ଔଦ୍ଧତ୍ୟ ଉଜାଡିଦେଲା! ୧୭ ବର୍ଷ ଧରି ଶଙ୍ଖ ଉପରେ ବାଜୁଥିବା ମୋହର ଏଥର ଭାଗ ଭାଗ

95

ବଦଳୁଛି ଓଡିଶା ରାଜନୀତିର ସମୀକରଣ । କଡ ଲେଉଟାଇବା ଆରମ୍ଭ କଲା ମତଦାତାଙ୍କ ମନ । ୧୭ ବର୍ଷ ଧରି ଶଙ୍ଖ ଉପରେ ବାଜୁଥିବା ମୋହର ଏଥର ଭାଗ ଭାଗ । ଚାରି ଚାରି ଥର ଶାସନର ଶୀର୍ଷକୁ ଯାଇଥିବା ନବୀନ, କେବେ ବି କଡା ଟକ୍କର ସାମ୍ନା କରିନଥିଲେ । ବିଜେପିକୁ କେବଳ ସାଇନ ବୋର୍ଡ ପାର୍ଟି ଭାବେ ଅଭିହିତ କରୁଥିବା ବିଜୁ ଜନତା ଦଳର ମାମଲତ୍କାର ମାନେ କେବେ ସ୍ୱପ୍ନରେ ସୁଧା କଳ୍ପନା କରିନଥିବେ ଯେ, ରାମ ମନ୍ଦିର ନିକଟରୁ ତିଆରି ହେଉଥିବା ରଣନୀତି ଏରୋଡ୍ରମ୍ ଏରିଆକୁ ଦୋହଲାଇଦେବ । ତେବେ କାହିିଁକି ଏଭଳି ସ୍ଥିତି? କାହିିଁକି ଶଙ୍ଖ ପ୍ରତି ବିଶ୍ୱାସ କମିଲା? ଯୋଜନାର ଅଭାବ ନାହିଁ, କି ଟଙ୍କା ଖର୍ଚ୍ଚ କିଛି କମ୍ ନଥିଲା ।

ଦଳର କୋଟେରୀ ଗ୍ରୁପଙ୍କ ହାତରେ ରହିଥିଲା ନିର୍ବାଚନ ପରିଚାଳନାର ଗୁରୁ ଦାୟିତ୍ୱ । ପଂଚାୟତ ନିର୍ବାଚନର ଫଳାଫଳ, (ସମ୍ବାଦ-କନକ ନ୍ୟୁଜ ତଥ୍ୟ) ତମାମ ଆକଳନ ଓ ଗଣିତକୁ ଭୁଲ ପ୍ରମାଣିତ କରିଦେଲା । ଶତ୍ରୁକୁ ଦୁର୍ବଳ ଭାବିବା ଆଉ ଲୋକଙ୍କ ମନୋଭାବ ସହ ଖେଳିବା ଶାସକ ଦଳ ପାଇଁ ଆଜି ବିପର୍ଯ୍ୟୟ ଆଣିଦେଇଛି । ଖାଲି ଏତିକି ନୁହେଁ, ଦଳ ଭିତରେ ଚାଲିଥିବା ଗୋଛିକଟାର ପର୍ବ ଆଜି ବିଜେଡି ଶିବିରରେ ନିରାଶା ଖେଳାଇ ଦେଇଛି ।

୨୦୧୨ରେ ହୋଇଥିବା ତ୍ରି-ସ୍ତରୀୟ ପଂଚାୟତ ନିର୍ବାଚନରେ ଦଳ ଏକପାଖିଆ ବିଜୟ ଲାଭ କରିଥିଲା । ପାଖ ମାଡିନଥିଲେ କଂଗ୍ରେସ କିମ୍ବା ବିଜେପି । ୨୦୧୪ ସାଧାରଣ ନିର୍ବାଚନରେ ୧୧୭ ବିଧାୟକ ଆଉ ୨୦ ସାଂସଦଙ୍କୁ ଜିତାଇ ରାଜ୍ୟରେ ମୋଦି ହାୱାକୁ ଅଟକାଇଥିଲେ ନବୀନ । ଦଳ କହିଥିଲା, ରାଜ୍ୟରେ ମୋଦି କିଛି ନୁହଁ, ସବୁକିଛି ନବୀନ । ହେଲେ ଅଢେଇ ବର୍ଷ ପରେ ସ୍ଥିତି ଓଲଟା । ତିନି ନମ୍ବର ଦଳରୁ ଦୁଇ ନମ୍ବରକୁ ଆସିଗଲା ବିଜେପି । ବିଜେଡି ଶୀର୍ଷରେ, କିନ୍ତୁ ଲୋକ ପରିବର୍ତନ ପାଇଁ ମନବଳାଇ ବିକଳ୍ପ ରାଜନୈତିକ ଦଳ ବାଛିବା ଆରମ୍ଭ କଲେଣି । ଏଭଳି ସଂକେତ ଗାଁ ଭୋଟର ଦେଇ ସାରିଲେଣି । ବିଜୟୀ ରାଜନୈତିକ ଦଳ ବିନମ୍ରତାର ସହ ଲୋକଙ୍କ ପାଇଁ କାର୍ଯ୍ୟ କରିବା କଥା, ହେଲେ ମନରେ ଯେତେବେଳେ ଅହଙ୍କାର ଆସିଯାଏ, ଭୋଟର କାହାକୁ କ୍ଷମା କରିନାହାନ୍ତି । ଆଜି ସମାନ ଦଶା ଭୋଗୁଛି ଶାସକ ଦଳ । ଦୁଇ ପର୍ଯ୍ୟାୟର ନିର୍ବାଚନ ପରେ ବିଜେଡି ୨୦୧୨ ତୁଳନାରେ ୮୩ ସିଟ୍ କମ୍ ପାଇଛି ।

