ବାବୁ ନୁହଁନ୍ତି ବିଜେଡି ହାତରେ ଶାସନ ! ଇଣ୍ଡିଆ ଟୁଡେକୁ ନବୀନଙ୍କ ସବୁଠାରୁ ଚର୍ଚ୍ଚିତ ସାକ୍ଷାତକାର

106

ଓଡିଶାକୁ ବିଜୁ ଜନତା ଦଳର ସରକାର ଚଲାଉଛି, ପ୍ରଶାସକ ନୁହଁନ୍ତି । ବିଜେଡି ବ୍ୟକ୍ତିକୈନ୍ଦ୍ରିକ ନୁହେଁ, ଦଳରେ ଏକାଧିକ ଉପ-ସଭାପତି ଓ ଅନ୍ୟ ପଦାଧିକାରୀ ରହିଛନ୍ତି । ବିଜେଡି ଏକ ଗଣତାନ୍ତ୍ରିକ ଦଳ । କିଛି ଏଭଳି ଢଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳକୁ ନେଇ ଉଠିଥିବା ସବୁଠାରୁ ବଡ ପ୍ରଶ୍ନର ଉତ୍ତର ରଖିଛନ୍ତି । ନିଜ ଦଳ ଭିତରୁ ଯେତେବେଳେ କେନ୍ଦ୍ରାପଡା ସାଂସଦ ପ୍ରଶାସକଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଥିଲେ, ସେତେବେଳେ ଦଳର ମୁଖିଆ ଏହି ଅଭିଯୋଗକୁ କାଟି ଉଡାଇ ଦେଇଛନ୍ତି । ଇଣ୍ଡିଆ ଟୁଡେକୁ ମୁଖ୍ୟମନ୍ତ୍ରୀ ଦେଇଥିବା ସାକ୍ଷାତକାରରେ ରାଜ୍ୟ ଠାରୁ କେନ୍ଦ୍ର ରାଜନୀତି ପର୍ଯ୍ୟନ୍ତ ତମାମ ପ୍ରସଙ୍ଗରେ ମତ ରଖିଛନ୍ତି ।

ପଂଚାୟତ ନିର୍ବାଚନ ପରେ ରାଜ୍ୟ ରାଜନୀତିରେ ଉଠିଛି ଝଡ । ୨୦୧୨ ତୁଳନାରେ ବିଜେଡିର ପ୍ରଦର୍ଶନ ଖରାପ ରହିଥିବା ବେଳେ ଭାରତୀୟ ଜନତା ପାର୍ଟି ତିନି ନମ୍ବର ସ୍ଥାନରୁ ଦୁଇ ନମ୍ବର ସ୍ଥାନକୁ ଉଠିଛି । ଓଡିଶାରେ ବିଜେଡିକୁ ବିଜେପି ବିପଦ କି? ରାଜନୀତିରେ ପୋଖତ ପାଲଟିଥି ସାରିଥିବା ନବୀନଙ୍କ ଏହି ପ୍ରସଙ୍ଗ ଉପରେ ଉତ୍ତର ବେଶ ହଟକେ । ବିଜେଡି ମୁଖିଆଙ୍କ ଅନୁସାରେ, ତ୍ରୀସ୍ତରୀୟ ପଂଚାୟ ନିର୍ବାଚନରେ ବିଜୁ ଜନତା ଦଳ ୬୬ ପ୍ରତିଶତ ଅସନ ଜିତିଥିବା ବେଳେ, ଭାରତୀୟ ଜନତା ପାର୍ଟି ୩୩ ପ୍ରତିଶତ ଆସନ ଜିତିବାରେ ସକ୍ଷମ ହୋଇଛି । ଏହା କଦାପି ଏକ ବଡ ବିଜୟ ନୁହେଁ ରାଜ୍ୟରେ ବିଜେପି ଦଳର ତୁଙ୍ଗ ନେତାଙ୍କ ପ୍ରଦର୍ଶନ ବେଶ ନୈରାଶ୍ୟଜନକ ଥିବା ନବୀନ ଉଲ୍ଲେଖ କରିଛନ୍ତି । ସିଧାସଳଖ ହମଲା କରିଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମଙ୍କ ଆଡକୁ । କହିଛନ୍ତି, ଦୁଇ କେନ୍ଦ୍ରମନ୍ତ୍ରୀ ନିଜ ନିଜ ଅଂଚଳରେ ଜିତିବାରେ ସକ୍ଷମ ହୋଇନାହାନ୍ତି । ଏପରିକି ତାଙ୍କ ଦଳ ସଭାପତି ନିଜ ଅଂଚଳରେ ଖାତା ଖୋଲିବାରେ ମଧ୍ୟ ସମର୍ଥ ହୋଇନାହାନ୍ତି ।

