟ୍ ,ପ୍ରଥମ ଓଡିଆ ଏମ.ଏ , ପ୍ରଥମ ଓଡିଆ ବିଲାତ ଯାତ୍ରୀ ,ପ୍ରଥମ ମନ୍ତ୍ରୀ, ପ୍ରଥମ ବିହାର-ଓଡିଶା ବିଧାନସଭା ସଦସ୍ୟ । ଓଡିଶାର ବିଚ୍ଛିନ୍ନାଂଚଳର ଏକତ୍ରୀକରଣ ପାଇଁ ସେ ସାରା ଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧,ରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡିଶା ପ୍ରତିଷ୍ଠା ହୋଇଥିଲା ।

ବଡ ସ୍ୱାଭିମାନୀ ଥିଲେ ଏହି ଓଡିଆ –
ମଧୁବାବୁ ଥିଲେ ବଡ ସ୍ୱାଭିମାନୀ । ଓଡିଆକୁ ନେଇ ସେ ଖୁବ୍ ଗର୍ବ ଅନୁଭବ କରୁଥିଲେ । କଲିକତା ବିଶ୍ୱବିଦ୍ୟାଳୟରେ ବି.ଏ ପରୀକ୍ଷାର୍ଥୀମାନଙ୍କ ସଂସ୍କୃତ ପରୀକ୍ଷାର ଉତ୍ତର ନିଜ ମାତୃଭାଷାରେ ଲେଖିବା ନିୟମ ଥିଲା , କିନ୍ତୁ ପରୀକ୍ଷକ ବଙ୍ଗଳା ଛଡା ଅନ୍ୟ କୈାଣସି ଭାଷା ଜାଣି ନଥିବାରୁ ବଙ୍ଗଳା ବ୍ୟତୀତ ଅନ୍ୟ କୈାଣସି ଲିପିରେ ସଂସ୍କୃତ ପ୍ରଶ୍ନୋତ୍ତର ଲେଖିବାକୁ ଅନୁମତି ମିଳୁନଥିଲା । ମଧୁବାବୁ ନିଜ ମାତୃଭାଷା ଓଡିଆରେ ସଂସ୍କୃତର ଉତ୍ତର ଲେଖିବା ପାଇଁ ଜିଦ୍ ଧରି ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ୍ ସଦସ୍ୟମାନଙ୍କୁ ଜଣାଇଲେ । ସେଠାରୁ କୈାଣସି ସୁଫଳ ନମିଳିବାରୁ ବଙ୍ଗ-ବିହାର-ଓଡିଶାର ଲ୍ୟୁଟନାଣ୍ଟ ଗଭର୍ଣ୍ଣରଙ୍କୁ ଟେଲିଗ୍ରାମ ପଠାଇଥିଲେ । ଏବଂ ତାଙ୍କର ସାହାଯ୍ୟରେ ଓଡିଆରେ ଉତ୍ତର ଲେଖିଥିଲେ ମଧୁବାବୁ ।