ଶାଶ୍ୱତ ପ୍ରେମର ନିଆରା କାହାଣୀ ! ନାଇଜେରିଆ ଝିଅ ହେଲେ ଓଡିଶା ବୋହୁ

69

nigeria girl wedding in odishaକନକ ବ୍ୟୁରୋ : କୁହାଯାଏ ପ୍ରେମ ମାନେନା କିଛି ବନ୍ଧନ , ନା ଜାତି ନା ଧର୍ମ । ଆଉ ନିଜ ପ୍ରେମିକକୁ ଜୀବନ ସାଥି କରିବାକୁ ସାତଦରିଆ ପାରି ହୋଇ କେନ୍ଦ୍ରାପଡାକୁ ଚାଲି ଆସିଛନ୍ତି ନାଇଜେରିଆର ଜଣେ ଝିଅ । ତିନିମୁହାଣୀସ୍ଥିତ ରାମମନ୍ଦିର ପରିସରରେ ଦୁଇ ପ୍ରେମୀ ଯୁଗଳଙ୍କ ବିବାହ ସଂପନ୍ନ ହୋଇଛି ।

କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ପୋଦନା ଗାଁର ପ୍ରଶାନ୍ତ ପରିଡାଙ୍କ ପୁଅ ଅମୀୟ ମେକାନିକାଲ ଇଞ୍ଜିନିଅରିଂ ପାସ କଲା ପରେ ଭଲ ଦୁଇ ପଇସା ରୋଜଗାର କରିବା ଆଶା ନେଇ ସୁଦୂର ନାଇଜେରିଆ ଯାଇଥିଲେ । ଆଉ ନାଇଜେରିଆର ଉଗର୍ଜି ପିସ ଏନକେଚି ନାମକ ଜଣେ ନାଇଜେରିଆ ଯୁବତୀଙ୍କ ସହ ତାଙ୍କର ପ୍ରେମ ସଂପର୍କ ଗଢିଉଠିଥିଲା । ଉଭୟ ଜୀବନସାଥୀ ହୋଇ ସଂସାର କରିବେ ବୋଲି ନିଷ୍ପତି ନେବା ପରେ ଅମୀୟ ଏନେଇ ନିଜ ପରିବାରକୁ ପ୍ରସ୍ତାବ ଦେଇଥିଲେ ।

ପରିବାରରୁ ସହମତି ମିଳିବା ପରେ ଅମୀୟ ନିଜ ପ୍ରେମୀକା ଉଗର୍ଜିଙ୍କୁ ଆଣି କେନ୍ଦ୍ରାପଡାରେ ପହଁଚିବାପରେ ବିବାହ ହୋଇଥିଲା । ତିନିମୁହାଣୀସ୍ଥିତ ରାମମନ୍ଦିରରେ ହିନ୍ଦୁ ରୀତୀନୀତି ଅନୁଯାୟୀ ବିବାହ ହୋଇଥିଲା । ଅମୀୟଙ୍କ ବାପା ପ୍ରଶାନ୍ତଙ୍କ ବନ୍ଧୁ ଗଙ୍ଗାଧର ସାମଲ କନ୍ୟାପିତା ହୋଇଥିଲେ । ସେହିପରି ନୂଆ ଦୁନିଆ , ନୂଆ ଦେଶ ଆଉ ନୂଆ ପରିବାରରେ ନୂଆ ପରମ୍ପରାକୁ ଆପଣାଇ ନୂଆ ସଂସାର କରିବା ପାଇଁ ବେଶ୍ ଖୁସି ଅନୁଭବ କରିଛନ୍ତି ଉଗର୍ଜି । ଜଣେ ବିଦେଶୀନିଙ୍କୁ ବୋହୁ କରିବା ପାଇଁ ସ୍ୱୀକୃତି ଦେବା ସହ ତାଙ୍କୁ ଘରର ବୋହୁ ଭାବରେ ପାଇ ବେଶ୍ ଖୁସି ଅନୁଭବ କରିଛନ୍ତି ଅମୀୟଙ୍କ ବାପା ପ୍ରଶାନ୍ତ ।