ନବୀନଙ୍କ ଏହି ଶାଣିତ ଉତ୍ତର ରାଜ୍ୟ ବିଜେପି ପାଇଁ ବୁଝିବାକୁ ଯଥେଷ୍ଟ ଯେ, ରାଜ୍ୟରେ କ୍ଷମତା ହାସଲ କରିବାକୁ ଲକ୍ଷ ରଖିଥିବା ନେତାଙ୍କ ନିଜ ଅଂଚଳରେ କାଟତି ନାହିଁ । ପରୋକ୍ଷରେ ବିଜେଡି ସୁପ୍ରିମୋ ଇଙ୍ଗିତ କରିବାକୁ ଚାହିଁଛନ୍ତି, ରାଜ୍ୟ ଶାସନ ଗାଦିକୁ ଆସିବା ଆଗରୁ ପ୍ରଥମେ ନିଜ ଅଂଚଳରେ ନେତା ବିଜୟ ହାସଲ କରନ୍ତୁ । ୨୦୧୭ ପଂଚାୟତ ନିର୍ବାଚନ ପରେ ବିଜେଡି-ବିଜେପି ଭିତରେ ଆରମ୍ଭ ହୋଇଥିବା ରାଜନୈତିକ ଯୁଦ୍ଧ ତୀବ୍ର ହେଉଥିବା ବେଳେ ନବୀନଙ୍କ ଏହି ଆକଳନ ବିଜେପି ନେତାଙ୍କୁ ଗ୍ରାମାଂଚଳରେ ନିଜ ସ୍ଥିତି ମାପିବାକୁ ବାଧ୍ୟ କରିବ ବୋଲି ଅନୁମାନ କରାଯାଉଛି । ରାଜନୈତିକ ସମୀକ୍ଷକଙ୍କ ମତ ହେଉଛି, ବିଜେପିର ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରି ନବୀନ ଖେଳିଛନ୍ତି ମାଇଣ୍ଡ ଗେମ୍ । ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ଚେଷ୍ଟା କରିଛନ୍ତି । ପ୍ରଥମତଃ ଏଭଳି କହି ନବୀନ ବିଜେପି କର୍ମୀଙ୍କୁ ନିରୁତ୍ସାହିତ କରିବାକୁ ଉଦ୍ୟମ କରିଛନ୍ତି ଆଉ ଦ୍ୱିତୀୟତଃ ଦଳ ବିରୋଧରେ ତିଆରି ହେଉଥିବା ଧାରଣାକୁ କାଟିବାକୁ ସଫଳ ହୋଇଛନ୍ତି ।

ପଂଚାୟତ ନିର୍ବାଚନରେ ନବୀନ ପ୍ରଚାରକୁ ନ’ଓହ୍ଲାଇବା ଦଳୀୟ ରଣନୀତିର ଅଂଶବିଶେଷ ଥିବା ନିଜେ ମୁଖିଆ ଉଲ୍ଲେଖ କରିଛନ୍ତି । ସାକ୍ଷାତକାରରେ କହିଛନ୍ତି, ଦଳର ସ୍ଥିତି ପରଖିବାକୁ ମୁଁ ଚିନ୍ତା କରିଥିଲି ଆଉ ଦଳ ମଧ୍ୟ ସଫଳତା ହାସଲ କଲା । ନବୀନଙ୍କ ଏହି ଇଙ୍ଗିତ ବୁଝିବାକୁ ଯଥେଷ୍ଟ, ଯଦି ପଂଚାୟତ ନିର୍ବାଚନ ବେଳେ ସେ ପ୍ରଚାରକୁ ଓହ୍ଲାଇଥାନ୍ତେ ତେବେ ଫଳାଫଳ କିଛି ଭିନ୍ନ ହୋଇଥାନ୍ତା । ତେବେ ନିର୍ବାଚନ ପରେ ପରେ ଗୋଟିଏ କଥାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହୋଇଥିଲା ଯେ, ନବୀନଙ୍କୁ ଯେଉଁ କାର୍ପଟଦାର ମାନେ ନିର୍ବାଚନରେ ବିଜେଡିର ସ୍ଥିତି କଣ ହେବ ସେନେଇ ରିପୋର୍ଟ ଦେଇଥିଲେ, ସେଥିରେ ଦଳକୁ ନେଇ ଗୋଲାପୀ ଚିତ୍ର ଦେଖାଯାଇଥିଲା । ଆଉ ଦଳୀୟ ନେତାଙ୍କ ଅତ୍ୟଧିକ ଆତ୍ମବିଶ୍ୱାସ ଅନେକ ସ୍ଥାନରେ ଦଳ ପାଇଁ ମହଙ୍ଗା ପଡିଥିଲା । ତେବେ ନବୀନଙ୍କ ଆକଳନ ହୁଏତ ଦଳର କର୍ମୀଙ୍କ ମନରେ ବିଶ୍ୱାସ ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ ଆଉ ଏକଥା ମଧ୍ୟ ଦର୍ଶାଉଛି, ୨୦୧୯ ପାଇଁ ସେ ମାରାଥନ କ୍ୟାମ୍ପେନ୍ କରିବାକୁ ପ୍ରସ୍ତୁତ ।

