ଆପଣ ଜାଣନ୍ତି କି, କଣ ଘଟିଥିଲା ୧୮୧୭ରେ? କାହିଁକି ଇଂରେଜ ଶାସନ ବିରୋଧରେ ପାଇକ ଉଠାଇଥିଲେ ସ୍ୱର?

152

ବ୍ରିଟିଶ ଶାସନ ବିରୋଧରେ ସ୍ୱର ଉଠାଇଥିଲେ ପାଇକ । ୧୮୦୩ରେ ଯେତେବେଳେ ଇଂରେଜଙ୍କ ହାତକୁ ମୁଖ୍ୟ ଓଡିଶା ଆସିଗଲା, ସେତେବେଳେ ଆରମ୍ଭ ହୋଇଥିଲା ପ୍ରତିବାଦ । ଆରମ୍ଭ ହୋଇଥିଲା ବିଦ୍ରୋହ ଯାହା ପରବର୍ତ୍ତୀ ପର୍ଯ୍ୟାୟରେ ସମଗ୍ର ରାଜ୍ୟକୁ ବ୍ୟାପିଗଲା । ବିଦ୍ରୋହର ଯେଉଁ ପରମ୍ପରା ପାରଳାଖେମୁଣ୍ଡି ଓ ଘୁମୁସରରେ ସୃଷ୍ଟି ହୋଇଥିଲା, ତାହା ଭିନ୍ନ ଭିନ୍ନ ଅଂଚଳକୁ ବିସ୍ତାରିତ ହେଲା । ଓଡିଶା ଦଖଲ କରିବା ବେଳେ ଯେଉଁ ଉତ୍ସାହରେ ରାଜା ଜମିଦାରମାନେ ଇଷ୍ଟ ଇଣ୍ଡିଆ କମ୍ପାନୀକୁ ସ୍ୱାଗତ କରିଥିଲେ, ତାହା ଅଳ୍ପ ଦିନ ମଧ୍ୟରେ ତୀବ୍ର ଅସନ୍ତୋଷ ଓ ବିଦ୍ରୋହରେ ପରିଣତ ହୋଇଥିଲା ।

୧୮୦୪ରେ ପ୍ରଥମେ ଖୋର୍ଦ୍ଧାରେ ବିଦ୍ରୋହ ଆରମ୍ଭ ହେଲା । ଯେଉଁଥିରେ କନିକା ଓ କୁଜଙ୍ଗ ରାଜ୍ୟର ସମର୍ଥନ ଥିଲା । ୧୮୧୭ ଏପ୍ରିଲରେ ଗଡରୋଢଙ୍ଗର ବୀରପୁତ୍ର ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ବ୍ରିଟ୍ରିଶ ଶାସନ ବିରୋଦ୍ଧରେ ସଂଗଠିତ ବିଦ୍ରୋହ, ପାଇକ ବିଦ୍ରୋହର ନାମ ନେଇଥିଲା । ୧୮୦୪ ଡିସେମ୍ବର ୫ ତାରିଖରେ ଇଂରେଜମାନେ ଓଡିଶାକୁ ଅଧିକାର କରିନେବା ସହ ଶୋଷଣ ଆରମ୍ଭ କରିନେଲେ । ଏଭଳି ଶାସନ ପଦ୍ଧତି ଯୋଗୁଁ ଓଡିଶାରେ ସବୁ ଶ୍ରେଣୀୟ ଲୋକଙ୍କର ଆର୍ଥିକ ଅବନତି ଘଟିଲା ଓ ଧୀରେ ଧୀରେ ଜଳିଥିଲା ବିଦ୍ରୋହର ବହ୍ନି । ଆଉ ବକ୍ସି ଜଗବନ୍ଧୁ ସେହି ବହ୍ନିର ପୂର୍ଣ୍ଣାହୁତି ଦେବାକୁ ଅଗ୍ରସର ହୋଇଥିଲେ ।

