ଗଛ ଲଗାଇବାର ନିଆରା ନିଶା ! ୧୦୩ ବର୍ଷ ବୟସରେ ଲଗେଇଲେଣି ୩୮୪ଟି ବରଗଛ

83

ଆମ ସମାଜରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ସବୁବେଳେ ସମାଜ ପାଇଁ କିଛି କରିବାକୁ ମନ ବଳାଇଥାନ୍ତି । ବୟସ ବି ସେମାନଙ୍କର ଦୃଢ ମନୋବଳ ପାଖରେ ହାର୍ ମାନିଥାଏ । ଲୋକଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ପଦ ପରିଚୟ ହାସଲ କରିଥାନ୍ତି ସେମାନେ । ଏମିତି ଏକ ମହିଳାଙ୍କ ବିଷୟରେ ଇୟୋରଷ୍ଟୋରୀରେ ପ୍ରକାଶିତ ହୋଇଛି ଏକ ଶିକ୍ଷଣୀୟ ଖବର । ଯାହା ଅନ୍ୟମାନଙ୍କୁ ଖୁବ୍ ଅନୁପ୍ରାଣିତ କରିବ ।

ତିମକ୍କା ନାମ୍ନୀ ଜଣ ୧୦୩ ବର୍ଷୀୟ ମହିଳା କରିଛନ୍ତି ମହତ କାର୍ଯ୍ୟ । ଏବେ ସୁଦ୍ଧା ୧୦୦ରୁଅଧିକ ବରଗଛ ଲଗାଇଛନ୍ତି । ସେ ନା କୌଣସି ବହିରୁ ପର୍ଯ୍ୟାବରଣ ବିଷୟରେ ପ୍ରେରଣା ନେଇଛନ୍ତି ନା କୌଣସି ସ୍କୁଲ ଯାଇଛନ୍ତି । ମୂଲଲାଗି ଚଳୁଥିବା ଏକ ଗରୀବ ପରିବାରରେ ଜନ୍ମ ହୋଇଥିଲେ ତିମକ୍କା । ପରିବେଶର ସୁରକ୍ଷା ପାଇଁ ସେ ଯାହା କରିଛନ୍ତି , ତା ହୁଏତ ଅନେକଙ୍କ ପାଇଁ ଆଶ୍ଚର୍ଯ୍ୟକର ବିଷୟ ହେବ । କର୍ଣ୍ଣାଟକର ବେଙ୍ଗଲୁରୁର ଗ୍ରାମୀଣ ଜିଲ୍ଲା ହୁଲିକଲ ଗାଁରେ ଜନ୍ମ ହୋଇଥିବା ତିମକ୍କାଙ୍କର ବିବାହ ଖୁବ୍ କମ୍ ବୟସରେ ହୋଇଥିଲା । ତାଙ୍କର ପତି ଚିକ୍କୟା ଗୃହପାଳିତ ପଶୁମାନଙ୍କୁ ଚରାଇବା କାମ କରୁଥିଲେ । କିନ୍ତୁ ବିବାହର ୨୫ ବର୍ଷ ପରେ ଉଭୟ ଦଂପତିଙ୍କର କୌଣସି ସନ୍ତାନ ସନ୍ତତି ହୋଇନଥିଲେ । ଏଥିରେ ନିରାଶ ହୋଇ ଦୁହେଁ ବୃକ୍ଷଲତା ଆଦି ଲଗାଇବାକୁ ସ୍ଥିର କଲେ । ଏବଂ ନିଜର ପିଲାଙ୍କ ଭଳି ଏହି ଗଛଗୁଡିକୁର ପାଳନପୋଷଣ କଲେ ।

ତାଙ୍କର ଗାଁରେ କିଛି ବରଗଛ ଥିଲା । ସେ ଏହି ବୃକ୍ଷର ମଂଜିରୁ ଚାରା ରୋପଣ କଲେ । ପ୍ରଥମ ବର୍ଷ ସେ ନିଜର ଗାଁ ଠାରୁ ୪ କିଲୋମିଟର ଦୂରରେ ଦଶଟି ଚାରା ଲଗାଇଲେ । ଏହାପରେ ତା’ପର ବର୍ଷ ୧୫ ଓ ତୃତୀୟ ବର୍ଷ ୨୦ଟି ଚାରା ଆହୁରି ଲଗାଇଲେ । ଏହି କାମ ପାଇଁ ତିମକ୍କା ନା କାହାର ସାହାଯ୍ୟ ନେଇଛନ୍ତି ନା କିଛି ଅର୍ଥ ସାହାଯ୍ୟ । ସେ ଏକା ଏକା ସବୁ କରିଛନ୍ତି । ଦୁଇ ଦଂପତି ଚାରି କିଲୋମିଟର ଯାଏ ପାଦରେ ଚାଲି ଚାଲି ପାଣି ନେଉଥିଲେ । ଆଉ ସେହି ବୃକ୍ଷର ଚାରାରେ ପାଣି ଦେଉଥିଲେ ଏବଂ ଚାରା ବୃକ୍ଷକୁ ବାଡ ଦେଇ ଆବୃତ କରୁଥିଲେ , କାଳେ ଅନ୍ୟ ଜନ୍ତୁ ମାନେ ଏହାକୁ ଖାଇବେ ବା ନଷ୍ଟ କରିଦେବେ ।