ଦଳ ଭିତରେ ରହି ଦଳକୁ ଟାର୍ଗେଟ କରୁଥିବା ବୈଜୟନ୍ତ ପଣ୍ଡାଙ୍କ କୈାଣସି ବି ପ୍ରସଙ୍ଗକୁ ନବୀନ ଗୁରୁତ୍ୱ ଦେଇନଥିବା ବେଳେ କହିଛନ୍ତି, ଦୁର୍ନୀତି ବିରୋଧରେ ତାଙ୍କ ଲଢେଇ ଜାରି ରହିଛି । ଯୁବଗୋଷ୍ଠୀ ଦଳ ପ୍ରତି ବିମୁଖ ହେଉଥିବା ନେଇ ବୈଜୟନ୍ତ ଉଠାଇଥିବା ପ୍ରସଙ୍ଗ ସହ ଏକମତ ହୋଇନାହାନ୍ତି ନବୀନ । କହିଛନ୍ତି, ୨୦୧୪ ରୁ ୨୦୧୯ ମଧ୍ୟରେ ୧୧ ଲକ୍ଷ ଯୁବକଙ୍କ ଦକ୍ଷତା ବିକାଶ କରିବା ଆମ ଲକ୍ଷ । ଗତ ଅର୍ଥିକ ବର୍ଷରେ ୪.୬ ଲକ୍ଷ ଯୁବକଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇଛି । ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ଓ ଋଣ ଦିଆଯାଉଛି । ଆବଶ୍ୟକୀୟ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ବିଜେଡି ସରକାର ଜୋର ଦେଉଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତିନି ବର୍ଷର କାର୍ଯ୍ୟକାଳକୁ ସମୀକ୍ଷା କରିଛନ୍ତି ନବୀନ ପଟ୍ଟନାୟକ । କହିଛନ୍ତି, ମୋଦି ପରିଶ୍ରମୀ । ଲୋକଙ୍କର ତାଙ୍କଠାରୁ ଯଥେଷ୍ଟ ଆଶା ଥିଲା ଯାହାକୁ ପୁରଣ କରିବାରେ ସେ ବିଫଳ ହୋଇଛନ୍ତି । ତାଙ୍କ ସରକାର ପାଖରେ ଆହୁରି ଦୁଇ ବର୍ଷ ସମୟ ଅଛି ଦେଖାଯାଉ କଣ ହେଉଛି । ଖାଲି ଏତିକି ନୁହେଁ, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନରେ କେନ୍ଦ୍ରର ଟାଳଟୁଳ ନୀତିକୁ ମଧ୍ୟ ନବୀନ ସମାଲୋଚନା କରିଛନ୍ତି ।