କାହିଁକି ନବୀନଙ୍କ ଲୋକପ୍ରିୟତା ଉପରେ ପ୍ରଶ୍ନବାଚୀ ତିଆରି ହେଲା? ନା ତଥାକଥିତ ନିର୍ବାଚନ ପରିଚାଳନା କରୁଥିବା ମହଲର ଅନଭିଜ୍ଞତା ଦଳ ପାଇଁ ଆଜି ସଂକଟ ଆଣିଛି? ୨୦୧୨ ମସିହାରେ ତତ୍କାଳୀନ ବିଜେଡି ମାର୍ଗଦର୍ଶକ ପ୍ୟାରୀମୋହନ ମହାପାତ୍ର ନିର୍ବାଚନ ପରିଚାଳନା କରିଥିଲେ । ସେତେବେଳେ ବି ଦଳରେ ବିବାଦ ଆଉ ମନୋମାଳିନ୍ୟ ଥିଲା । ଜିଲ୍ଲା ସ୍ତରରୁ ଆସୁଥିବା ତମାମ ଅଭିଯୋଗ ପହଂଚୁଥିଲା ପ୍ୟାରୀମୋହନଙ୍କ ପାଖରେ । କାହାକୁ କିଭଳି ସନ୍ତୁଷ୍ଟ କରାଯିବ ତାର କଳା ପ୍ୟାରୀ ବେଶ ଭଲ ଭାବରେ ଜାଣିଥିଲେ । ୨୦୧୪ ପାଇଁ କାହାକୁ ଟିକେଟର ଲୋଭ ଦେଖାଯାଇଥିଲା, ତ କାହାକୁ ଟଙ୍କା ଦେଇ ସନ୍ତୁଷ୍ଟ କରାଯାଇଥିଲା । ଯାହାର ଫଳ ହେଲା ବିଜେଡି ୨୮ଟି ଜିଲ୍ଲାରେ ଅଧ୍ୟକ୍ଷ ପଦ ହାତେଇଲା । ୨୦୧୪ ବେଳକୁ ଦଳରେ ପ୍ୟାରୀ ନଥିଲେ । ହେଲେ ସେତେବେଳକୁ ମନ୍ତ୍ରୀପଦ ଛାଡି କଳ୍ପତରୁ ଦାସ, ନବୀନଙ୍କ ଆଦେଶରେ ରାଜ୍ୟସଭା ଯାଇଥିଲେ । ଆଉ ଗତ ସାଧାରଣ ନିର୍ବାଚନରେ ସମସ୍ତ ଜିଲ୍ଲା ବୁଲି ସନ୍ତୁଷ୍ଟିକରଣର ମନ୍ତ୍ର ଯପିଥିଲେ ବାବୁ କଳ୍ପତରୁ । କାହାକୁ ନବୀନଙ୍କ ସହ ସିଧା କଥା କରାଉଥିଲେ, ତ କାହାକୁ ଆଗାମୀ ଦିନରେ ନିଗମ ପଦ ଓ ଅନ୍ୟାନ୍ୟ ସ୍ଥାନରେ ଥଇଥାନର ଲୋଭ ଦେଖାଇଥିଲେ । ଫଳସ୍ୱରୂପ ଅସନ୍ତୋଷ ଲୁଚିଗଲା, ଦଳ ୧୧୭ ବିଧାନସଭା ଆଉ ୨୦ ଲୋକସଭା ଆସନରେ ବାଜିମାତ କଲା । ବଡ କଥା ହେଉଛି ଉଭୟ ପ୍ୟାରୀମୋହନ ଓ କଳ୍ପତରୁଙ୍କ ନିକଟକୁ ନେତା ଓ କର୍ମୀ ପହଂଚୁଥିଲେ । ସେମାନଙ୍କର ବିଶ୍ୱାସ ଥିଲା ଯେ ନବୀନଙ୍କ ନିକଟରେ ଉଭୟ ପ୍ୟାରୀ ଓ କଳ୍ପତରୁ ପ୍ରତି ଖବର ପହଂଚାଉଛନ୍ତି ।

