ଚର୍ଚ୍ଚାରେ ମୋଦିଙ୍କ ଅଭିଭାଷଣ : ନୂଆ ଯୋଜନାର ଝଲକ ଦେଲେ ପ୍ରଧାନମନ୍ତ୍ରୀ

28

କନକ ବ୍ୟୁରୋ : ସାଧାରଣ ବଜେଟ୍ ପୂର୍ବରୁ ମୋଦି ବଜେଟ୍ । ନୂଆବର୍ଷ ଅବସରରେ ଦେଶବାସୀଙ୍କ ପାଇଁ ଏମିତି କିଛି ନୂଆ ଯୋଜନା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିରେ କୃଷକ ଠାରୁ ଆରମ୍ଭ କରି ମହିଳା ଓ ଛୋଟ ବେପାରୀଙ୍କଠୁ ଆରମ୍ଭ କରି ବରିଷ୍ଠ ନାଗରିକ ସମସ୍ତଙ୍କୁ ଖୁସି କରିବାକୁ ଟାର୍ଗେଟ୍ କରାଯାଇଛି । କୁହାଯାଉଛି ବିମୁଦ୍ରାକରଣ ପ୍ରକ୍ରିୟାରେ ହନ୍ତସନ୍ତ ହେବା ସତ୍ୱେ ସରକାରଙ୍କ ନିଷ୍ପତିକୁ ସମର୍ଥନ କରିଥିବା ଜନସାଧାରଣଙ୍କୁ ଏହା ପ୍ରଧାନମନ୍ତ୍ରୀଙ୍କ ନୂଆବର୍ଷ ଭେଟି ।

ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ଏହି ଯୋଜନା ଗୁଡିକରେ ଦେଶର ଗରୀବ, ନିମ୍ନ ମଧ୍ୟବିତ ଓ ମଧ୍ୟବିତ ନାଗରିକଙ୍କୁ ଦିଆଯାଇଛି ପ୍ରାଧାନ୍ୟ । ଆଗକୁ ଉତରପ୍ରଦେଶ ସମେତ ୫ଟି ରାଜ୍ୟର ସାଧାରଣ ନିର୍ବାଚନ ଥିବାରୁ ଭୋଟର୍ଙ୍କୁ ଆକୃଷ୍ଟ କରିବାକୁ ସମସ୍ତ ପ୍ରୟାସ କରିଛନ୍ତି ମୋଦି । ନିର୍ବାଚନ ଆଚରଣ ବିଧି ଲାଗୁ ହେଲେ ସରକାରଙ୍କର ଜନହିତକର ଯୋଜନା ଘୋଷଣା କରିବାରେ ଅଙ୍କୁଶ ଲାଗିଯିବ । ତେଣୁ ଏହାର ଯଥେଷ୍ଟ ପୂର୍ବରୁ ଭୋଟ ବ୍ୟାଙ୍କକୁ ନିଜ ସପକ୍ଷରେ ନେବାକୁ ଉଦ୍ୟମ କରିଛନ୍ତି ମୋଦି ।

ଗତ ନଭେମ୍ବର ୮ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ବିମୁଦ୍ରାକରଣ ଘୋଷଣା କରିବା ପରେ ଦେଶବାସୀଙ୍କୁ ୫୦ ଦିନର ସମୟ ମାଗିଥିଲେ । କିନ୍ତୁ ୫୦ ଦିନପରେ ମଧ୍ୟ ସ୍ଥିତି ଏଯାଏଁ ସ୍ୱାଭାବିକ ହୋଇପାରିନାହିଁ । କିନ୍ତୁ ମୋଦିଙ୍କ ଏହି ନୂଆବର୍ଷ ଭେଟି ବୟାନ କରୁଛି ଆଗାମୀ ସାଧାରଣ ବଜେଟରେ ଜନସାଧାରଣଙ୍କ ପାଇଁ ସରକାର ଆହୁରି କିଛି ଉପହାର ଦେଇପାରନ୍ତି ।