ଗାଈ ଦେହରେ ଅଛି ଏଚଆଇଭି ଚିକିତ୍ସାର ସୂତ୍ର ! ଆମେରିକୀୟ ବୈଜ୍ଞାନିକଙ୍କ ମତ

279

ବୈଜ୍ଞାନିକମାନେ ଏଚଆଇଭି ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା ପାଇଁ ଏକ ନୂଆ ଉପାୟ ଖୋଜି ବାହାର କରିଛନ୍ତି । ସେମାନେ ଦାବି କରିଛନ୍ତି ଯେ ଗାଈମାନଙ୍କ ଦେହରେ ଏହି ଚିକିତ୍ସାର ସୂତ୍ର ନିହିତ ଅଛି । ଗାଈଙ୍କ ଦେହରେ ସୃଷ୍ଟି ହେଉଥିବା ଆଂଟିବଡି(ପ୍ଲାଜମା ସେଲ୍ ଦ୍ୱାରା ସୃଷ୍ଟି କରାଯାଉଥିବା ୱାଇ ଆକାରର ଏକ ପ୍ରୋଟିନ୍ ଯାହାକି ବ୍ୟାକ୍ଟେରିଆ ଓ ଭାଇରସମାନଙ୍କୁ ପ୍ରତିରୋଧ କରିଥାଏ) ଏଚଆଇଭି ଭାଇରସକୁ ସଂପୂର୍ଣ୍ଣ ନଷ୍ଟ କରିଦେବାରେ ସକ୍ଷମ । ଏହାକୁ ଉପଯୋଗ କରି ଭବିଷ୍ୟତରେ ମଣିଷ ପାଇଁ ଟୀକା ବାହାର କରାଯାଇପାରିବ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି ।

ଆମେରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟସ୍ ଅଫ୍ ହେଲଥର ନିର୍ଦ୍ଦେଶକ ଆନ୍ଥୋନୀ ଫାଉକ୍ କହିଛନ୍ତି ଯେ ଗାଈ ଦେହର ରୋଗ ପ୍ରତିରୋଧକ ପ୍ରଣାଳୀ ଏକ ସ୍ୱତନ୍ତ୍ର ଧରଣର ଆଣ୍ଟିବଡି ତିଆରି କରିଥାଏ । ଯାହାକି ଏଚଆଇଭି ଭାଇରସକୁ ଦୃଢ଼ ପ୍ରତିରୋଧ କରିଥାଏ । ଏଚଆଇଭି ଆକ୍ରାନ୍ତ ବ୍ୟକ୍ତିଙ୍କ ମଧ୍ୟରୁ ମାତ୍ର ୧୦ରୁ ୨୦%ଙ୍କ ଦେହରେ ଏଭଳି ଆଣ୍ଟିବଡି ତିଆରି ହୋଇଥାଏ । ମାତ୍ର ଏଚଆଇଭିରେ ଆକ୍ରାନ୍ତ ହେବାର ପ୍ରାୟ ୨ବର୍ଷ ପରେ ସେମାନଙ୍କ ଦେହରେ ଏଭଳି ଆଣ୍ଟିବଡି ସୃଷ୍ଟି ହୋଇଥାଏ । ସେତେବେଳକୁ ଏଚଆଇଭି ଭାଇରସ୍ ଦେହର ରୋଗ ପ୍ରତିରୋଧକ ପ୍ରଣାଳୀର ମୁକାବିଲା କରିବାର କ୍ଷମତା ବିକଶିତ କରିସାରିଥାନ୍ତି । କିନ୍ତୁ ଗାଈ ଦେହରେ ଏଚଆଇଭି ପ୍ରୋଟିନ୍ ଭର୍ତ୍ତି କରିବାର ମାତ୍ର ୩୫ରୁ ୫୦ଦିନ ଭିତରେ ଏଭଳି ଆଣ୍ଟିବଡି ତିଆରି ହୋଇଯାଉଛି ।

ଗାଈର ପାକସ୍ଥଳୀରେ ଥିବା ସ୍ୱାତନ୍ତ୍ର୍ୟ ଯୋଗୁଁ ଏହା ସମ୍ଭବପର ହେଉଛି । ଗାଈର ପାକସ୍ଥଳୀରେ ଅନେକ ଗୁଡିଏ କୋଠରୀ ଥାଏ ଏବଂ ସେଥିରେ ଘାସ ଆଦି ପଦାର୍ଥକୁ ବିଘଟନ କରିବା ପାଇଁ ବିପୁଳ ପରିମାଣର ବ୍ୟାକ୍ଟେରିଆ ଭର୍ତ୍ତି ହୋଇଥାନ୍ତି । ତେବେ ଏହି ବ୍ୟାକ୍ଟେରିଆ ଯୋଗୁଁ ସଂକ୍ରମଣ ହେବାର ସମ୍ଭାବନା ଥିବାରୁ ଗାଈ ଦେହରେ ସେଥିପାଇଁ ସ୍ୱତନ୍ତ୍ର ଆଣ୍ଟିବଡି ପ୍ରସ୍ତୁତ ହୋଇଥାନ୍ତି । ତେବେ ଏଚଆଇଭି ଯୋଗୁଁ ଗାଈମାନେ ଆକ୍ରାନ୍ତ ହୁଅନ୍ତି ନାହିଁ । ଏହାଯୋଗୁ କେବଳ ମଣିଷ ଆକ୍ରାନ୍ତ ହୁଅନ୍ତି । ତେଣୁ ଗାଈ ଦେହର ଆଣ୍ଟିବଡିକୁ ମଣିଷ ପାଇଁ ବ୍ୟବହାର କରାଯାଇପାରିବ ନାହିଁ । କିନ୍ତୁ ତାହାର ବିଶେଷତ୍ୱ ଅନୁଧ୍ୟାନ କରି ଭବିଷ୍ୟତରେ ଏଚଆଇଭି ଆକ୍ରାନ୍ତ ମଣିଷର ଚିକିତ୍ସା ପାଇଁ ଟୀକା ପ୍ରସ୍ତୁତ କରାଯାଇପାରିବ ବୋଲି ବୈଜ୍ଞାନିକମାନେ କହିଛନ୍ତି ।

( ସୈାଜନ୍ୟ-ଟାଇମ ଡଟ୍ କମ୍ )