ଜୀବନକୁ ପୂର୍ଣ୍ଣଉପଭୋଗ କରିବା ପାଇଁ ରାଜା ଯଯାତି ପୁଅଠୁ ନେଇଥିଲେ ଯୌବନ!

242

yayati2ରାଜା ଯଯାତିଙ୍କ ବିବାହ ଶୁକ୍ରାଚାର୍ଯ୍ୟଙ୍କ କନ୍ୟା ଦେବଯାନୀଙ୍କ ସହ ହୋଇଥିଲା । ଏକଦା ଦେବଯାନୀଙ୍କ ସହ ରାଜା ବୃଷପର୍ବଙ୍କ କନ୍ୟା ଶର୍ମିଷ୍ଠା ଅନ୍ୟ ଦାସୀମାନଙ୍କ ଗହଣରେ ସ୍ନାନ କରୁଥିଲେ । ସ୍ନାନ ଶେଷ କରି ସେମାନେ ଯେତେବେଳେ ବସ୍ତ୍ର ପରିଧାନ କରୁଥିଲେ, ଭୁଲକ୍ରମେ ଶର୍ମିଷ୍ଠା ଦେବଯାନୀଙ୍କ ବସ୍ତ୍ର ପିନ୍ଧି ପକାଇଥିଲେ । ଏଥିରେ ଦେବଯାନୀ କ୍ରୋଧାନ୍ୱିତା ହୋଇ ଶର୍ମିଷ୍ଠାଙ୍କୁ ଅତି କଟୁ ଭର୍ତ୍ସନା କଲେ । ସେ ଦେବଯାନୀଙ୍କର ବସ୍ତ୍ର ଛଡାଇ ଖୁବ୍ ପିଟି ଗୋଟିଏ ପରିତ୍ୟକ୍ତ କୂଅରେ ତାଙ୍କୁ ଗଳାଇ ଘରକୁ ଚାଲିଗଲେ ।

ସେହି କୂଅରୁ ରାଜା ଯଯାତି ଦେବଯାନୀଙ୍କୁ ଉଦ୍ଧାର କରିଥିଲେ । ଦେବଯାନୀ କହିଥିଲେ ମୁଁ ଯେଉଁ ରାଜ୍ୟକୁ ବୋହୂ ହୋଇଯିବି ସେଠାରେ ଶର୍ମିଷ୍ଠା ହେବ ମୋର ଦାସୀ । ସେୟା ହେଲା । ରାଜା ଯଯାତି ଓ ଦେବଯାନୀଙ୍କ ବିବାହ ହେଲା । ଶର୍ମିଷ୍ଠା ହେଲେ ତାଙ୍କ ଦାସୀ । ଶୁକ୍ରାଚାର୍ଯ୍ୟ ଶର୍ମିଷ୍ଠାଙ୍କ ସହ ବିଷୟା ଭୋଗ ନକରିବାକୁ ରାଜା ଯଯାତିଙ୍କୁ ସାବଧାନ କରିଦେଇଥିଲେ । କିନ୍ତୁ ପରେ ଶର୍ମିଷ୍ଠାଙ୍କ ସୁନ୍ଦର ରୂପ ଓ ଆଚରଣରେ ମୁଗ୍ଧ ହୋଇ ଶ୍ୱଶୁରଙ୍କ କଥା ଭୁଲିଗଲେ । ଏହି କଥା ଶୁକ୍ରାଚାର୍ଯ୍ୟ ଜାଣିପାରିଲେ । ରାଜା ଯଯାତିଙ୍କୁ ଅକାଳ ବାର୍ଦ୍ଧକ୍ୟର ଅଭିଶାପ ଦେଲେ ।

ରାଜା ଯଯାତି କ୍ଷମା ମାଗିଲେ । ଏହି ବାର୍ଦ୍ଧକ୍ୟ ଦୋଷରୁ ମୁକ୍ତି ପାଇଁ ପ୍ରାର୍ଥନା କଲେ । ଶୁକ୍ରାଚାର୍ଯ୍ୟ କହିଲେ ,ଯଦି ତୁମ ପୁଅମାନଙ୍କ ଭିତରୁ କିଏ ତୁମର ବାର୍ଦ୍ଧକ୍ୟ ନେଇପାରନ୍ତି, ତୁମେ ଯୌବନ ଫେରିପାଇବ । ସାନପୁଅ ପୁରୁ ଯଯାତଙ୍କୁ ଦେଇଥିଲେ ନିଜ ଯୌବନ ଦାନ । ରାଜା ଯଯାତି ବିଷୟାଭୋଗରେ ମାତିଥିଲେ ହଜାରେ ବର୍ଷ । ଶେଷରେ ଅନୁଭବ କଲେ ଏହି ବିଷୟା ସୁଖ ଖାଲି ବଢିବ ସିନା କମିବ ନାହିଁ । ଏହାକୁ ପରିତ୍ୟାଗ କରି ପୁଅକୁ ଯୌବନ ଫେରେଇ ,ଜଣେ ପ୍ରକୃତ ବୈରାଗୀର ଜୀବନ ବିତାଇଥିଲେ ।  ( ସୈାଜନ୍ୟ : ରାମ କଥା )

ଏହାସହ ମଧ୍ୟ ପଢନ୍ତୁ – ହନୁମାନଙ୍କୁ ଆରାଧନା କଲେ ଶନି କରିବେନି କୋପ ! କାହିଁକି ଏ ବରଦାନ ଦେଲେ ଶନିଦେବ ?