ଉତ୍ତର ପ୍ରଦେଶ ରାଜନୀତିରେ ନାଟକୀୟ ମୋଡ : ବାପାଙ୍କୁ ହଟାଇ ପୁଅ ବନିଲେ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ

20

ସମାଜବାଦୀ ପାର୍ଟିରେ ଫ୍ୟାମିଲି ଡ୍ରାମା ପାର୍ଟ ଟୁ । ଏକ ନାଟକୀୟ ଘଟଣାକ୍ରମରେ ବାପା ମୁଲାୟମ ସିଂ ଯାଦବକୁ ପଦଚ୍ୟୁତ କରି ସମାଜବାଦୀ ପାର୍ଟିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଛନ୍ତି ପୁଅ ଅଖିଳେଶ । ବାପାଙ୍କ ବିରୋଧରେ ବିଦ୍ରୋହ କରି ଆଜି ଦଳର ରାଷ୍ଟ୍ରୀୟ ଅଧିବେଶନ ଡାକିଥିଲେ ଅଖିଳେଶ । ସାଙ୍ଗରେ ଥିଲେ ଦାଦା ରାମଗୋପାଳ ଯାଦବ । ଆଉ ସର୍ବସମ୍ମତିକ୍ରମେ ଅଖିଳେଶ ହୋଇଥିଲେ ଦଳର ସର୍ବେସର୍ବା ।

ବାପାଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ହଟାଇ ଅଖିଳେଶ ନିଜେ ବସିଛନ୍ତି ଗାଦିରେ । ମୁଲାୟମଙ୍କୁ ଦିଆଯାଇଛି ଦଳର ମାର୍ଗଦର୍ଶକ ଭୂମିକା । ଖାଲି ସେତିକି ନୁହେଁ ଦାଦା ଶିବପାଲ ଯାଦବ ଓ ବାପାଙ୍କ ପାଖ ଲୋକ ଅମର ସିଂହଙ୍କୁ ଦଳରୁ ବିଦା କରାଯାଇଛି । ପୁଅର ପତିଆରା ଆଗରେ ବାପାଙ୍କ ଦକ୍ଷତା କମୁଥିବାରୁ ନେତା ବି ଅଖିଳେଶଙ୍କୁ ସମର୍ଥନ କରିଛନ୍ତି ।

ସେପଟେ ବୈଠକକୁ ଅସାମ୍ବିଧାନିକ ବୋଲି କହିଛନ୍ତି ସୁପ୍ରିମୋ ମୁଲାୟମ ସିଂ ଯାଦବ । ପୂର୍ବରୁ ଏହି ବୈଠକରେ ଯୋଗ ଦେବା ଉପରେ ଫତୱା ଜାରି କରିଥିଲେ ନେତାଜୀ । ଏପରିକି ଦଳରୁ ବହିଷ୍କାର କରିବାକୁ ବି ଚେତାବନୀ ବି ଦେଇଥିଲେ । ହେଲେ ପୁଅ ଆଗରେ ଫିକା ପଡିଗଲା ବାପାଙ୍କ ସମସ୍ତ ରଣକୌଶଳ ।

ଗତକାଲି ୨୦୭ ଜଣ ବିଧାୟକଙ୍କୁ ଧରି ଶକ୍ତି ପ୍ରଦର୍ଶନ କରିଥିଲେ ଅଖିଳେଶ । ୧୮ ଘଂଟା ଚାଲିଥିଲା ବଳ କଷାକଷି । ପରେ ମୁଖ୍ୟମନ୍ତ୍ରୀ ଅଖିଳେଶ ସିଂହ ଯାଦବ ଓ ବରିଷ୍ଠ ନେତା ରାମ ଗୋପାଳ ଯାଦବଙ୍କ ଉପରେ ବହିଷ୍କାର ଆଦେଶ ପ୍ରତ୍ୟାହାର କରିଥିଲେ ସୁପ୍ରିମୋ । ବାପ-ପୁଅଙ୍କ ମଧ୍ୟରେ ମିଳାମିଶା ନେଇ ରାଜ୍ୟବାସୀ ଓ ଦଳୀୟ କର୍ମୀଙ୍କୁ ସଂଦେଶ ଦିଆଯାଇଥିଲା । ହେଲେ ଏବେ ଆରମ୍ଭ ହୋଇଛି ଫ୍ୟାମିଲି ଡ୍ରାମା ପାର୍ଟ-ଟୁ ।