କାଲି ପାରିତ ହେଲା ପ୍ରସ୍ତାବ, ଆଜି କେନ୍ଦ୍ରକୁ ଗଲା ଚିଠି : ଆଉଥରେ ଲେଖ ଇତିହାସ

103

ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦିଅ । କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଚିଠି ଲେଖି ଏହି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୮୫୭ ସିପାହୀ ବିଦ୍ରୋହର ଚାରି ଦଶନ୍ଧି ଆଗରୁ ଆଗରୁ ଅର୍ଥାତ୍ ୧୮୧୭ରେ ଆରମ୍ଭ ହୋଇଥିଲା ପାଇକ ବିଦ୍ରୋହ । କେବଳ ୪୦ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଯୋଗୁଁ ନୁହେଁ ବରଂ ଏହାର ପ୍ରକୃତି ଓ ଚାରିତ୍ରିକ ବିଶେଷତ୍ୱ ପାଇଁ ଏହି ମାନ୍ୟତା ଦେବାକୁ ନବୀନ ଦାବି କରିଛନ୍ତି ।

ଇଷ୍ଟ ଇଣ୍ଡିଆ କଂପାନୀ ବିରୁଦ୍ଧରେ ପାଇକ ବିଦ୍ରୋହ ଏକ ସୁଚିନ୍ତିତ ରଣନୀତି ଥିଲା । ଆଉ ଦେଶ ଏବେ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ପାଳନ କରୁଛି । ଯଦି ଏହି ସମୟରେ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦିଆଯାଏ ତେବେ ଏହା ହେବ ପ୍ରକୃତ ସମ୍ମାନ । ଗତକାଲି ରାଜ୍ୟ କ୍ୟାବିନେଟ୍ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେବା ପରେ ଆଜି ନବୀନ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।

ଦୁଇ ଶହ ବର୍ଷ ତଳେ ଓଡ଼ିଶାରେ ପାଇକ ବିଦ୍ରୋହ ହୋଇଥିଲା । କିନ୍ତୁ ଭାରତବର୍ଷର ଇତିହାସରେ ୧୮୧୭ ମସିହାର ଏହି ପାଇକ ବିଦ୍ରୋହ ସେଭଳି କୌଣସି ଗୁରୁତ୍ୱ ହାସଲ କରିପାରିନଥିଲା । ୧୮୫୭ର ସିପାହୀ ବିଦ୍ରୋହ ସଂପର୍କରେ ପିଲାମାନେ ଇତିହାସ ବହିରେ ପଢ଼ନ୍ତି । ସ୍କୁଲ ଛାତ୍ର ଛାତ୍ରୀମାନେ ସିପାହୀ ବିଦ୍ରୋହ ସଂପର୍କରେ ଯେମିତି କହିପାରିବେ ବା ଲେଖିପାରିବେ, ହୁଏତ ପାଇକ ବିଦ୍ରୋହ ସଂପର୍କରେ ଲେଖିବା ପାଇଁ କିମ୍ବା କହିବା ପାଇଁ କୁହାଗଲେ ସେଭଳି ଢ଼ଙ୍ଗରେ କରିପାରିବେ ନାହିଁ । କିନ୍ତୁ ୨ଶହ ବର୍ଷ ପରେ ଓଡ଼ିଶାର ଇତିହାସର ତଥ୍ୟ ସବୁ ସ୍ପଷ୍ଟ ହୋଇ ଆସିବ କେହି ଅନୁମାନ କରିନଥିଲେ ।