୨୦୧୭ ବେଳକୁ ସ୍ଥିତି ପୁରା ଓଲଟା । ବିଜୁ ଜନତା ଦଳ ମନା କଲେ ବି ଏହା ସତ ଯେ ତୃତୀୟ ମହଲାରୁ କିଛି ଅମଲା ନିର୍ବାଚନ ପରିଚାଳନା କରୁଛନ୍ତି । ଯାହାଙ୍କ ନିକଟକୁ ସାଧାରଣ କର୍ମୀ ଓ ନେତା ପହଂଚିବା ଅସମ୍ଭବ । କିଛି ବିଧାୟକଙ୍କ ପାଦ ତ ଅଢେଇ ବର୍ଷ ଭିତରେ ସଚିବାଳୟର ତୃତୀୟ ମହଲାରେ ପଡିନଥିବ । ଫଳରେ ତୃଣମୁଳ ସ୍ତରରେ କର୍ମୀଙ୍କ ଭିତରେ ବଢୁଥିବା ରାଗ, ରୋଷ କମାଇବାକୁ ଅମଲା ଫର୍ମୁଲା ବାହାର କରିପାରିଲେନି । ବିଜେଡି ଟିକେଟ ମିଳିଲେ ଯିତିବା ଥୟ, ଏହି ଧାରଣା ପ୍ରତି ଜିଲ୍ଲାରେ ନେତା ନେତାଙ୍କ ଭିତରେ ଫାଟ ତିଆରି କଲା । କର୍ମୀଙ୍କୁ ଭାଗ ଭାଗ କରିଦେଲା । ଯାହାକୁ ଶଙ୍ଖ ଚିହ୍ନ ମିଳିଲା ସିଏ କିଛି ଦିନ ପାଇଁ ଖୁସି ରହିଲା, ହେଲେ ବିଦ୍ରୋହୀଙ୍କ ଟେନସନ ଦଳୀୟ ପ୍ରାର୍ଥୀଙ୍କ ନିଦ ହଜାଇଦେଲା । ଫଳସ୍ୱରୂପ ବିଜେଡିର ଗଡ ଦୋହଲିବା ଆରମ୍ଭ ହେଲା । ମନ୍ତ୍ରୀ ନିଜ ଅଂଚଳରେ ପତିଆରା ହରାଇଲେ, ବିଧାୟକ ଲୋକଙ୍କ ସାମ୍ନାରେ ମୁଣ୍ଡ ଟେକି ଯାଇପାରିଲେନି । ଏଥିପାଇଁ ସ୍ଥାନୀୟ ନେତାଙ୍କ ସହ ରଣନୀତି ତିଆରି କରୁଥିବା ଅମଲା ବି ସମପରିମାଣରେ ଦାୟୀ । ଶାସନ କରିବା ଓ ଦଳ ପାଇଁ ନିର୍ବାଚନ ପରିଚାଳନା କରିବା ଭିନ୍ନ ଭିନ୍ନ ବ୍ୟାପାର । ବୋଧହୁଏ ଅମଲା ଏହା ଠିକ ବୁଝିପାରୁଥିବେ ।

