ସୌନ୍ଦର୍ଯ୍ୟ ନୁହେଁ ପ୍ରେମର ପରିଚୟ ! ଭଲ ମନ ଆଉ ହୃଦୟଟିଏ ଖୋଜିଥାଏ ଜୀବନସାଥୀ

51

ଭଲ ପାଇବାର ନିଚ୍ଛକ ଉଦାହରଣ । ପ୍ରେମିକାଙ୍କ ଚେହେରାକୁ ନୁହେଁ ବରଂ ଉଭୟଙ୍କ ମଧ୍ୟରେ ଥିବା ପ୍ରେମକୁ ଗୁରୁତ୍ୱ ଦେଇଛନ୍ତି ପ୍ରେମିକ । ଆଉ ଏସିଡ୍ ଆକ୍ରମଣରେ ପ୍ରେମିକାଙ୍କ ଚେହେରା ଖରାପ ହେବା ସତ୍ୱେ ତାଙ୍କୁ ବିବାହ କରି ସମାଜ ଆଗରେ ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି । ଘଟଣାଟି ଘଟିଛି ମୁମ୍ବାଇ ମହାନଗରୀରେ । ତିନି ମାସ ତଳେ ରଙ୍ଗ୍ ନମ୍ବରରେ କଥାବାର୍ତାରୁ ଆରମ୍ଭ ହୋଇଥିଲା ରାହୁଲ ଓ ଲଳିତାଙ୍କ ପ୍ରେମ । କେହି କାହାକୁ ଦେଖି ନଥିଲେ । ତେଣୁ ଲଳିତା ଏସିଡ୍ ଆକ୍ରମଣର ପୀଡିତା ବୋଲି ଜାଣି ନଥିଲେ ରାହୁଲ ।

ହେଲେ ପ୍ରେମିକଙ୍କୁ ନିଜ ସଂପର୍କରେ ସବୁ ସତକଥା କହିଥିଲେ ଲଳିତା । ଆଉ ଲଳିତାଙ୍କ ଜଳି ଯାଇଥିବା ବିକୃତ ଚେହେରା ଦେଖିବା ପରେ ବି ନିଜ ନିଷ୍ପତି ବଦଳାଇ ନଥିଲେ ପ୍ରେମିକ ରାହୁଲ । ବିବାହ କରିବାକୁ ନେଇଥିଲେ ନିଷ୍ପତି । ଆଉ ରାହୁଲଙ୍କ ଏପରି ନିଷ୍ପତି ପରେ ତାଙ୍କୁ ବିଭିନ୍ନ ମହଲରୁ ଛୁଟିଛି ପ୍ରଶଂସାର ସୁଅ । ଉଭୟଙ୍କ ବିବାହରେ ସାମିଲ ହୋଇଛନ୍ତି ବଲିଉଡ୍ ଅଭିନେତା ବିବେକ ଓବରାୟ । ଆଉ ଲଳିତାଙ୍କୁ ଉପହାରରେ ଦେଇଛନ୍ତି ଏକ ଫ୍ଲାଟ୍ । ଏପରିକି ବିବାହ ବେଳେ ଲଳିତା ପିନ୍ଧିଥିବା ପୋଷାକ ପ୍ରସ୍ତୁତ କରିଥିଲେ ପ୍ରସିଦ୍ଧ ଡିଜାଇନର ଅବୁ ଜାନି ଓ ସନ୍ଦିପ ଖୋସଲା ।