୩୦ ବର୍ଷ ପରେ ତୋପ କିଣିବ ଭାରତ ! ଚର୍ଚ୍ଚାରେ ଏମ୍-୭୭୭ ହେବିଟଜର୍ସ୍

52

କନକ ବ୍ୟୁରୋ : ପାଖାପାଖି ୩୦ ବର୍ଷ ପରେ ଭାରତୀୟ ସେନାବାହିନୀକୁ ମିଳିବାକୁ ଯାଉଛି ନୂଆ ତୋପ । ଆମେରିକାର ବିଏଇ ସିଷ୍ଟମରୁ ମିଳିଛି ୧୫୫ ଏମ୍/ ୩୯ କ୍ୟାଲିବର୍ ଅଲଟ୍ରା ଲାଇଟ୍ ହେବିଟଜର୍ସ୍ ବା ୟୁଏଲ୍ଏଚ୍ ତୋପ । ତୋପ ଗୁଡିକୁ ପରୀକ୍ଷଣ ପାଇଁ ରାଜସ୍ତାନର ପୋଖରାନ୍ ଫାୟରିଂ ରେଂଜକୁ ପଠାଯାଇଥିଲା । ୩୦ ବର୍ଷ ପୂର୍ବରୁ ଭାରତ ଦ୍ୱାରା ସ୍ୱିଡେନ୍ କଂପାନୀରୁ କିଣାଯାଇଥିଲା ବୋଫର୍ସ୍ ତୋପ । ଯାହା ରାଜନୀତିରେ ଝଡ ସୃଷ୍ଟି କରିଥିଲା । ଏବେ ବୋଫର୍ସ ଦୁର୍ନୀତିର ଦୀର୍ଘ ଦିନ ପରେ କିଣା ଯାଇଛି ତୋପ । ସେନାରେ ଏହି ତୋପ ସାମିଲ ହେଲେ ଶକ୍ତିବୃଦ୍ଧି ସୁନିଶ୍ଚିତ ବୋଲି ଜଣାପଡ଼ିଛି ।

ଏମ୍ – ୭୭୭ ହେବିଟଜର୍ସ ତୋପ । ଯାହା ଶତ୍ରୁକୁ କଡ଼ା ଜବାବ ଦେବାରେ ପୂର୍ଣ୍ଣ ମାତ୍ରାରେ ସକ୍ଷମ । ଏହି ଅତ୍ୟାଧୁନିକ ତୋପ ୨୪ରୁ ୪୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରି ପାରେ । ଓଜନ ଖୁବ ହାଲୁକା ହୋଇଥିବାରୁ ହେଲିକପ୍ଟର ଜରିଆରେ ଏହାର ପରିବହନ ସମ୍ଭବ । କାରଗିଲ ଅନୁପ୍ରବେଶ ପରି ଘଟଣାରେ ଏହି ତୋପ କାମ କରିବ ବ୍ରହ୍ମାସ୍ତ୍ର ପରି । କାରଣ ନିଖୁଣ ଲକ୍ଷ୍ୟଭେଦୀ କ୍ଷମତା ପାଇଁ ଏହା ସୁପରିଚିତ ।

ଏମ୍-୭୭୭ ହେବିଟଜର୍ସ୍ ତୋପ କିଣିବା ପାଇଁ ୨୦୧୦ରେ ଆମେରିକା ସହ କଥାବାର୍ତା ଆରମ୍ଭ ହୋଇଥିଲା । ୨୬ ଜୁନ୍ ୨୦୧୬ରେ ମୋଦି ସରକାର ସେନା ବାହିନୀ ପାଇଁ ୧୪୫ ତୋପ କିଣାଯିବା ନେଇ ଘୋଷଣା କରିଥିଲେ । ୨୯୦୦ କୋଟି ଟଙ୍କାର ଏହି ଯୋଜନାରେ ଶେଷ ମୋହର ଲାଗିଥିଲା ୨୦୧୬ ମସିହାରେ । ତେବେ ତୋପ ଗୁଡିକୁ ବିଭିନ୍ନ ପର୍ଯ୍ୟାୟରେ ଯାଂଚ୍ କରାଯିବା ପରେ ଏହାକୁ ଭାରତୀୟ ସେନା ପାଇଁ ବ୍ୟବହାର ଯୋଗ୍ୟ ବୋଲି ଘୋଷଣା କରାଯିବ । ଆମେରିକା ନିର୍ମିତ ଏହି ତୋପକୁ ପ୍ରଥମେ ଭାରତ – ଚୀନ ସୀମାରେ ମୁତୟନ କରାଯିବ ବୋଲି କୁହାଯାଉଛି ।