ଗଛ ଲଗାଇବାର ଏହି ପ୍ରୟାସ ଏମିତି ପ୍ରତିବର୍ଷ ଉଭୟ ଦଂପତି କରିବାକୁ ଲାଗିଲେ । ଗଛ ଲତାକୁ ନିଜର ସନ୍ତାନ କରି ହସଖୁସିରେ ବଂଚିଚାଲିଥିବା ତିମକ୍କାଙ୍କ ଜୀବନରେ ଆସିଲା ଭୂମିକମ୍ପ । ନିଜର ସ୍ୱାମୀ ଚିକ୍କୟା ଯେତେବେଳେ ଏଳାକରି ପରପାରିକୁ ଚାଲିଗଲେ । ସେମାନେ ଉଭୟ ୫୦ ବର୍ଷ ସୁଦ୍ଧା ଶହ ଶହ ଗଛ ଲଗାଇଥିଲେ । ଏହାର ଫଳସ୍ୱରୁପ ତାଙ୍କର ଗାଁ କୁଡୁର ଠାରୁ ହୁଲିକଲ୍ ଯାଏ ୫ କିଲୋମିଟର ଦୂର ଯାଏ କେବଳ ଛାୟା ଭରିଯାଇଥିଲା । ଗାଁ ଓ ଏହାର ଆଖପାଖର ଲୋକଙ୍କ ନଜରରେ ଏହି ବୃଦ୍ଧ ଦଂପତିଙ୍କର ପରିଚୟ ଓ ସମ୍ମାନ ଖୁବ୍ ବଢିଯାଇଥିଲା । ଗାଁର ଲୋକେ ସେମାନଙ୍କୁ ‘ସାଲୁମରଦା’ କହିବାକୁ ଲାଗିଲେ ।  ଯାହାର କନ୍ନଡରେ ଅର୍ଥ ଗଛର ଧାଡି ।

ତିମକ୍କାଙ୍କୁ ପୂର୍ବରୁ କେହି ଜାଣିନଥିଲେ । କିନ୍ତୁ ୧୯୯୬ରେ ରାଷ୍ଟ୍ରୀୟ ନାଗରିକ ପୁରସ୍କାରରେ ବଛାଯିବା ପରେ ଦଶର ସବୁ ଖବର କାଗଜରେ ତାଙ୍କର କାହାଣୀ ପ୍ରକାଶ ପାଇଥିଲା । ତାଙ୍କର ଜୀବନୀ ଉପରେ ଏକ ଫିଲ୍ମ ମଧ୍ୟ ତିଆରି ହୋଇଛି । ଅଲ୍ ଜଜିରାର ଅନୁସାରେ, ତାଙ୍କୁ ବହୁତ ପୁରସ୍କାର ମିଳିସାରିଛି । କର୍ଣ୍ଣାଟକ ସିଏ ଅନେକ ଥର ତାଙ୍କୁ ପୁରସ୍କୃତ କରିସାରିଛନ୍ତି । ୧୦୩ ବର୍ଷ ବୟସାରେ ବି ତିମକ୍କା ଙ୍କ ଇଚ୍ଛା ଓ ପ୍ରଚେଷ୍ଟା କମିନାହିଁ । ସେ ଲଗାତାର ନିଜର କାମ କରିଚାଲିଛନ୍ତି । ସେ ଡାକ୍ତରଖାନା ଖୋଲିବାକୁ ଚାହିଁଛନ୍ତି କିନ୍ତୁ ତାଙ୍କୁ କୌଣସି ଠାରୁ ସାହାଯ୍ୟ ମିଳିନାହିଁ । କିନ୍ତୁ ସେ ନିଜର ପ୍ରୟାସରେ ଲାଗିଛନ୍ତି ।