ବକ୍ସି ଜଗବନ୍ଧୁଙ୍କ ବୀରତ୍ୱକୁ ଇତିହାସ ବହିରେ କମ୍ ପଢ଼ିଥିବା, କଳଙ୍କି ଲଗା ଖଣ୍ଡା ଧରି ପାଇକ ପୁଅ ଐତିହ୍ୟ ଏବଂ ଗାରିମା କଥା କହୁଥିଲେ ମଧ୍ୟ କେହି ନଶୁଣିବା ଏବଂ ରାଜନୈତିକ ଯୁଦ୍ଧର ପଟ୍ଟଭୂମିରେ ହଠାତ୍ ବକ୍ସିଜଗବନ୍ଧୁ ଏବଂ ପାଇକ ପୁଅ ଜୀବନ୍ତ ହୋଇପଡ଼ିବା ନିଶ୍ଚିତ ଭାବରେ ରାଜନୀତିର ଏକ କରିସ୍ମା । ବକ୍ସିଜଗବନ୍ଧୁଙ୍କ ହାତରେ ଥିବା ଖଣ୍ଡାଟି, ପ୍ରତିମୂର୍ତ୍ତୀର ଅନେକ ସ୍ଥାନରେ ଖସି ପଡ଼ିବଣି । ମୂର୍ତ୍ତୀରୁ ରଙ୍ଗ ଛାଡ଼ିଯିବଣି । ଯାହା ଅପେକ୍ଷା କରିଥିବ ଜନ୍ମ ଦିବସ ଏବଂ ଶ୍ରାଦ୍ଧ ଦିବସକୁ । କିନ୍ତୁ ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ହଠାତ୍ ବକ୍ସି ଜଗବନ୍ଧୁ ପ୍ରସଙ୍ଗକୁ ସରଗରମ କରିଦେଇଛି ।

ବହୁ ଦିନ ଧରି ବିଜୁ ବାବୁଙ୍କ କଥା କହୁଥିବା ବିଜେଡି ଏବେ ବକ୍ସି ଜଗବନ୍ଧୁଙ୍କ କଥା କହୁଛି । ବହୁ ଦିନରୁ ବକ୍ସି ଜଗବନ୍ଧୁଙ୍କୁ ଭୁଲି ଯାଇଥିବା ବିଜେପି, ବକ୍ସିଜଗବନ୍ଧୁ ଏବଂ ପାଇକ ବିଦ୍ରୋହର କଥା କହି ଓଡ଼ିଆଙ୍କୁ ସ୍ମରଣ କରୁଛି । ମହାରାଷ୍ଟ୍ରରେ ଶିବାଜୀ ଯେମିତି ଜାତାୟ ଏକତାର ଗର୍ବ ପାଲଟିଛନ୍ତି । ହାଠାତ୍ ବକ୍ସି ଜଗବନ୍ଧୁୁଙ୍କୁ ହିରୋ କରି ଓଡ଼ିଆଙ୍କ କଥା କହିବା ପାଇଁ ବିଜେପି-ବିଜେଡି ବାହାରି ଆସିଛନ୍ତି ଏବଂ ଓଡ଼ିଆ ଲୋକଙ୍କ ପାଖରେ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତୀ ଧରି ବଡ ଜୋରରେ ପ୍ରତିଦ୍ୱନ୍ଦିତା ଆରମ୍ଭ କରିଦେଇଛନ୍ତି । ବୋଧହୁଏ ସ୍ୱାଧିନତା ପରେ ଓଡ଼ିଶାର କୌଣସି ସରକାର ଏହିଭଳି ବକ୍ସି ଜଗବନ୍ଧୁ ଏବଂ ପାଇକ ବିଦ୍ରୋହ କଥା କହିନଥିଲେ କିମ୍ବା କ୍ୟାବିନେଟରେ ନିଷ୍ପତ୍ତି ଗ୍ରହଣ କରିନଥିଲେ । ରାଜନୀତି କରୁଥିବା ନେତା ଇତିହାସ କଥା କହିଲେ ଏମିତି ଧରା ପଡ଼ିଯାଆନ୍ତିି । କାରଣ ଇତିହାସ ରାଜନୀତିର କଥା କୁହେ । ଓଡ଼ିଆ ଜାତିର ସ୍ମୃତି, କ୍ଷମତା ରାଜନୀତିର ୨୨ ପାହାଚ ଭଳି ସାମ୍ନାକୁ ଆସିଯାଏ ।

