ଆୟକର ଲେନ୍ସରେ ଫେସବୁକ୍ ପୋଷ୍ଟ ! ସୋସିଆଲ ମିଡିଆ ଦ୍ୱାରା ଲୋକଙ୍କ ଆୟବ୍ୟୟ ଯାଂଚ କରାଯିବ

27

ନିଜ ନୂଆ କାର ସହିତ ଫଟୋ ଉଠାଇ ଇନଷ୍ଟାଗ୍ରାମ୍ କିମ୍ବା ଫେସବୁକରେ ପୋଷ୍ଟ କରିଛନ୍ତି କି ? ବାହାରକୁ ବୁଲିବାକୁ ଯିବା ଅବସରରେ ଫଟୋ ପୋଷ୍ଟ କରିଛନ୍ତି କି ? ଏଥିପାଇଁ ଟିକେ ସାବଧାନ ହୋଇଯା’ନ୍ତୁ । କାରଣ ଏହି ପୋଷ୍ଟଗୁଡିକୁ କେବଳ ଫେସବୁକ୍ କିମ୍ବା ଇନଷ୍ଟାଗ୍ରାମ ଦେଖୁନାହିଁ , ଟିକସ ଅଧିକାରୀମାନେ ମଧ୍ୟ ଏହା ଉପରେ ତୀକ୍ଷଣ ନଜର ରଖିଛନ୍ତି । ଜି ନ୍ୟୁଜରେ ପ୍ରକାଶିତ ଏହି ଖବରକୁ ନେଇ ଏବେ ଚର୍ଚ୍ଚା ।

ସୋସିଆଲ ମିଡିଆରେ ପୋଷ୍ଟଗୁଡିକୁ ଟିକସ ଅଧିକାରୀମାନେ ଭଲ ଭାବେ ଯାଂଚ କରିବା ପରେ ସଂପୃକ୍ତ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଯାଂଚ କରିବେ । ସେମାନେ କେତେ ଟଙ୍କା ଆୟ କରୁଛନ୍ତି , କେତେ ସଂପତ୍ତି ଧାରଣ କରିଛନ୍ତି ଏବଂ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି ତାହାସବୁ ଯାଂଚ ହେବ । ମୋଟା ପରିମାଣର ଆୟ କରୁଥିଲେ , ସରକାରଙ୍କୁ ଟିକସ ଦେଇଛନ୍ତି କି ନାହିଁ ତାହା ଯାଂଚ କରାଯିବ । ଏଥିରେ ସାମାନ୍ୟତମ ସନ୍ଦେହ ପ୍ରକାଶ ପାଇଲେ ସେମାନେ ସେହି ଲୋକଙ୍କ ନିକଟରେ ପହଁଚିଯିବେ ।

ସୂଚନା ଅନୁସାରେ , ଆସନ୍ତା ମାସରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ବିଭିନ୍ନ ସୂତ୍ରରୁ ଲୋକଙ୍କ ତଥ୍ୟ ଏକତ୍ରିତ ପ୍ରକ୍ରିୟା ଆରମ୍ଭ କରୁଛନ୍ତି । କେବଳ ବ୍ୟାଙ୍କ୍ କିମ୍ବା ଅନ୍ୟ ପାରମ୍ପରିକ ଉତ୍ସ ନୁହେଁ ,ବରଂ ଆଧୁନିକ ସମାଜରେ ଲୋକପ୍ରିୟତା ହାସଲ କରିଥିବା ସୋସିଆଲ୍ ମିଡିଆକୁ ମଧ୍ୟ ପ୍ରମୁଖ ଉତ୍ସ ଭାବେ ଗ୍ରହଣ କରାଯିବ । ଲୋକମାନେ ଘୋଷଣା କରିଥିବା ଆୟ ଉତ୍ସ ସହିତ ସେମାନଙ୍କ ଖର୍ଚ୍ଚକୁ ତୁଳନା କରାଯିବ । ଆୟଠାରୁ ବିଭିନ୍ନ କ୍ଷେତ୍ରରେ ବ୍ୟୟ ବୃଦ୍ଧି ପାଇଥିବା ନେଇ ସୂଚନା ମିଳିଲେ ଟିକସ ଅଧିକାରୀମାନେ ଲୋକଙ୍କ ଘର ପରିଦର୍ଶନ କରିବେ ବୋଲି ପ୍ରସଙ୍ଗ ସହ ଜଡିତ କିଛି ଲୋକ ଦର୍ଶାଇଛନ୍ତି ।

ସୂଚନା ମୁତାବକ, ଯେଉଁମାନେ ଆୟ ତୁଳନାରେ ଅତ୍ୟନ୍ତ ସ୍ୱଳ୍ପ ପରିମାଣର ଟିକସ ଦେଉଛନ୍ତି, ସେମାନଙ୍କୁ ଅବଗତ କରାନଯାଇ ସେମାନଙ୍କ କାର୍ଯ୍ୟାଳୟ ଏବଂ ବାସଭବନ ଉପରେ ଅଚାନକ ଚଢ଼ାଉ କରାଯିବ । ସଂପ୍ରତି ବେଲଜିୟମ୍, କାନାଡ଼ା ଓ ଅଷ୍ଟ୍ରେଲିଆ ଭଳି ରାଷ୍ଟ୍ର ଟିକସ ଫାଙ୍କିକୁ ଏଡାଇବା ପାଇଁ ବିଗ୍ ଡାଟା (ବିଭିନ୍ନ ସୂତ୍ରରୁ ହାସଲ କରାଯାଇଥିବା ବ୍ୟାପକ ସୂଚନା ) ବ୍ୟବହାର କରୁଛନ୍ତି । ପ୍ରଯୁକ୍ତି ବିନା ଯେଉଁମାନଙ୍କୁ ଚିହ୍ନଟ କରାଯାଇ ପାରିନଥିଲା ଏବେ ସେମାନଙ୍କୁ ପ୍ରଯୁକ୍ତି ସହାୟତାରେ ଚିହ୍ନଟ କରାଯାଉଛି । ଅନ୍ୟପକ୍ଷରେ ଭାରତରେ ଏଯାଏ ବିଗ୍ ଡାଟାର ଉପଯୋଗ କରାଯାଇନାହିଁ । ଫଳରେ ଏଠାରେ ଟିକସ ଫାଙ୍କି ଘଟଣା ଅଧିକ ରହିଛି । ସୂଚନାଯୋଗ୍ୟ , ଭାରତର ଟିକସ-ଜିଡିପି ଅନୁପାତ ପାଖାପାଖି ୧୭% ରହିଥିବା ବେଳେ ଅଧିକାଂଶ ଏସୀୟ ରାଷ୍ଟ୍ରରେ ଏହା ୨୫% ରହିଛି । ତେବେ ସରକାର ଏବେ ଯେଉଁ ପଦକ୍ଷେପ ନେବାକୁ ଯାଉଛନ୍ତି ତଦ୍ୱାରା ପ୍ରଥମ ପର୍ଯ୍ୟାୟରେ ଟିକସ ନିୟମ ଅନୁପାଳନ ୩୦% ରୁ ୪୦% ବୃଦ୍ଧି ପାଇବ ।

ନୂଆ ପଦକ୍ଷେପ ଭାବେ ସରକାର ଲୋକଙ୍କ କ୍ରେଡିଟ୍ କାର୍ଡ ବ୍ୟୟ . ସଂପତ୍ତି ଓ ଷ୍ଟକ୍ ନିବେଶ ,ନଗଦ କ୍ରୟ ଏବଂ ଜମା ଆଦି ବିଭିନ୍ନ କାରବାର ତଥ୍ୟକୁ ଏକାଠି କରି ନୂଆ ବ୍ୟବସ୍ଥାରେ ସାମିଲ୍ କରିବେ । ଏହାପରେ ଏକ କେନ୍ଦ୍ରୀୟ ଟିମ୍ ଡାକ ଯୋଗେ ଏବଂ ଇମେଲ୍ ମାଧ୍ୟମରେ ଲୋକଙ୍କୁ ଟିକସ ଘୋଷଣାନାମା ଫାଇଲ୍ କରିବା ପାଇଁ ନିର୍ଦ୍ଦେଶ ଦେବେ । ଡିସେମ୍ବର ସୁଦ୍ଧା ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରାଯିବାକୁ ଥିବାବେଳେ ଆସନ୍ତା ମାସରୁ ଲୋକଙ୍କ ନିକଟକୁ ନୋଟିସ୍ ପଠାଯିବ ବୋଲି ଜଣାପଡିଛି ।