trump-story_647_031516122941କନକ ବ୍ୟୁରୋ : ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ ନୂଆ ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ । ତାଙ୍କ ପ୍ରଥମ ଭାଷଣରେ ସେ ବିଶ୍ୱବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହ ପୂର୍ବ ରାଷ୍ଟ୍ରପତିମାନଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି । ତାଙ୍କ ସରକାର ଲୋକଙ୍କ ସରକାର ଏବଂ ସରକାର ଉପରେ ଦେଶବାସୀଙ୍କ ନିୟନ୍ତ୍ରଣ ରହିବ ବୋଲି ଟ୍ରମ୍ପ କହିଛନ୍ତି । ଆମେରିକା ଆହୁରି ଶକ୍ତିଶାଳି ହେବ ଏବଂ ଦେଶର ସ୍ୱପ୍ନକୁ ସେ ସାକାର କରିବାକୁ ଆପ୍ରାଣ ଚେଷ୍ଟା କରିବେ ବୋଲି ନିଜ ବକ୍ତବ୍ୟରେ କହିଛନ୍ତି ।

ଗତବର୍ଷ ନଭେମ୍ବର ୮ ତାରିଖରେ ଆମେରିକାରେ ହୋଇଥିଲା ରାଷ୍ଟ୍ରପତି ନିର୍ବାଚନ । ସାଧାରଣ ନିର୍ବାଚନ ପରେ ଇଲେକ୍ଟ୍ରୋଲ କଲେଜର ଭୋଟିଂ ପ୍ରକିୟା ଆରମ୍ଭ ହୋଇଥିଲା । ଡିସେମ୍ବର ୧୬ ପରେ ଶେଷ ହୋଇଥିବା ନିର୍ବାଚନ ପ୍ରକ୍ରିୟାରେ ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥୀ ଥିବା ଡୋନାଲ ଟ୍ରମ୍ପ ସମୁଦାୟ ୩୦୪ ଭୋଟ୍ ପାଇଥିବା ବେଳେ ତାଙ୍କର ପ୍ରତିଦ୍ୱନ୍ଦୀ ଥିବା ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ହିଲାରୀ କ୍ଲିନ୍ଟନ୍ ୨୨୭ ଭୋଟ୍ ପାଇଥିଲେ । ଡିସେମ୍ବର ୧୯ ଫଳାଫଳ ଆନୁଷ୍ଠାନିକ ଭାବରେ ଜାନୁୟାରୀ ୬ ତାରିଖରେ ୟୁଏସ୍ କଂଗ୍ରେସ୍ ପକ୍ଷରରୁ ଘୋଷଣା କରାଯାଇଥିଲା ।

ପୂର୍ବରୁ ଜଣେ ବିବାଦୀୟ ଚରିତ୍ର ଭାବେ ସମାଲୋଚନାର ଶିକାର ହୋଇଥିବା ଡୋନାଲ୍ଡ ଟ୍ରମ୍ପ ନିର୍ବାଚନ ସମୟରେ ଅନେକ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ସାରା ବିଶ୍ୱରେ ଏକ ପ୍ରକାର ଝଡ଼ ସୃଷ୍ଟି ହୋଇଥିଲା । ସେହିପରି ଆମେରିକା ନିର୍ବାଚନରେ ପ୍ରଥମ ଥର ପାଇଁ ପ୍ରତିପକ୍ଷଙ୍କ ପ୍ରତି ଆରୋପ ବ୍ୟକ୍ତିଗତ ସ୍ତରକୁ ଯାଇଥିବା ଆଲୋଚନା ହୋଇଥିଲା । ହିଲାରୀ କ୍ଲିନଟନ୍ ଏବଂ ବିଲ୍ କ୍ଲିନଟନଙ୍କ ପ୍ରତି ଅଶାଳିନ ମନ୍ତବ୍ୟ ଦେଇ ବେଶ ସମାଲୋଚନା ଶିକାର ହୋଇଥିଲେ ଡୋନାଲ ଟ୍ରମ୍ପ ।

ସେହିପରି ମୁସଲିମ୍ ବିରୋଧୀ ଆଭିମୁଖ୍ୟ, ବିଦେଶୀଙ୍କ ପ୍ରତି ଭେଦଭାବ ଭରା ଆଚରଣ ଥିବା ମନ୍ତବ୍ୟ, ଦେଶର ଦକ୍ଷିଣ ପ୍ରାନ୍ତର ସୀମାରେ ବୋର୍ଡର ନିର୍ମାଣ, ଅନୁପ୍ରେବେଶକାରୀଙ୍କ ସମ୍ବନ୍ଧରେ ଏବଂ ଭିସା ପ୍ରଦାନ କ୍ଷେତ୍ରରେ ବିବାଦୀୟ ଟିପ୍ପଣୀ ତାଙ୍କ ବିବାଦକୁ ବଢ଼ାଇ ଦେଇଥିଲା ।

ଏହାସହ ଦେଖନ୍ତୁ ଏହି ଭିଡିଓ –