୧୫ ଦିନ ଅଣସର ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ: ଆଜି ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ, ଜାଣନ୍ତୁ ଶ୍ରୀବିଗ୍ରହଙ୍କ ‘ନବଯୌବନ’ ବେଶର କଣ ରହିଛି ମହାତ୍ମ୍ୟ

111

କନକ ବ୍ୟୁରୋ: ଜଗନ୍ନାଥ ଅନେକ ରୂପରେ ଦର୍ଶନ ଦେଇଥାଆନ୍ତି ନିଜ ଭକ୍ତଙ୍କୁ । ତେବେ ନବଯୌବନ ଦର୍ଶନର ଏକ ସ୍ୱତନ୍ତ୍ରତା ରହିଛି । ଏହାର ଅର୍ଥ ଅନ୍ୟ ସମସ୍ତ ଦର୍ଶନଠାରୁ ଏହା ସମ୍ପୂର୍ଣ୍ଣ ଅଲଗା ହୋଇଥାଏ । କାରଣ ଏହା ରତ୍ନ ବେଦୀରେ ହୋଇନଥାଏ କି ରଥ ଉପରେ ହୋଇନଥାଏ । ତେବେ ସାଧାରଣ ଭକ୍ତଙ୍କ ମନରେ ଉଦ୍ଦିପନା ଲାଗି ରହେ ବୋଧହୁଏ ଗୁଣ୍ଡିଚା ମନ୍ଦିରରେ ଏହି ଦର୍ଶନ ହୋଇଥାଏ । ତେବେ ନା ଏଠାରେ ମଧ୍ୟ ହୋଇନଥାଏ । ଏହି ଦର୍ଶନ ଯେତେ ବେଳେ ଚତୁର୍ଦ୍ଧମୂର୍ତ୍ତି ଦେବସ୍ନାନ ପରେ ଅଣସର ପିଣ୍ଡିକୁ ବିଜେ କରନ୍ତି ତାହା ପରେ ହିଁ ଏହି ବେଶରେ ଭଗବାନ ଦର୍ଶନ ଦେଇଥାଆନ୍ତି ।

ଅଣସର ପିଣ୍ଡିରେ ପ୍ରଭୁଙ୍କ ଗୁପ୍ତ ଉପଚାର କରାଗଲା ପରେ ଧିରେ ଧିରେ ସୁସ୍ଥ ହୋଇ ଥାଆନ୍ତି ଚତୁର୍ଦ୍ଧମୂର୍ତ୍ତି । ପରେ ଖଳିଲାଗି ଏକାଦଶୀରେ ଖଳି ଲାଗି କରାଯିବା ପରେ ଆରମ୍ଭ ହୁଏ ବନକଲାଗି ନିତି । ଏହି ନୀତିରେ ଶ୍ରୀମ୍ରୁଖ ଶୃଙ୍ଗାର କରାଯାଇଥାଏ । ଏହାପରେ ଠାକୁରମାନଙ୍କର ଲୁଗା ଲାଗି କରାଯାଇ ଥାଏ । ପରେ ନେତ୍ର ଅମାବାସ୍ୟା ତିଥିରେ ପ୍ରଭୁଙ୍କ ମନ୍ଦିରର ନେତ୍ର ପରିବର୍ତ୍ତନ କରାଗଲା ପରେ ରଥ ପ୍ରତିଷ୍ଠା କରାଯାଏ । ଏହି ଦିନ ଠାକୁରଙ୍କର ନେତ୍ରଦାନ କରାଯିବାର ମଧ୍ୟ ବିଧି ରହିଛି । ଠାକୁରଙ୍କର ହୋମ ନୀତି ସରିଲାପରେ ଫୁଲ ଲାଗି କରାଯିବା ସହ ଅନ୍ୟାନ୍ୟ ନୀତି ସରିଲା ପରେ ଆରମ୍ଭ ହୁଏ ସାଧାରଣ ଦର୍ଶନ ବା ନବଯୌବନ ଦର୍ଶନ । ଏତେ ଦିନ ପରେ ନୂଆ କରି ଦର୍ଶନ ଦେଉଥିବାରୁ ଏପରି ନାମକରଣ କରାଯାଇଥିବା ପୂରାଣରୁ ଜଣାପଡିଛି । ଏହି ସମୟରେ ପ୍ରଭୁ ଅତ୍ୟନ୍ତ ଚିକ୍କଣ ମଧ୍ୟ ଦେଖାଯାଆନ୍ତି । କାରଣ ନୂଆ କରି ଖଡିଲାଗି କରାଯିବା ସହ ବନକଲାଗି କରାଯାଇଥାଏ । ଏହି ଦିନକୁ କେହି କେହି ‘ଉଭାଯାତ୍ରା’ ମଧ୍ୟ କହିଥାଆନ୍ତି । ଠାକୁରମାନେ ଜ୍ୱରରୁ ଉଠିଲାପରେ ମାଉସୀ ମା ମନ୍ଦିରକୁ ନବଦୀନବ୍ୟାପି ଯାତ୍ରା କରିବାର ପ୍ରଥା ରହିଛି । ତେଣୁ ରଥଯାତ୍ରା ପୂର୍ବରୁ ଏହି ଦର୍ଶନ କରାଯାଇଥାଏ ।

ପୂରାଣରେ ବର୍ଣ୍ଣନା କରାଯାଇଛି ଭଗବାନ ଜଗନ୍ନାଥଙ୍କର ଚକ୍ଷୁଦାନ ହେବାପରେ ପ୍ରଥମେ ସେ ଦକ୍ଷିଣ କାଳୀ ରୂପରେ ପୂଜା ପାଆନ୍ତି । ଏହି ଦିନ ଭଗବାନଙ୍କୁ ଶଙ୍ଖୁଡି ଭୋଗ ଲାଗି କରାଯାଏ । ଏହି ନବଯୌବନ ଦର୍ଶନ ଶେଷହେଲା ପରେ ଠାକୁରମାନଙ୍କୁ ସେନାପଟା ଲାଗି କରାଯିବା ସହ ରଥଯାତ୍ରାରେ ଯିବା ଲାଗି ଅନେକ ଲୁଗା ଓ ପାଟ ମଧ୍ୟ ପିନ୍ଧା ଯାଇଥାଏ । ଯେହେତୁ ପ୍ରଭୁ ଅଣସରପରେ ନୂଆ ରୂପରେ ଦର୍ଶନ ଦେଇଥାଆନ୍ତି । ତେଣୁୂ ଏହାକୁ ନବଯୈାବନ ଦର୍ଶନ କୁହାଯାଏ ।