ମୋଦିଙ୍କ ବିରୋଧରେ ଜାତୀୟ ସ୍ତରରେ ମହାଗଠବନ୍ଧନକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ନବୀନ ତାର ନେତୃତ୍ୱ ନେବେ କି? ଯାହାକୁ ନେଇ ଅତୀତରେ ଅନେକ ବାର ଚର୍ଚ୍ଚା ହୋଇଛି, ସେହି ପ୍ରସଙ୍ଗରେ ବିଜେଡି ମୁଖିଆଙ୍କ ଉତ୍ତର ହେଲା, ଏ ପ୍ରସଙ୍ଗରେ କୈାଣସି ମତ ରଖିବା ଜଲଦି ହୋଇଯିବ । ଅପେକ୍ଷା କରି ଦେଖିବା । ନିର୍ବାଚନ ପାଖେଇ ଆସିଲେ ଏହାର ସ୍ପଷ୍ଟ ଉତ୍ତର ମିଳିଯିବ ବୋଲି ସେ ଇଶାରା କରିଛନ୍ତି । ତେବେ ଏନଡିଏ ସହ ସାମିଲ ହେବାର ପ୍ରଶ୍ନ ଉଠୁନାହିଁ ବୋଲି ନବୀନ ସ୍ପଷ୍ଟ କରିଦେଇଛନ୍ତି । ଉଭୟ ୟୁପିଏ ଓ ଏନଡିଏ ଠାରୁ ଦଳ ସମଦୁରତ୍ୱ ଅବଲମ୍ବନ କରୁଥିବା ନବୀନ ପୁଣି ଦୋହରାଇଛନ୍ତି । ଯଦି ସେ ଦେଶର ପ୍ରଧାନମନ୍ତ୍ରୀ ହୋଇଥାନ୍ତେ ତେବେ ଲୋକଙ୍କ ବିକାଶ ଓ ଉନ୍ନତି ସହ ଗରୀବଙ୍କ କଲ୍ୟାଣ ଉପରେ ଧ୍ୟାନ ଦେଇଥାନ୍ତେ ବୋଲି ନବୀନ କହିଛନ୍ତି ।

ଦେଶର ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସ ଉପରେ ମତ ରଖି ନବୀନ କହିଛନ୍ତି, ଓଡିଶାରେ ଏବଂ ଦେଶର ବିଭିନ୍ନ ଭାଗରେ କଂଗ୍ରେସର ସଂଗଠନ ତାସ ଘର ଭଳି ଭୁଷୁଡି ପଡୁଛି । ଏଥିସହ ରାହୁଲଙ୍କ ଦକ୍ଷତା ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି । ରାହୁଲ ଗାନ୍ଧୀ ଏଯାଏଁ ପ୍ରଭାବହୀନ ଥିବା ନବୀନ ଏହି ସାକ୍ଷାତକାରରେ ଉଲ୍ଲେଖ କରିଛନ୍ତି । ତେବେ ଏଥିରେ ଉନ୍ନତି ଆଣିବା ପାଇଁ ତାଙ୍କ ପାଖରେ ସମୟ ରହିଛି ।

ଲୋକଙ୍କର ଆବଶ୍ୟକତା ଉପରେ ଗୁରୁତ୍ୱ ଦେବା ହିଁ ଗତ ୨୦ ବର୍ଷର ରାଜନୈତିକ ଜୀବନର ସବୁଠାରୁ ବଡ ଅଭିଜ୍ଞତା । ଲୋକଙ୍କ ସମସ୍ୟାକୁ କାନ ଖୋଲି ଶୁଣିବା ସହ ତାକୁ ପ୍ରଭାବୀ ଢଙ୍ଗରେ ଦୂର କରିବା ମଧ୍ୟ ଏହି ସମୟରେ ତାଙ୍କୁ ଶିକ୍ଷା ଦେଇଛି । ପ୍ରଧାନମନ୍ତ୍ରୀ ଓ ଅନ୍ୟ କେନ୍ଦ୍ରମନ୍ତ୍ରୀଙ୍କ ଭଳି ନିଜ ଉପଲବ୍ଧି ପ୍ରଚାର କରାଇବାରେ ସେ ବିଶ୍ୱାସ କରନ୍ତି ନାହିଁ ବରଂ ଲୋକ ଏହା ଅନୁଭବ କରନ୍ତୁ ବୋଲି ନବୀନ, ଇଣ୍ଡିଆ ଟୁଡେକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ।

