ଭୋକିଲା ମଣିଷର ଭଗବାନ ଶୀତଲ! ନିତି ରାତିରେ ଗରିବ ଲୋକଙ୍କୁ ପରସନ୍ତି ଖାଦ୍ୟ

39

ବିଚିତ୍ର ଆମର ଏ ଦୁନିଆ । ଏଇଠି କିଛି ଲୋକ ସୁଖ ଆରାମରେ ଦିନ ବିତେଉଥିବା ବେଳେ ଆଉ କିଛି ପେଟ ଚାଖଣ୍ଡକ ପାଇଁ ଭିକ୍ଷା ବୃତ୍ତି କରନ୍ତି । ଭୋକିଲା ପେଟରେ ପାଣି ପିଇ ଶୋଇଯା’ନ୍ତି ନିଦରେ । ନିଦତ ହୁଏନି , କିନ୍ତୁ ସେମାନଙ୍କୁ ନିଦର ବାହାନା କରିବାକୁ ପଡେ । ଆଉ ଗୋଟେ ସକାଳକୁ ଅପେକ୍ଷା କରିବାକୁ ହୁଏ । ସେହି ଭୋକିଲା ମଣିଷର ଦୁଃଖକୁ ଖୁବ୍ ପାଖରୁ ଦେଖନ୍ତି କିଛି ଲୋକ । ନିଜ ପେଟ ଭରିବା ଆଗରୁ , ସେ ଅନ୍ୟର ପେଟକୁ ଦାନା ଦେଇଥାନ୍ତି । ଏମିତି ଜଣେ ମହତ ମଣିଷ ହେଲେ ଗୁଜୁରାଟର ଝିଅ ଶୀତଲ ଶର୍ମା । ବୟସ ମାତ୍ର ୨୦ ବର୍ଷ । କିନ୍ତୁ ଆଜି ସେ ଯେଉଁ କାର୍ଯ୍ୟକରୁଛନ୍ତି , ପାଲଟିଛନ୍ତି ପ୍ରଶଂସାର ପାତ୍ରୀ । ‘ଦ ଲଜିକାଲ୍ ଇଣ୍ଡିଆନ’ ରେ ପ୍ରକାଶିତ ହୋଇଛି ଏହି ଖବର ।

ରାତିରେ ସମସ୍ତେ ଆରାମରେ ସୁଖ ନିଦ୍ରା ଯିବା ବେଳେ ଶୀତଳ ଏବଂ ତାଙ୍କର ବନ୍ଧୁୁମାନେ ଆରମ୍ଭ କରିଦିଅନ୍ତି ନିଜର ଅଭିଯାନ । ଖାଦ୍ୟ ସଂଗ୍ରହ ପାତ୍ର ଧରି ହାତରେ ଗ୍ଲୋଭସ୍ ପିନ୍ଧି ସେମାନେ ଭୋକିଲା ଲୋକଙ୍କ ପାଖରେ ଖାଦ୍ୟ ପହଁଚାଇବାରେ ଲାଗିପଡନ୍ତି । ବିଭିନ୍ନ ଲୋକଙ୍କ ଘର ,କଂପାନୀ କ୍ୟାଣ୍ଟିନ୍ ତଥା ହୋଟେଲ ଏପରିକି ବାହାଘର ପରି ଉତ୍ସବରେ ବଳିପଡୁଥିବା ଖାଦ୍ୟ ସବୁ ସଂଗ୍ରହ କରି ସହରର ଭୋକିଲା ଲୋକଙ୍କୁ ବାଣ୍ଟି ଚାଲନ୍ତି । ଏହା ଦିନେ କି ଦୁଇ ଦିନର ନୁହେଁ , ଶୀତଲ ଓ ତାଙ୍କର ବନ୍ଧୁମାନେ ଏହା ପ୍ରତିଦିନ କରିଥାନ୍ତି । ଆଉ ଲୋକଙ୍କର କୌଣସି କଥାକୁ ଖାତିର କରନ୍ତି ନାହିଁ । କାହାର ପ୍ରଶ୍ନର ଉତ୍ତର ଦେବାକୁ ମଧ୍ୟ ଅପେକ୍ଷା କରନ୍ତି ନାହିଁ ଶୀତଲ । ସେ ଜାଣନ୍ତି ସେ କଣ କରୁଛନ୍ତି । ଆଉ ସମସ୍ତେ ବି ଆଜି ପାଇଯାଇଛନ୍ତି ରାତିରେ ବନ୍ଧୁମାନଙ୍କ ସହ ଘୁରିବୁଲୁଥିବା ଶୀତଲଙ୍କ ଉଦ୍ଦେଶ୍ୟକୁ ।

