ଯେତିକି ଭଲ,ସେତିକି ମନ୍ଦ ! ସୋସିଆଲ ମିଡିଆ ଏବେ ସାଜିଛି ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା

34

ଏବେ ସୋସିଆଲ ମିଡିଆର ମାନିଆ । ନିଜର ଦୈନିକ ଜୀବନର ଏକ ଅଂଶ ବିଶେଷ ପାଲଟିଗଲାଣି ଏହି ସୋସିଆଲ ମିଡିଆ । ଏକ ଗବେଷଣାରୁ ଜଣାପଡିଛି ଯେ, ଯୁବପିଢି ବହୁତ ମାତ୍ରାରେ ଏହାକୁ ବ୍ୟବହାର କରୁଛନ୍ତି । ବର୍ତ୍ତମାନ ବଢୁଥିବା ସୋସିଆଲ୍ ନେଟୱର୍କିଂ ସାଇଟ୍ ର ଚାହିଦା ଦୈାଡରେ ସବୁଠୁ ଆଗରେ ରହିଛି ଫେସବୁକ୍ । ଦିନକୁ ଦିନ ଏହାର ଲୋକପ୍ରିୟତା ଆକାଶ ଛୁଇଁଲାଣି । ବିଭିନ୍ନ ଅପଡେଟ୍ ଖବର ପାଇବା ଠାରୁ ଆରମ୍ବ କରି ମନୋରଂଜନ ସହ ଭାବର ଓ ତଥ୍ୟର ଆଦାନପ୍ରଦାନର ମାର୍ଗ ପାଲଟିଛି ଏହି ସାଇଟ୍ । ହେଲେ ଏହାର ଲୋକପ୍ରିୟତାର ସୁଯୋଗ ନେଇ ଅନେକ ଅସାମାଜିକ ବ୍ୟକ୍ତି ଘଟାଉଛନ୍ତି ଅନେକ ଅପରାଧ ଓ ଅନେକଙ୍କୁ ପକାଉଛନ୍ତି ଅସୁବିଧାରେ ।

ସୂଚନା ଅନୁସାରେ ପ୍ରାୟ ୧.୩୨ ବିଲିୟନ ( ଶହେ କୋଟିରୁ ଉର୍ଦ୍ଧ୍ୱ) ଏବଂ ମାସିକ ୨.୦୧ ବିଲିୟନ ଉପଭୋକ୍ତା ସକ୍ରିୟ ରହୁଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରାୟ୧.୧୫ ବିଲିୟନ ଉପ ଭୋକ୍ତା ମୋବାଇଲରେ ଏହାକୁ ବ୍ୟବହାର କରୁଛନ୍ତି । ଫେସବୁକରେ ମହିଳା ଉପଭୋକ୍ତାଙ୍କ ସଂଖ୍ୟା ୭୬% ବେଳେ ପୁରୁଷଙ୍କ ସଂଖ୍ୟା ୬୭% । ବର୍ତ୍ତମାନ ପୃଥିବୀରେ ଫେସବୁକ୍ ବ୍ୟବହାର କରୁଥିବା ଦେଶମାନଙ୍କ ତୁଳନାରେ ଭାରତ ସବୁଠାରୁ ଆଗରେ ରହିଛି । ଏଠାରେ ଲୋକେ ପାଗଳ ପ୍ରାୟ ଫେସବୁକରେ ଲାଗିରହୁଛନ୍ତି ।