ଓଡ଼ିଶା ମାଟିରୁ ପଡ଼ିଥିଲା ଦେଶର ପ୍ରଥମ ମୁକ୍ତି ଆନ୍ଦୋଳନର ମୂଳଦୁଆ । ୧୮୫୭ର ବହୁ ପୂର୍ବରୁ ପାଇକମାନେ ଛିଡ଼ା ହୋଇଥିଲେ ଇଂରେଜ ଶାସନର ବିରୁଦ୍ଧରେ । ଆଉ ପାଇକ ବିଦ୍ରୋହ ହିଁ ହେଉଛି ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ । ଓଡ଼ିଶାର ଏହି ଗୌରବମୟ ଇତିହାସକୁ ସ୍ୱୀକାର କରିବା ସହ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ପାଇଁ ଗତକାଲି ବିଧିବଦ୍ଧ ଭାବରେ ରାଜ୍ୟ କ୍ୟାବିନେଟରେ ପାରିତ ହେବା ପରେ ଆଜି କେନ୍ଦ୍ର ପାଖକୁ ଚିଠି ଲେଖାଯାଇଛି । ଗଂଜାମର ଘୁମୁସରର କନ୍ଧମେଳିରୁ ଆରମ୍ଭ ହୋଇଥିବା ଏହି ବିଦ୍ରୋହ ବାଣପୁର, ଖୋର୍ଦ୍ଦା, ପିପିଲି, ପୁରୀ, କୁଜଙ୍ଗ ପଟ୍ଟାମୁଣ୍ଡ ପର୍ୟ୍ୟନ୍ତ ବ୍ୟାପିଯାଇଥିଲା । ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ଏକାଠି ହୋଇଥିଲେ ଏକାଧିକ ଗଡ଼ଜାତ ଅଂଚଳ । ଯେଉଁ ବିପ୍ଲବରେ ସାମିଲ ହୋଇଥିଲେ ଜୟୀରାଜ ଗୁରୁ ଏବଂ ଦଳବେହେରାଙ୍କ ଭଳି ଯୋଦ୍ଧା । ଇଷ୍ଟ ଇଣ୍ଡିଆ ବିରୋଧରେ ହୋଇଥିବା ଏହି ବିପ୍ଲବ ଗୋରା ଶାସନ ବିରୁଦ୍ଧରେ ହୋଇଥିବା ସିପାହୀ ବିଦ୍ରୋହ ପାଇଁ ବାଟ କଢ଼ାଇଥିଲା ।

ଗୋରା ଶାସକଙ୍କୁ ନାକେଦମ କରିଦେଇଥିଲେ ଓଡ଼ିଶାର ପାଇକ ଯୋଦ୍ଧା । ଆଉ ଏହି ବିପ୍ଲବକୁ ଶାନ୍ତ କରିବାକୁ ଇଂରେଜମାନଙ୍କ କରିବାକୁ ପଡ଼ିଥିଲା ବହୁ କସରତ । ୧୮୫୭ ମସିହାରେ ଆରମ୍ଭ ହୋଇଥିଲା ସିପାହୀ ବିଦ୍ରୋହ । ଯେଉଁ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ଆନ୍ଦୋଳନ ବୋଲି ଗ୍ରହଣ କରାଯାଉଛି । କିନ୍ତୁ ଏହି ଆନ୍ଦୋଳନ ୪୦ ବର୍ଷ ପୂର୍ବରୁ ଓଡ଼ିଆମାନେ ଲଢ଼ିଥିଲେ ଇଂରେଜ ଶାସନ ବିରୁଦ୍ଧରେ । ଯାହାକୁ ସ୍ୱୀକୃତି ଦେବା ପାଇଁ ଓଡ଼ିଶା ସରକାର କେନ୍ଦ୍ରକୁ ଅନୁରୋଧ କରିଛନ୍ତି ।