ଅହମ୍ମଦାବାଦର ଏସଜି ହାଇୱେ ଶିବରଂଜନୀ , ପଂଜରପୋଲ , ଲାଖୁଡି , ତଲୱଡି , ଅଂଚଳ କ୍ରସ୍ ରୋଡ୍ ଆଦି ଅଂଚଳରେ ୬୦୦ରୁ ଅଧିକ ଲୋକଙ୍କୁ ଶୀତଲ ଖାଦ୍ୟ ବାଣ୍ଟିଥାନ୍ତି । ସେମାନେ ପ୍ରାୟତଃ ରେସ୍ତୋରାଁ ଏବଂ ହୋଟେଲରୁ ବଳକା ଖାଦ୍ୟ ସଂଗ୍ରହ କରନ୍ତି । କଲେଜରେ ପଢୁଥିବା ଶୀତଲ ଦିନରେ ନିଜର କାମଧନ୍ଦା କରିବା ଏବଂ ପାଠପଢା ସହ ରାତିରେ ଏଭଳି କାମରେ ଲାଗିଥାନ୍ତି । ‘ଫିଡିଙ୍ଗ ଇଣ୍ଡିଆ’ ସଂଗଠନ ସହ ସେ ଜଡିତ । ଏହି ସଂସ୍ଥା ଦେଶରେ ଅନାହାର ଏବଂ ଖାଦ୍ୟ ନଷ୍ଟ ବିରୋଧରେ ଅଭିଯାନ ଚଳାଇଛି । ଦେଶରେ ପର୍ଯ୍ୟାପ୍ତ ଖାଦ୍ୟଶସ୍ୟ ଉତ୍ପାଦନ ହେଉଥିବା ବେଳେ ୨୦ କୋଟିରୁ ଅଧିକ ଲୋକ ଅନାହାରରେ ପୀଡିତ ଥିବା ନେଇ ଚିନ୍ତା ପ୍ରକଟ କରନ୍ତି ଏହି ସଂଗଠନର ସଦସ୍ୟମାନେ ।

ଏବେ ଶୀତଲ ବିବିଏ ପାଠ୍ୟକ୍ରମର ଛାତ୍ରୀ । ‘ଫିଡିଙ୍ଗ୍ ଇଣ୍ଡିଆ’ର ସିଟି ଲିଡର ଭାବେ ସେ କାର୍ଯ୍ୟରତ । ଏହା ପୂର୍ବରୁ ‘ମେକ୍ ଏ ଡିଫରେନ୍ସ’ ସଂଗଠନ ସହ ସେ କାମ କରିସାରିଛନ୍ତି । ପିଲାଟି ଦିନରୁ ସମାଜସେବା କରିବାରେ ସେ ବେଶ୍ ଆଗ୍ରହୀ କୌଣସି ଅଭାବୀ ଭୋକିଲା ଲୋକଙ୍କୁ ଖାଦ୍ୟ ଯେଉଁ ସନ୍ତୋଷ ମିଳେ ତା’ଠାରୁ ବେଶିି ଖୁସି ଆଉ କେଉଁ କାମରେ ମିଳିପାରେନି ବୋଲି ଶୀତଲ କହନ୍ତି । ଆଜି ସେ ନିଜ କାମକୁ ନେଇ ଖୁବ୍ ଗର୍ବତ ।