ଫେସବୁକ ଗୋଟେ ପଟେ ଉପଯୋଗୀ ସାବ୍ୟସ୍ତ ହେବା ବେଳେ ଅନ୍ୟପଟେ ମାରାତ୍ମକ ମନେହେଉଛି । ଏହାର ବହୁଳ ବ୍ୟବହାରର ଫାଇଦା ଉଠାଉଛନ୍ତି କିଛି ଅସାମାଜିକ ବ୍ୟକ୍ତି । ଫେକ୍ ଆକାଉଂଟ ଖୋଲି ଲୋକଙ୍କୁ ହଇରାଣ କରୁଥିବାର ଅନେକ ଖବର ଶୁଣିବାକୁ ମିଳୁଛି । ଏକ ରିପୋର୍ଟ ଅନୁସାରେ, ବ୍ୟବହୃତ ସମସ୍ତ ଫେସବୁକ୍ ଆକାଉଂଟ ମଧ୍ୟରୁ ପ୍ରାୟ ୮୩ ମିଲିୟନ ହେଉଛି ଫେକ୍ । ଏହାର କାରଣ ମଧ୍ୟ ଅନେକ ପ୍ରକାରର । ବିଭିନ୍ନ ପ୍ରକାର ସେଲ୍ ବା ବିଜ୍ଞାପନ. ଅନ୍ୟର ଆକାଉଂଟ ବ୍ଲକ୍ କରିବା , ନିଜ ନାମ ଗୋପନ ରଖିବା ଓ ଝିଅଙ୍କ ସହ ମଜାମସ୍ତି କରିବା ଆଦି ଦେଇ ଅନେକ ଫେକ୍ ଆକାଉଂଟ ଖୋଲିଥାନ୍ତି । ଆଉ ମଧ୍ୟ କେତେକ ଅସାମାଜିକ ବ୍ୟକ୍ତି ଝିଅଙ୍କ ନାମରେ ଆଇଡି ଖୋଲି ଝିଅଙ୍କ ସହ ସୋସିଆଲ ମିଡିଆରେ ବନ୍ଧୁତା ସ୍ଥାପନ କରନ୍ତି । ବନ୍ଧୁତାର ପ୍ରେମ ଓ ପ୍ରତାରଣା ଆଦି ଘଟୁଛି । ଆଉ ଏବେ ଏହି ଫେକ୍ ଆଇଡି ସଂଖ୍ୟା ବଢିବାରେ ଲାଗିଛି ।

ଏହାଦ୍ୱାରା ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି । ସମାଜରେ ଏହାର ପ୍ରଭାବ ଖୁବ ପଢୁଛି । ଫେସବୁକରେ ଆପତ୍ତିଜନକ ଫଟୋ ଭିଡିଓ ଛାଡିବା ଦ୍ୱାରା ସମାଜ କଳିଷିତ ହେଉଛି । ହତ୍ୟା , ଆତ୍ମହତ୍ୟା ଆଦି କାଣ୍ଡ ନିତିଦିନିଆ ଘଟଣା ହେଲାଣି । ଫେସବୁକ ମାଧ୍ୟରେ ଅନ୍ୟକୁ ବ୍ଲାକ ମେଲିଂ କରିବା , ଫେକ୍ ଆକାଉଂଟ ଖୋଲି ଆପତ୍ତିଜନକ ଫଟୋ ଓ ଭିଡିଓ ସର୍ବସାଧାରଣରେ ସେୟାର କରିବା ଆଦି ସାଇବର କ୍ରାଇମ ପାଇଁ ଆପିସି ଧାରା ୪୧୯ ଅନୁଯାୟୀ ଦଣ୍ଡିତ କରାଯାଇଥାଏ । ଏଣୁ ଯଦି କିଏ ଏଭଳି କାଣ୍ଡ କରୁଥାନ୍ତି ତ ଧରାପଡି ଜେଲ ଯିବାର ଆଇନ ରହିଛି । ଏଣୁ ସୋସିଆଲ ସାଇଟ୍ କୁ ଯେତିକି ଦରକାର ମୁତାବକ ବ୍ୟବହାର କରିବା ଉଚିତ୍ । ଅଯଥାରେ ଏଥିରେ ଲାଗି ରହି ସମୟ ନଷ୍ଟ ନକରି ଅନ୍ୟ ସୃଜନାତ୍ମକ କାର୍ଯ୍ୟରେ ମନୋନିବେଶ କରିବା ଭଲ ହେବ ।