ଚର୍ଚ୍ଚାରେ ଦେଶର ଏହି ‘ଭିଭିଆଇପି ବୃକ୍ଷ’ ! ରକ୍ଷଣାବେକ୍ଷଣ ପାଇଁ ଖର୍ଚ୍ଚ ହୁଏ ଲକ୍ଷ ଲକ୍ଷ ଟଙ୍କା

30

ଏକ ଅଶ୍ୱତ୍ଥ ଗଛକୁ ନେଇ ଏବେ ଖୁବ୍ ଚର୍ଚ୍ଚା । ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ଓ ଭିଦିଶା ସହର ମଧ୍ୟରେ ସଲାମତପୁରର ଏକ ପାହାଡରେ ଲାଗିଛି ଏହି ବୃକ୍ଷଟି । ଏହା ଦେଶର ସବୁଠୁ ଭିଭିଆଇପି ଗଛ ଭାବେ ଜଣାଶୁଣା । ଏହାର ରକ୍ଷଣାବେକ୍ଷଣ ପାଇଁ ୨୪ ଘଣ୍ଟା ଚାରି ଜଣ ଗାର୍ଡ ଜଗିରହିଥାନ୍ତି । ଏହାସହ ପାଣି ଟ୍ୟାଙ୍କର ମଧ୍ୟ ବନ୍ଦୋବସ୍ତ ହୋଇଛି ଏ ଗଛଟି ପାଇଁ ।

୧୦୦ ଏକରର ସ୍ଥାନରେ ପାହାଡ ଉପରେ ୧୫ ଫୁଟ ଉଚ୍ଚର ଲୈାହ ଜାଲି ଦ୍ୱାରା ଆବଦ୍ଧ କରାଯାଇଛି ଏହି ଭିଭିଆଇପି ଗଛକୁ । ୨୪ ଘଣ୍ଟା ଏହାକୁ ନଜରରେ ରଖିବାକୁ ପରମେଶ୍ୱର ତିୱାରୀ ସହ ୪ ଗୃହରକ୍ଷୀ ଜଗି ରହିଥାନ୍ତି । ଗଛର ସୁରକ୍ଷାରେ ଥିବା ପରମେଶ୍ୱର ତିୱାରୀ କହିଛନ୍ତି , ‘ ଡିସେମ୍ବର ୨୦୧୨ମସିହାରୁ ମୁଁ ଏଠାରେ ଡ୍ୟୁଟି କରୁଛି । ବହୁତ ଲୋକ ପ୍ରଥମେ ପ୍ରଥମେ ଏହି ଗଛଟିକୁ ଦେଖିବାକୁ ଆସୁଥିଲେ । ଏବେ ଟିକେ କମି ଗଲେଣି ’ । ଗଛକୁ ରୋଗ ଦାଉରୁ ରକ୍ଷା ପାଇଁ କୃଷି ବିଭାଗର ଅଧିକାରୀ ପ୍ରତି ସପ୍ତାହରେ ଏଠାକୁ ଆସିଥାନ୍ତି । ଏହା ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ହୋଇଥାଏ ।

୨୧ ଡିସେମ୍ବର, ୨୦୧୨ରେ ଶ୍ରୀଲଙ୍କାର ପୂର୍ବ ରାଷ୍ଟ୍ରପତି ମହିନ୍ଦ୍ରା ରାଜପକ୍ଷେ ଏହି ଗଛଟିକୁ ନିଜ ଦେଶରୁ ଆଣି ଏହିଠାରେ ରୋପଣ କରିଥିଲେ । ବୈାଦ୍ଧ ଧର୍ମର ଅନୁଗାମୀଙ୍କ ପାଇଁ ଏହା ମହତ୍ତ୍ୱପୂର୍ଣ୍ଣ ଅଟେ । ବୈାଦ୍ଧ ଧର୍ମଗୁରୁ ଚନ୍ଦ୍ରରତନ କହିଛନ୍ତି ତଥାଗତ ବୁଦ୍ଧ ବୋଧଗୟାରେ ଏହି ଗଛର ତଳେ ଜ୍ଞାନ ପ୍ରାପ୍ତ ହୋଇଥିଲେ । ଭାରତର ସମ୍ରାଟ ଅଶୋକ ଏହି ଗଛର ଶାଖାକୁ ଶ୍ରୀଲଙ୍କା ନେଇଯାଇଥିଲେ । ଅନୁରାଧାପୁରମ୍ ରେ ଲଗାଇଥିଲେ । ସାଂଚି ବୈାଦ୍ଧ ବିଶ୍ୱବିଦ୍ୟାଳୟର ଭୂମିରେ ଲଗାଯାଇଥିଲା । ଏହି ଗଛର ଗୋଟିଏ ବି ପତ୍ର ଶୁଖିଗଲେ ପ୍ରଶାସନ ସଜାଗ ହୋଇଯାଏ । ଏହି ଗଛ ନିକଟକୁ ଯିବା ପାଇଁ ଭାପାଳ-ଭିଦିଶା ମୁଖ୍ୟ ରାସ୍ତାରୁ ପାହାଡ ଯାଏ ପକ୍କା ସଡକ ତିଆରି ହୋଇଛି । ଏହି ଭିଭିଆଇପି ଅଶ୍ୱତ୍ଥ ବୃକ୍ଷକୁ ରକ୍ଷଣାବେକ୍ଷଣ ପାଇଁ ପ୍ରତି ବର୍ଷ ୧୨-୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । ଏବେ ଏହି ବୃକ୍ଷଟି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।
(ସୌଜନ୍ୟ- ଏନଡି ଟିଭି)