ବହୁ ପ୍ରାଚୀନ କାଳରୁ ଓଡିଶାର ବୀରତ୍ୱପୂର୍ଣ୍ଣ ଶାସନ ପଦ୍ଧତିରେ ଦଳବେହେରା, ଦଳେଇ ପାଇକ ପ୍ରଭୃତି ନିଷ୍କର ଚାଷ ଜମି ଉପଭୋଗ କରୁଥିଲେ । ଏମାନେ ଥିଲେ ଦେଶର ବେସରକାରୀ ସୈନ୍ୟ । ନିଷ୍କର ଚାଷ ଜମିରେ ଚାଷକରି ଜୀବିକାର୍ଜନ କରୁଥିଲେ ଓ ଯୁଦ୍ଧ ବେଳେ ଗଜପତିଙ୍କ ସୈନ୍ୟ ସହିତ ମିଶି ଶତ୍ରୁ ବିରୁଦ୍ଧରେ ଲଢୁଥିଲେ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଇଂରେଜ ସରକାର ତାଙ୍କ ସୈନ୍ୟଙ୍କୁ ଦରମା ଦେଇ ନିଯୁକ୍ତ ଦେଉଥିଲେ । ଆଉ ଇଂରେଜଙ୍କ କୂଟନୀତି ଯୋଗୁଁ ପାଇକମାନେ ଇଂରେଜ ସୈନ୍ୟ ଭିତରେ ଅନ୍ତର୍ଭୁକ୍ତ ହୋଇପାରୁନଥିଲେ । ପୂର୍ବ ପୁରୁଷ ଅମଳରୁ ଭୋଗ ଦଖଲ କରୁଥିବା ନିଷ୍କର ଜାଗିରୀ ଜମି ଉପରେ କର ଧାର୍ଯ୍ୟ କରାଗଲା । ନିଷ୍କର ଜମିରେ କର ବସିବାରୁ ପାଇକମାନଙ୍କ ମଧ୍ୟରେ ବୃଦ୍ଧି ପାଇଥିଲା ଅସନ୍ତୋଷ ।

୧୮୧୭ ବିଦ୍ରୋହର ନେତୃତ୍ୱ ବକ୍ସି ଜଗବନ୍ଧୁ ନେଲେ । ଖୋର୍ଦ୍ଧା ଖସମାହାଲରେ ପରିଣତ ହେବା ପୂର୍ବରୁ ସେ ଖୋର୍ଦ୍ଧା ଗଜପତିଙ୍କ ସେନା ଅଧିନାୟକ ପଦରେ ପୁରୁଷାନୁକ୍ରମିକ ଭାବେ ନିଯୁକ୍ତ ଥିଲେ । ତାଙ୍କୁ ରୋଡଙ୍ଗ ଜମିଦାରୀ ମିଳିଥିଲା । ମାତ୍ର ଖୋର୍ଦ୍ଧା ଖାସମାହାଲ ହେବା ପରେ ଜମିଦାରୀର ଖଜଣା ଜମା କରିବାକୁ ପଡିଲା । ୧୮୧୩ରେ ଖଜଣା ଜମା ନକରିବା ଅପରାଧରେ ବକ୍ସି ଜଗବନ୍ଧୁ ନିଜ ଜମିଦାରୀ ଅଧିକାର ହରାଇଲେ । ଏହାପରେ ବକ୍ସି ଜଗବନ୍ଧୁ ଇଂରେଜ ନ୍ୟାୟ ବ୍ୟବସ୍ଥା ଉପରୁ ସଂପୂର୍ଣ୍ଣ ଭାବେ ଆସ୍ଥା ହରାଇଲେ ଏବଂ ପ୍ରତିଶୋଧ ନେବାପାଇଁ ସମଦଶାପନ୍ନ ପାଇକମାନଙ୍କୁ ଏକଜୁଟ୍ କରିଥିଲେ ।

ଇଂରେଜମାନଙ୍କ ଠାରୁ ପେନସନ୍ ପାଉଥିବା ଖୋର୍ଦ୍ଧା ରାଜାଙ୍କୁ ମଧ୍ୟ ଆମନ୍ତ୍ରଣ ଜଣାଇଥିଲେ ବକ୍ସି ଜଗବନ୍ଧୁ । ୧୮୧୭ ମାର୍ଚ୍ଚ ମାସରେ ପ୍ରାୟ ୪୦୦ ପାଇକ, ବନ୍ଧ ଘୁମୁସରରୁ ଖୋର୍ଦ୍ଧା ଆସି ପାଇକମାନଙ୍କ ସହ ଯୋଗ ଦେଲେ । ଇଂରେଜଙ୍କ ଅତ୍ୟାଚାରରେ ସେମାନେ ଅତିଷ୍ଠ ଥିଲେ । କଡାକଡି ଭାବେ ଭୂ-ରାଜସ୍ୱ ଆଦାୟ ହେବାରୁ ଜମିଦାରମାନଙ୍କ ପରି ସେମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଥିଲେ । ବିଶେଷକରି ପ୍ରାକୃତିକ ଦୁର୍ବିପାକ ବେଳେ ଖଜଣା ଅସୁଲରେ ରିହାତି ଦିଆଯାଉ ନଥିବାରୁ ସମସ୍ତ ପ୍ରଜା ଘୋର ଅସୁବିଧା ଭୋଗିଲେ । ଜଗବନ୍ଧୁଙ୍କ ନେତୃତ୍ୱରେ କନ୍ଧ ଓ ପାଇକମାନେ ସମ୍ମିଳିତ ହେଲେ । ବିଦ୍ରୋହ ତେଜିୟାନ ହେଲା । ଯାହା ପରବର୍ତ୍ତୀ ପର୍ଯ୍ୟାୟରେ ପାଇକ ବିଦ୍ରୋହ ନାମରେ ହେଲା ନାମିତ ।