ବିଜେଡି ସୁପ୍ରିମୋ କହିଛନ୍ତି, ବିଜୁ ପଟ୍ଟନାୟକ ତାଙ୍କୁ କୈାଣସି ରାଜନୈତିକ ଉପଦେଶ କେବେବି ଦେଇନଥିଲେ କାରଣ ସେ ଜୀବିତ ଥିବା ବେଳେ ତାଙ୍କର ରାଜନୀତିକୁ ଆସିବାର କୈାଣସି ଉଦ୍ଦେଶ୍ୟ ନଥିଲା କି ଏବାବଦରେ ବିଜୁ ବାବୁ କେବେ ଚିନ୍ତା ବି କରିନଥିଲେ । କିନ୍ତୁ ମୁଁ ତାଙ୍କଠାରୁ ଶିଖିଥିଲି, ଲୋକଙ୍କ ସହ ଆଲୋଚନା କର, ସେମାନଙ୍କ ସମସ୍ୟାକୁ ବୁଝ ଆଉ ପ୍ରଭାବୀ ଢଙ୍ଗରେ ଦୂର କର । ତେବେ ମୁଖ୍ୟମନ୍ତ୍ରୀ ହେବା ଆଗରୁ ରାଜ୍ୟ ବାବଦରେ ତାଙ୍କର ସେଭଳି କୈାଣସି ଧାରଣା ନଥିବା ନବୀନ ସ୍ପଷ୍ଟ କରିଛନ୍ତି । ତେବେ ଦାୟିତ୍ୱ ନେବାପରେ ପ୍ରତିଟି ଭାଗକୁ ବୁଝି, ସେହି ଆଧାରରେ କାର୍ଯ୍ୟ କରିଥିବା ନବୀନ ଏହି ସାକ୍ଷାତକାରରେ କହିଛନ୍ତି ।

ଚର୍ଚ୍ଚା ଚାଲିଛି, ମୋଦିଙ୍କ ମିଶନ ଇଷ୍ଟ କାର୍ଯ୍ୟକ୍ରମକୁ ପ୍ରତିହତ କରିବାକୁ ବିଜେଡି ରଚୁଥିବା ରଣନୀତିର ଏହା ଅଂଶବିଶେଷ । କାରଣ ଯେଉଁଭଳି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓ ଅନ୍ୟ କେନ୍ଦ୍ରମନ୍ତ୍ରୀ ବିଭିନ୍ନ ସମୟରେ ଓଡିଶାକୁ ଆସି ବିଜୁ ଜନତା ଦଳର ଭାବମୁର୍ତ୍ତିକୁ ପ୍ରତିହତ କରିବାକୁ ଚେଷ୍ଟା କରୁଛନ୍ତି, ତାକୁ ପ୍ରତିହତ କରିବାକୁ ନବୀନ ବାବୁ ଏହି ମାଷ୍ଟରଷ୍ଟ୍ରୋକ ମାରିଛନ୍ତି । ଏହି ସାକ୍ଷାତକାରରେ ଯଥାସମ୍ଭବ ଦେଖାଇବାକୁ ଚେଷ୍ଟା କରାଯାଇଛି, ଗତ ୧୭ ବର୍ଷର ଶାସନରେ ରାଜ୍ୟର କାୟାକଳ୍ପ ବିଜେଡି ସରକାର ବଦଳାଇଦେଇଛି ଏବଂ ଏତେ ବର୍ଷ ଧରି କ୍ଷମତାରେ ରହିବା ପରେ ବି ଅତି ସାଧାରଣ ଜୀବନ ଯାପନ କରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହା ଅତୀତରେ ତାଙ୍କ ଭାବମୂର୍ତ୍ତିର ଅଂଶବିଶେଷ ଥିଲା, ଆଜିର ଦିନରେ ଠିକ ସେହି ଛବି ଉପସ୍ଥାପନ କରିବାକୁ ଚେଷ୍ଟା କରାଯାଇଛି । ଭୋଟ୍ ରାଜନୀତିରେ ଏହି ଚେହେରାକୁ ବ୍ୟବହାର କରି ବିଜେଡି ଅତୀତରେ ନିର୍ବାଚନ ବୈତରଣୀ ପାର ହୋଇଛି, ଆଉ ଆଗାମୀ ଦିନରେ ୨୦୧୯ରେ ପୁଣୀ କ୍ଷମତା ଦଖଲ କରିବାକୁ ଉଦ୍ୟମ ଆରମ୍ଭ କରିଛି । ଯେଉଁଠି ମାଧ୍ୟମ ସାଜିବେ କେବଳ ମୁଖିଆ ନବୀନ ପଟ୍ଟନାୟକ ।