ତଳିତଳାନ୍ତ ହେଲା ବିଜେଡି । ଗାଁ ଲୋକେ ଦଳକୁ ପ୍ରତ୍ୟାଖ୍ୟାନ କଲେ । ଶାସକ ଦଳର ନେତାଙ୍କ ଅହଙ୍କାର, ଅବହେଳା ଆଉ ଔଦ୍ଧତ୍ୟ ବିରୋଧରେ ପଡିଛି ଭୋଟ୍ । କର୍ମୀଙ୍କୁ ହତାଦର ଆଉ ବରଦାସ୍ତ କରାଯିବନି, ଗାଁରୁ ଏଭଳି ବାର୍ତ୍ତା ଭୁବନେଶ୍ୱର ଆସିଛି । ଯାହା ନବୀନଙ୍କୁ ବିଚଳିତ କରିଛି । ଡଜନେ ଅଭିନେତା ଅଭିନେତ୍ରୀ ଦଳ ପାଇଁ ପ୍ରଚାର କରିଥିଲେ ବି ଫରକ ଆଣିପାରିନାହାନ୍ତି । ଏଭଳି ସ୍ଥିତିରେ ଦାମ ବାବୁଙ୍କ ମନ୍ତବ୍ୟ ବେଶ ଗୁରୁତ୍ୱ ବହନ କରୁଛି । ବିଜେଡି ଭିତରେ ବିଭୀଷଣ ଅଛନ୍ତି, ଯେଉଁମାନେ ଦଳକୁ ବୁଡାଉଛନ୍ତି । ତାରକା ପ୍ରଚାରକ ତାଲିକାରେ ତାଙ୍କ ନାଁ ଥିଲେ ବି ପ୍ରଚାର ପାଇଁ ତାଙ୍କୁ ସୁଯୋଗ ଦିଆଗଲାନି । ଅମଲାଙ୍କ ଉପରେ ଅତ୍ୟଧିକ ନିର୍ଭରଶୀଳ ହେଲା ଦଳ ପାଇଁ ମହଙ୍ଗା ପଡିଲା । ଦାମ ବାବୁଙ୍କ କଥାରେ ମୋହର ମାରି ବିଜେପି ସଫା ସଫା ତୃତୀୟ ମହଲାର ଚାରି ଜଣ ଅଧିକାରୀଙ୍କ ନାଁ ଗଣମାଧ୍ୟମ ସାମ୍ନାରେ ରଖିଲା । ଆଉ ଏ ସବୁ ଶାଣିତ ତୀର ସିଧା ବାଜୁଛି ନବୀନଙ୍କ ଦେହରେ । ଦଳର ସୁପ୍ରିମୋ, ଚାରି ଚାରି ଥରର ମୁଖ୍ୟମନ୍ତ୍ରୀ । ତାଙ୍କ ବିନା ନିର୍ଦ୍ଦେଶରେ କଣ ଅମଲା ଦଳ କଥା ବୁଝିଲେ? କାହିଁକି ନେତା ବଦଳରେ ଅଫିସରଙ୍କୁ ଅଧିକ ବିଶ୍ୱାସ କଲେ ନବୀନ?

ଚଳିତ ପଂଚାୟତ ନିର୍ବାଚନରେ ସବୁଠାରୁ ବଡ ବ୍ୟତିକ୍ରମ ଘଟିଲା, ପ୍ରଚାର ମୈଦାନକୁ ଓହ୍ଲାଇଲେନି ନବୀନ । କେବଳ ଗଂଜାମରେ ରୋଡ ସୋ କୁ ଛାଡିଦେଲେ, ନବୀନ ଆଉ କେଉଁଠି ପାଦ ପକାଇଲେନି । ସୂଚନା ଅନୁସାରେ, କରିତକର୍ମା ଗୋଷ୍ଠୀ ବିଜେଡି ମୁଖିଆଙ୍କୁ ବିଶ୍ୱାସ ଦେଲେ, ବିନା ପ୍ରଚାରରେ ବି ଦଳ ବାଜିମାତ କରିବ । ମାମଲତ୍କାର ମାନଙ୍କ କଥାରେ ଭାସିଗଲେ ନବୀନ, ଆଉ ନିର୍ବାଚନ ବୈତରଣୀରେ ଆଶ୍ଚର୍ଯ୍ୟଜନକ ଭାବେ ଭଉଁରୀରେ ଫସିଗଲେ । ହଁ ଗୋଟିଏ କଥା ହୋଇଛି, ବିପର୍ଯ୍ୟୟର ଛିଟା ନବୀନଙ୍କ ଉପରକୁ ଆସିନି । ଦଳ ନେତା କହୁଛନ୍ତି, ନବୀନ ଯେହେତୁ ସ୍ଥାନୀୟ ନେତାଙ୍କୁ ଦାୟିତ୍ୱ ଦେଇଥିଲେ, ତେଣୁ ବିପର୍ଯ୍ୟୟ ପାଇଁ ସେ ଦାୟି ନୁହଁନ୍ତି । ହେଲେ ବାସ୍ତବତାକୁ ନମାନି କୁହୁଡିରେ ପହଂରୁଥିବା ଦଳକୁ ପଂଚାୟତ ନିର୍ବାଚନ ଯେଭଳି ଝଟକା ଦେଇଛି, ତାର ପୁନରାବୃତି ହେବା ଆଗରୁ ନବୀନଙ୍କ ଅମଲା ବିଶ୍ୱାସର ପ୍ରୀତି ଭାଙ୍ଗିବାର ଆବଶ୍ୟକତା ରହୁଛି । ନଚେତ, ଅତ୍ୟଧିକ ଆତ୍ମବିଶ୍ୱାବସ ବିଜେଡିକୁ ତଳିତଳାନ୍ତ କରିଦେବ ଆଉ ରାଜ୍ୟରେ ନୂଆ ସମୀକରଣ ସହ ବିକଳ୍ପ, ବିଜେଡିକୁ ଶାସନ ଗାଦିରୁ ହଟାଇଦେବ । ( ସ୍ୱୟଂପ୍ରକାଶ ମହାପାତ୍ର, ଇନପୁଟ୍ ହେଡ୍ , କନକ ନ୍ୟୁଜ୍ )