ମହିଳାଙ୍କର ମହତ କାର୍ଯ୍ୟକୁ ନେଇ ପ୍ରଶଂସା ! ୫୦ ହେକ୍ଟର ଶାଳ ବଣର ପ୍ରହରୀ ସାଜିଲେ ଯମୁନା

45

ଝାରଖଣ୍ଡର ପୂର୍ବ ସିଂହଭୂମ ଜିଲ୍ଲା ଅନ୍ତର୍ଗତ ମୁଟୁରଖାମ ଗାଁକୁ ଲାଗିଥିବା ବିସ୍ତୃତ ଶାଳ ବଣ ଏବେ ସଂପୂର୍ଣ୍ଣ ସୁରକ୍ଷିତ । ଗଲା କୋଡ଼ିଏ ବର୍ଷ ଧରି ପ୍ରାୟ ପଚାଶ ହେକ୍ଟର ଶାଳ ବଣରୁ ଗୋଟିଏ ବି ଗଛ କଟାଯାଇନାହିଁ । ସତତିରିଶ ବର୍ଷ ବୟସ୍କା ଯମୁନା ଟୁଡୁ ଏବଂ ତାଙ୍କ ଦ୍ୱାରା ଗଠିତ ‘ବନ ସୁରକ୍ଷା ସମିତି’ର ସଦସ୍ୟମାନଙ୍କ ଲମ୍ବା ଲଢେଇର ଏହା ସୁଫଳ । ଚବିଶ ଘଣ୍ଟିଆ ପହରା ଓ ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ କଡ଼ା ଆଭିମୁଖ୍ୟ ଯୋଗଁ  ଏହା ସମ୍ଭବ ହୋଇପାରିଛି ।

ଦଶମ ଶ୍ରେଣୀ ଯାଏ ପଢିଥିବା ଯମୁନା ୧୯୯୮ରେ ଏହି ଗାଁକୁ ବୋହୂ ହୋଇଆସିଥିଲେ । ଚୋରମାନେ ଜଙ୍ଗଲରେ ନିଆଁ ଲଗାଇ କାଠ ବିକ୍ରି କରୁଥିଲେ, ସେହି ଟଙ୍କାରେ ମଦ ପିଉଥିଲେ; ଯାହା ତାଙ୍କୁ ଖୁବ୍ ବ୍ୟଥିତ କଲା । ସେ ଏକ ପରିବେଶପ୍ରେମୀ ପରିବାରରେ ବଢିଥିଲେ । ପିଲାଟି ଦିନରୁ ଜାଣିଥିଲେ ପ୍ରାକୃତିକ ପରିବେଶ ଇଶ୍ୱରଦତ୍ତା ନଷ୍ଟ ହେବାକୁ ଯାଉଥିବା ଜଙ୍ଗଲର ସୁରକ୍ଷା ପାଇଁ ଅଣ୍ଟା ଭିଡିଲେ ।

ପ୍ରଥମେ ବହୁ ବିରୋଧର ସମ୍ମୁଖୀନ ହେବାକୁ ପଡିଲା । ସାହସ କରି ଗାଁର ପଚିଶ ଜଣ ମହିଳାଙ୍କୁ ଏକଜୁଟ କରି ‘ବନ ସୁରକ୍ଷା ସମିତି’ ଗଢିଲେ । ଏବେ ଦଳରେ ଷାଠିଏ ଜଣ କାମ କରୁଛନ୍ତି । ଧନୁ,ତୀର, ଲାଠି ଧରି ଜଙ୍ଗଲ ଜଗୁଛନ୍ତି । ପ୍ରତିବର୍ଷ ଗଛରେ ରାଖି ବାନ୍ଧୁଛନ୍ତି । ଜଙ୍ଗଲ ସୁରକ୍ଷା ପାଇଁ ସମସ୍ତେ ପ୍ରତିଶ୍ରୁଦ୍ଧିବନ୍ଧକ । ଯମୁନା ‘ଲେଡି ଟାର୍ଜନ୍’ ଭାବେ ପରିଚିତ । ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ପଦକ୍ଷେପ ଯୋଗୁଁ ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି ।