ଦୁଇ ମହିଳାଙ୍କ ଅଦ୍ଭୁତ ସଫଳତା ! ୧୨୫ ଟଙ୍କାରେ ମସଲା ବ୍ୟବସାୟ ଆରମ୍ଭ କରି ଆଜି ଦେଶ ବିଦେଶରେ କମେଇଛନ୍ତି ନାଁ

35

କୁହାଯାଏ ସ୍ୱପ୍ନକୁ ସାକାର କରିବାକୁ ହେଲେ ଖୁବ୍ ପରିଶ୍ରମ ଓ ଦୃଢ ମନୋବଳ ଦରକାର । ଆଉ ଏହା ଦ୍ୱାରା ଅସମ୍ଭବ ବି ସମ୍ଭବ ହୋଇପାରେ । ଏହି କଥାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ରାଜସ୍ଥାନର ନାଗୌରର ଦୁଇ ଜଣ ମହିଳା । ସଂପର୍କରେ ଏ ଦୁହେଁ ଶାଶୁ –ବୋହୁ । ଦୁହେଁ ମିଶି ସବୁ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ପାଇଛନ୍ତି ସଫଳତା ।

ଇୟୋରଷ୍ଟୋରୀରେ ପ୍ରକାଶିତ ହୋଇଥିବା ଏହି ଖବରକୁ ନେଇ ଏବେ ଖୁବ୍ ଆଲୋଚନା । ୬୮ ବର୍ଷୀୟ ଲକ୍ଷ୍ମୀ ଓ ତାଙ୍କର ବୋହୁ ଅନୁରାଧା । ଘରର ଆର୍ଥକ ପରିସ୍ଥିତି ଭଲ ନଥିଲା । ଏ ସମୟରେ ଘରର ବଢିଲା ପୁଅର ମୃତ୍ୟୁ ପରିବାରରେ ଦୁଃଖର ପାହାଡ ସୃଷ୍ଟି କରିଥିଲା । ଏଭଳି ଏକ ଦୁଃଖଦ ମୁହୂର୍ତ୍ତରେ ସଫଳତାର ମଂଜି ବୁଣି ହେଲା । ଶାଶୁ ବୋହୁ ମିଶି କିଛି କରିବାକୁ ଚେଷ୍ଟା କଲେ । ୧୨୫ଟଙ୍କାରେ ସ୍ୱୟଂ ସହାୟତା ସମୁହ ଜରିଆରେ ମସଲା ବ୍ୟବସାୟ ଆରମ୍ଭ କଲେ । ପ୍ରଥମେ ଅଳ୍ପରେ କାମ ଆରମ୍ବ କଲେ । କିନ୍ତୁ ଲକ୍ଷ୍ୟ ଥିଲା କେମିତି ଘରକୁ ଦି ଓଳି ଖାଇବାକୁ ମିଳିଯିବା । ଆଉ କିଛି ଘରର ଖର୍ଚ୍ଚ । ୨୦୦୦ମସିହା ଥିଲା । ସେ ସମୟରେ ଆଜି ଭଳି ସପିଂ ପାଇଁ ଇ-କମର୍ସ ୱେବସାଇଟ୍ ନଥିଲା । ସେମାନେ ମସଲା ତିଆରି କରି ପାଖ ମାର୍କେଟରେ ବିକ୍ରି କରିଦେଉଥିଲେ । ପ୍ରାରମ୍ଭରେ ସେମାନଙ୍କୁ ପରିଶ୍ରମ ବହୁତ କରିବାକୁ ପଡୁଥିଲା । ଏବଂ ଏହି ଅନୁପାତରେ ପଇସା ମଧ୍ୟ କମ୍ ମିଳୁଥିଲା । କିନ୍ତୁ ଲକ୍ଷ୍ମୀ ଓ ତାଙ୍କର ବୋହୁ ଅନୁରାଧା ପଛକୁ ଫେରିଚାହିଁନଥିଲେ । ସବୁ ଅସୁବିଧାକୁ ସାମ୍ନା କରି ଚେଷ୍ଟା ଜାରିରଖିଲେ ।

ଧିରେ ଧିରେ ସେମାନଙ୍କର ବ୍ୟବସାୟରେ ବୃଦ୍ଧି ହେଲା । ଏମିତି ଏକ ସମୟ ଆସିଲା ରାଜ୍ୟରେ ସେମାନଙ୍କର ମସଲାକୁ ଖୁବ୍ ପ୍ରଂଶସା ମିଳିଲା । ସେମାନେ ରାଜସ୍ଥାନରେ ହେଉଥିବା କୃଷି ଓ ଉତ୍ପାଦ ମେଳାରେ ନିଜର ମସଲାର ବିକ୍ରି ଓ ପ୍ରଦର୍ଶନ ପାଇଁ ନେଇ ଯାଉଥିଲେ । ଏହାପରେ ଯେତେବେଳେ ଇଂଟରନେଟର ଯୁଗ ଆସିଲା ଏବଂ ସମସ୍ତଙ୍କ ହାତରେ ସ୍ମାର୍ଟଫୋନ ରହିଲା , ଅନୁରାଧା ଟେକ୍ନୋଲୋଜିର ଆବଶ୍ୟକତାକୁ ବୁଝି ଏହା ଜରିଆରେ ବ୍ୟବସାୟ ଆରମ୍ବ କଲେ । ଆଜି ତାଙ୍କର ମସଲା ଦେଶର ବିଭିନ୍ନ ସହର ଓ ଦୁବାଇ ଭଳି ସ୍ଥାନକୁ ବିକ୍ରି ପାଇଁ ଯାଉଛି ।

ଅନୁ-କଲେକ୍ସନ ନାମରେ ନିର୍ମିତ ମହିଳା-ପୁରୁଷଙ୍କର ଦୁଇ ଅଲଗା ଅଲଗା ହ୍ୱାଟ୍ସଆପ୍ ଗ୍ରୁପ ମାଧ୍ୟମରେ ସେମାନେ ଘରୋଇ ଖାଦ୍ୟ ଉତ୍ପାଦର ବିକ୍ରି ଅର୍ଡର ପାର୍ସଲ ମାଧ୍ୟମରେ କରୁଛନ୍ତି । ସବୁ କଠିନ ପରିସ୍ଥିତିକୁ ସାମ୍ନା କରି ଜୀବନର ସଫଳତାର ଶୀର୍ଷରେ ପହଁଚିଥିବା ଲକ୍ଷ୍ମୀ କୁହନ୍ତି ସଫଳତାର ମନ୍ତ୍ର । ନିଜ ଉପରେ ବିଶ୍ୱାସ ରଖିଲେ , କୌଣସି ଅସୁବିଧା ବଡ ହେବ ନାହିଁ । ଯଦି ଆନ୍ତରିକ ଶକ୍ତିକୁ ଜାଗ୍ରତ କରିବା ତ କୌଣସି ବିପଦ ଆପଣକୁ ଦୁର୍ବଳ କରିପାରିବ ନାହିଁ

ବିପଦକୁ ସାମ୍ନାରେ ଦେଖି ଜୀବନରେ ଆଉ କିଛି କରିହେବ ନାହିଁ ବୋଲି କହି ହାରିଯାଉଥିବା ଲୋକଙ୍କ ପାଇଁ ନିଶ୍ଚୟ, ଲକ୍ଷ୍ମୀଙ୍କର ଏହି କାହାଣୀ ଫଳପ୍ରଦ ହେବ । ଆଉ ଯେଉଁମାନେ ନିଜ ଉଦ୍ୟମରେ କିଛି କରିବାକୁ ଚାହୁଁଛନ୍ତି ଏହା ନିଶ୍ଚୟ ସେମାନଙ୍କୁ ପ୍ରେରଣା ଯୋଗାଇବ ।